ଓଡ଼ିଶା ବନ୍ଦ ଯୋଗୁ ଜନଜୀବନ ପ୍ରଭାବିତ, ବସ୍-ଅଟୋ ସେବା ବାଧାପ୍ରାପ୍ତ; ଜୋରଜବରଦସ୍ତି ଗାଡ଼ି ଅଟକାଇଲେ କର୍ମୀ
ଭୁବନେଶ୍ୱର, ୮ ଅକ୍ଟୋବର (ହି.ସ.)। ଓଡ଼ିଶାରେ ଇଣ୍ଡି ମେଣ୍ଟ ପକ୍ଷରୁ ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଡକାଯାଇଥିବା ୧୨ ଘଣ୍ଟିଆ ବନ୍ଦର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦ ଯୋଗୁଁ ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହେବା ସହ ସାର୍ବଜନୀନ ପରିବହନ ସେବା ବାଧାପ୍ରାପ୍ତ ହୋଇଛି।
ଓଡ଼ିଶା ବନ୍ଦ ଯୋଗୁ ଜନଜୀବନ     ପ୍ରଭାବିତ, ବସ୍-ଅଟୋ     ସେବା ବାଧାପ୍ରାପ୍ତ; ଜୋରଜବରଦସ୍ତି ଗାଡ଼ି ଅଟକାଇଲେ କର୍ମୀ


ଭୁବନେଶ୍ୱର, ୮ ଅକ୍ଟୋବର (ହି.ସ.)। ଓଡ଼ିଶାରେ ଇଣ୍ଡି ମେଣ୍ଟ ପକ୍ଷରୁ ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଡକାଯାଇଥିବା ୧୨ ଘଣ୍ଟିଆ ବନ୍ଦର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦ ଯୋଗୁଁ ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହେବା ସହ ସାର୍ବଜନୀନ ପରିବହନ ସେବା ବାଧାପ୍ରାପ୍ତ ହୋଇଛି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରି ଯାନବାହନ ଚଳାଚଳ ବନ୍ଦ କରିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ଅନେକ ସ୍ଥାନରେ ସାଧାରଣ ଲୋକ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ତୀବ୍ର ବାକ୍ବିତଣ୍ଡା ଦେଖିବାକୁ ମିଳିଥିଲା।

କଂଗ୍ରେସ ସମେତ ୯ଟି ବିରୋଧୀ ଦଳ ବନ୍ଦ ଡାକରା ଦେଇଛନ୍ତି। ଇଣ୍ଡି ମେଣ୍ଟ ପକ୍ଷରୁ ଲୋକଙ୍କୁ ରାସ୍ତାରେ ଯାନବାହନ ନଚଳାଇବା ସହ ଦୋକାନ, ବଜାର, ବାଣିଜ୍ୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ବନ୍ଦ ରଖିବାକୁ ଅପିଲ୍ କରାଯାଇଥିଲା।

ଚାରିଟି ପ୍ରମୁଖ ଦାବି ନେଇ ଏହି ବନ୍ଦ ଡକାଯାଇଛି। ଏଥିରେ ଏମ୍ଏମ୍ଡିଆର୍ ଆଇନ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ରାଜ୍ୟର ପାଠ୍ୟପୁସ୍ତକରେ କଥିତ ଅନିୟମିତତାକୁ ନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତ ପରିବାରଙ୍କୁ ତୁରନ୍ତ ଓ ପର୍ଯ୍ୟାପ୍ତ ରିଲିଫ୍ ପ୍ରଦାନ ଦାବି ସାମିଲ ରହିଛି। ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ଅଗ୍ନିଶମ ଓ ଉଦ୍ଧାର ସେବା, ଔଷଧ ଦୋକାନ, କ୍ଷୀର ଯୋଗାଣ, ପରୀକ୍ଷା ଏବଂ ଗଣମାଧ୍ୟମ କର୍ମୀଙ୍କ ଭଳି ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି।

ବସ୍ ଓ ଅଟୋ ସେବା ପ୍ରଭାବିତ

ବନ୍ଦର ସବୁଠାରୁ ଅଧିକ ପ୍ରଭାବ ସାର୍ବଜନୀନ ପରିବହନ ଉପରେ ପଡ଼ିଛି। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ବନ୍ଦକୁ ସମର୍ଥନ କରିନଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଓ ରାସ୍ତା ଅବରୋଧ କାରଣରୁ ବସ୍ ସେବା ପ୍ରଭାବିତ ହୋଇଥିଲା। ନିଖିଳ ଉତ୍କଳ ଅଟୋ ଚାଳକ ସଂଘ ମଧ୍ୟ ସୁରକ୍ଷା କାରଣ ଦର୍ଶାଇ ଅଟୋ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରତିଦିନ ସାର୍ବଜନୀନ ପରିବହନ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।ରାଜଧାନୀ ଭୁବନେଶ୍ୱରରେ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ ଯାନବାହନ ଅଟକାଇବାକୁ ପ୍ରୟାସ କରିଥିଲେ। ମାଷ୍ଟର କ୍ୟାଣ୍ଟିନ୍ ଛକରେ ବିରୋଧୀ କର୍ମୀମାନଙ୍କ ପ୍ରଦର୍ଶନ ଯୋଗୁଁ କିଛି ସମୟ ପାଇଁ ବସ୍ ଓ ଅଟୋ ଚଳାଚଳ ଠପ୍ ହୋଇଯାଇଥିଲା।

ଭୁବନେଶ୍ୱରରେ ଜୋରଜବରଦସ୍ତି ଗାଡ଼ି ଅଟକାଇଲେ କର୍ମୀ

ବନ୍ଦ ସମୟରେ ରାଜ୍ୟର କେତେକ ଅଞ୍ଚଳରେ ଆନ୍ଦୋଳନକାରୀମାନେ ଗାଡ଼ି ଚାଳକ ଓ ସାଧାରଣ ଲୋକଙ୍କୁ ଅଟକାଇବା ସହ ଚାପ ପକାଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ବନ୍ଦ ପୂର୍ବରୁ ଇଣ୍ଡି ମେଣ୍ଟ ପକ୍ଷରୁ ନିଜ କର୍ମୀମାନଙ୍କୁ ଶୃଙ୍ଖଳା ବଜାୟ ରଖିବା ସହ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଢଙ୍ଗରେ ପ୍ରଦର୍ଶନ କରିବାକୁ ଅପିଲ୍ କରାଯାଇଥିଲା। କିନ୍ତୁ ଆନ୍ଦୋଳନ ସମୟରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଥିଲା। ଫଳରେ ନିଜ କାମରେ ବାହାରିଥିବା ଲୋକଙ୍କ ସହ ଇଣ୍ଡି ମେଣ୍ଟ କର୍ମୀମାନଙ୍କର ତୀବ୍ର ବାକ୍ବିତଣ୍ଡା ହୋଇଥିଲା।

ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ଛକରେ କିଛି କଂଗ୍ରେସ କର୍ମୀ ଏକ ଟ୍ରକ୍କୁ ଅଟକାଇ ଚାଳକଙ୍କୁ ଫେରିଯିବାକୁ ବାଧ୍ୟ କରିଥିବା ଘଟଣା ସାମ୍ନାକୁ ଆସିଛି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ଦୁଇଚକିଆ ଯାନକୁ ମଧ୍ୟ ଅଟକାଇବାକୁ ପ୍ରୟାସ କରିଥିଲେ। ଏହା ଫଳରେ ଯାତ୍ରୀମାନଙ୍କ ଯାତାୟାତ ପ୍ରଭାବିତ ହୋଇଥିଲା। ଏକ ଘଟଣାରେ ନିଜ ଶିଶୁକୁ ସ୍କୁଲ୍ ନେଇଯାଉଥିବା ଜଣେ ବ୍ୟକ୍ତିଙ୍କ ମୋଟରସାଇକେଲ୍କୁ ଆନ୍ଦୋଳନକାରୀମାନେ ଅଟକାଇବା ପରେ କଂଗ୍ରେସ ଓ ସିପିଆଇ(ଏମ୍) କର୍ମୀଙ୍କ ସହ ତାଙ୍କର ତୀବ୍ର ବାକ୍ବିତଣ୍ଡା ହୋଇଥିଲା।

ବନ୍ଦ ଯୋଗୁଁ ଅନେକ ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଏବଂ ଅତ୍ୟାବଶ୍ୟକ ସେବା ଯେପରି ନିରବଚ୍ଛିନ୍ନ ଭାବେ ଜାରି ରହେ, ସେଥିପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପ୍ରହରା ବଢ଼ାଇ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande