ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ: ନେତୃତ୍ୱ ନିଅ, ନୂତନତ୍ୱ ଆଣ ଏବଂ ସୃଷ୍ଟି କର
ଜୟପୁର, ୮ ଅକ୍ଟୋବର (ହି.ସ.)- ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମୟରେ ନେତୃତ୍ୱ ନେବା, ନୂତନତା ଆଣିବା ଏବଂ କିଛି ନୂଆ ସୃଷ୍ଟି କରିବା ଛାତ୍ରଛାତ୍ରୀମାନଙ୍କର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ୍ ବୋଲି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ସୁବ୍ରତ କୁମାର ପ୍ରଧାନ କହିଛନ୍ତ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ: ନେତୃତ୍ୱ ନିଅ, ନୂତନତ୍ୱ ଆଣ ଏବଂ ସୃଷ୍ଟି କର


ଜୟପୁର, ୮ ଅକ୍ଟୋବର (ହି.ସ.)- ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମୟରେ ନେତୃତ୍ୱ ନେବା, ନୂତନତା ଆଣିବା ଏବଂ କିଛି ନୂଆ ସୃଷ୍ଟି କରିବା ଛାତ୍ରଛାତ୍ରୀମାନଙ୍କର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ୍ ବୋଲି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ସୁବ୍ରତ କୁମାର ପ୍ରଧାନ କହିଛନ୍ତି। କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆୟୋଜିତ ଏକ ଭାବବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହି ଆହ୍ୱାନ ଦେଇଛନ୍ତି।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଜିତ କୁମାର ଶାସନୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ସୁବ୍ରତ କୁମାର ପ୍ରଧାନ, ଡିନ୍ ଅଫ୍ ସ୍କୁଲ୍ସ ପ୍ରଫେସର ନୃସିଂହ ଚରଣ ପଣ୍ଡା, କୃଷି ବିଭାଗ ମୁଖ୍ୟ ଡ. ମଞ୍ଜୁଶ୍ରୀ ସିଂହଙ୍କ ସହିତ ଅନେକ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।କୃଷି କ୍ଷେତ୍ରରେ ଆସୁଥିବା ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରି ଶ୍ରୀ ପ୍ରଧାନ କହିଥିଲେ ଯେ, ଆଜିର କୃଷି କେବଳ ପାରମ୍ପରିକ ଚାଷକାର୍ଯ୍ୟ ମଧ୍ୟରେ ସୀମିତ ହୋଇ ରହିନାହିଁ। ଏହା ଖାଦ୍ୟ, ପୁଷ୍ଟି, ସ୍ୱାସ୍ଥ୍ୟ, ଜଳ, ଶକ୍ତି, ପରିବେଶ, ଅର୍ଥନୀତି, ପ୍ରଯୁକ୍ତିବିଦ୍ୟା ଏବଂ ରୋଜଗାର ସମେତ ମାନବ ଜୀବନର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରୁଛି। ଏହି କ୍ଷେତ୍ରଟି କ୍ରମାଗତ ଭାବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ, ଡାଟା ସାଇନ୍ସ, ପ୍ରିସିସନ୍ ଫାର୍ମିଂ ଏବଂ ବାୟୋଟେକ୍ନୋଲୋଜି ପରି ଆଧୁନିକ ଜ୍ଞାନକୌଶଳ ସହିତ ଯୋଡ଼ିହୋଇ ନୂତନ ଉଦ୍ଭାବନ ଓ ଉଦ୍ୟୋଗ ପାଇଁ ସୁଯୋଗ ସୃଷ୍ଟି କରୁଛି।କୋରାପୁଟ ଅଞ୍ଚଳର ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ଚିହ୍ନଟ କରି ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ସେଗୁଡ଼ିକର ସମାଧାନ ବାହାର କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କେବଳ ବହିପଢ଼ାରେ ସୀମିତ ନରହି, ସିଧାସଳଖ କ୍ଷେତ୍ରସ୍ତରରେ ନିଜ ଜ୍ଞାନର ପ୍ରୟୋଗ କରିବା ସହ ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।ବିଶେଷ କରି ପାରମ୍ପରିକ କୃଷି ପଦ୍ଧତି ସହିତ ଆଧୁନିକ ବୈଜ୍ଞାନିକ ଜ୍ଞାନକୌଶଳର ସମନ୍ୱୟ ରକ୍ଷା କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱ ଦେଇଥିଲେ। ଅବିଭକ୍ତ କୋରାପୁଟ-ବଲାଙ୍ଗୀର-କଳାହାଣ୍ଡି ଅଞ୍ଚଳର କୃଷକମାନଙ୍କ ଆୟ ବୃଦ୍ଧି କରିବା, ସ୍ଥାନୀୟ ଫସଲରୁ ନୂଆ ଉତ୍ପାଦ ତିଆରି କରିବା ଏବଂ କେବଳ ଚାକିରି ପଛରେ ନଗୋଡ଼ାଇ ନିଜେ ଉଦ୍ୟୋଗୀ ହୋଇ ନୂତନ ନିଯୁକ୍ତି ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଥିଲେ। ସ୍ଥାନୀୟ କୃଷି ସମ୍ପଦର ସଠିକ୍ ବ୍ୟବହାର, ଉତ୍ପାଦର ବିକାଶ, ମୂଲ୍ୟ ଯୋଗ, ବ୍ରାଣ୍ଡିଂ ଏବଂ ମାର୍କେଟିଂ ଦ୍ୱାରା ଏହାକୁ ଏକ ସ୍ଥାୟୀ ଅର୍ଥନୈତିକ ସୁଯୋଗରେ ପରିଣତ କରାଯାଇପାରିବ ବୋଲି ସେ ପ୍ରକାଶ କରିଥିଲେ।ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ଅଜିତ କୁମାର ଶଶାନୀ ଦୃଢ଼ ଶୈକ୍ଷିକ ଭିତ୍ତିଭୂମି, ବହୁମୁଖୀ ଶିକ୍ଷା ଏବଂ ବ୍ୟବହାରିକ ଦକ୍ଷତାର ଆବଶ୍ୟକତା ଉପରେ ଜୋର୍ ଦେଇଥିଲେ। ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗ କ୍ଷେତ୍ରରେ ଥିବା ନୂଆ ସୁଯୋଗକୁ ଆପଣାଇବା ସହ ଚାଷୀ ଓ ସମାଜର ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ନିଜ ଜ୍ଞାନର ପ୍ରୟୋଗ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଭାବବିନିମୟ କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ମତାମତ ରଖିବା ସହ ଉଦ୍ଭାବନ, କୃଷି, ଉଦ୍ୟୋଗଶୀଳତା ଏବଂ ଆଞ୍ଚଳିକ ବିକାଶରେ ଯୁବବର୍ଗଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିବାର ଏକ ସୁନ୍ଦର ସୁଯୋଗ ପ୍ରଦାନ କରିଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande