ଝାରସୁଗୁଡ଼ା ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ; ବିଏଲଓ ଓ ସୁପରଭାଇଜରଙ୍କ ତାଲିମ ସହ ବିଭିନ୍ନ ବୁଥ୍ ରେ ସ୍ଵତନ୍ତ୍ର ଶିବିର
Voter-List-correction-SIR-JHS
ଝାରସୁଗୁଡ଼ା ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ;


ଝାରସୁଗୁଡ଼ା, ୮ ଅକ୍ଟୋବର (ହି.ସ.)- ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଝାରସୁଗୁଡ଼ା ଜିଲ୍ଲାର ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକା ସଂଶୋଧନ ଓ ନୂତନ ନାମ ପଞ୍ଜୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ୦୬-ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଏବଂ ୦୭-ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଇଆରଓ ସବ୍ୟସାଚୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ମାର୍ଗଦର୍ଶନରେ ଏହି ଅଭିଯାନ ପରିଚାଳିତ ହେଉଛି । ଏହି କ୍ରମରେ ଉଭୟ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ବିଏଲଓ ସୁପରଭାଇଜରମାନଙ୍କୁ ସମସ୍ତ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଦ୍ୱାରା ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ବିଶେଷ କରି ପୂର୍ବରୁ ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ବ୍ୟକ୍ତି, ନୂତନ ଏବଂ ୧୮ ବର୍ଷ ବୟସ ସୀମାରେ ଥିବା ଯୁବ ଭୋଟରମାନଙ୍କୁ କିପରି ସହଜରେ ଓ ସଠିକ୍ ଭାବେ ତାଲିକାଭୁକ୍ତ କରାଯାଇପାରିବ, ସେ ନେଇ ବିଏଲଓମାନଙ୍କୁ ବିସ୍ତୃତ ଦିଗ୍ଦର୍ଶନ ଦିଆଯାଇଛି। ଏହି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରି ଶତପ୍ରତିଶତ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲା ନିର୍ବାଚନ ବିଭାଗ ଲକ୍ଷ୍ୟ ରଖିଛି।

ଏହି କାର୍ଯ୍ୟକ୍ରମରେ ଲଖନପୁର ତହସିଲଦାର-ତଥା-ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଅତିରିକ୍ତ ତହସିଲଦାର-ତଥା-ଏଇଆରଓ ଏବଂ ଝାରସୁଗୁଡ଼ା ତହସିଲଦାର-ତଥା-ଏଇଆରଓ ପ୍ରତ୍ୟକ୍ଷ ଭାବେ ଏହି ତାଲିମ ଶିବିରକୁ ପରିଚାଳନା କରିଥିଲେ। ଘରକୁ ଘର ବୁଲି ଯାଞ୍ଚ କରିବା, ଫର୍ମ ପୂରଣ ଏବଂ ତଥ୍ୟ ସଂଗ୍ରହ ପ୍ରକ୍ରିୟାକୁ କିପରି ସଠିକ୍ ଓ ସ୍ୱଚ୍ଛ ଭାବରେ କରାଯାଇପାରିବ, ସେ ନେଇ ଅଧିକାରୀମାନେ ଉପସ୍ଥିତ କର୍ମଚାରୀମାନଙ୍କୁ ବିସ୍ତୃତ ଦିଗ୍ଦର୍ଶନ ପ୍ରଦାନ କରିଥିଲେ।

ଅପରପକ୍ଷରେ, କୌଣସି ଯୋଗ୍ୟ ନାଗରିକ ଯେପରି ମତାଧିକାରରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଜିଲ୍ଲାର ନିର୍ବାଚନ ମଣ୍ଡଳୀର ବିଭିନ୍ନ ମତଦାନ କେନ୍ଦ୍ର ଗୁଡ଼ିକରେ ସ୍ୱତନ୍ତ୍ର କ୍ୟାମ୍ପ ମାନ ମଧ୍ୟ ଆୟୋଜନ କରାଯାଇଛି। ଏହି ଶିବିର ମାଧ୍ୟମରେ ନୂତନ ଭୋଟର, ବିଶେଷ କରି ୧୮ ବର୍ଷ ବୟସ ସୀମାରେ ପଦାର୍ପଣ କରୁଥିବା ଯୁବ ଭୋଟର ତଥା ପୂର୍ବରୁ ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ବ୍ୟକ୍ତିବିଶେଷଙ୍କ ନାମ ପଞ୍ଜୀକରଣ କରାଯାଉଛି। ଏହା ସହିତ ନାମ ସଂଶୋଧନ, ଠିକଣା ପରିବର୍ତ୍ତନ ଏବଂ ଆବଶ୍ୟକୀୟ ଫର୍ମ ଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଉଛି। ଏହି ସ୍ୱତନ୍ତ୍ର ଅଭିଯାନର ସୁଯୋଗ ନେଇ ପ୍ରତ୍ୟେକ ଯୋଗ୍ୟ ଭୋଟର ନିଜ ନାମ ଭୋଟର ତାଲିକାରେ ସାମିଲ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande