
ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ କରିବାକୁ ଚାପ ପକାଯାଉଛି
ଭୁବନେଶ୍ବର, 08 ଅକ୍ଟୋବର (ହି.ସ.)ଛାତ୍ର ସଂସଦ ନିର୍ବାଚନରେ ଲିଙ୍ଗ୍ଡୋ କମିଶନଙ୍କ ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରାଯାଉଛି । କ୍ୟାମ୍ପସ ରାଜନୀତିରେ ବିଜେପି ନେତା ହସ୍ତକ୍ଷେପ କରୁଛନ୍ତି । ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ କରିବାକୁ ରାଜନୈତିକ ଚାପ ପକାଯାଉଛି ବିଜେଡି ଅଭିଯୋଗ କରିଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡେଇ କହିଥିଲେ ଛାତ୍ର ସଂସଦ ନିର୍ବାଚନ ନେଇ ପ୍ରକି୍ରୟା ଜାରି ରହିଥିବା ବେଳେ ନୀତିନିୟମକୁ ଉଲ୍ଲଙ୍ଘନ କରାଯାଇ ଏବିଭିପି ସପକ୍ଷରେ ନିର୍ବାଚନ ଫଳାଫଳକୁ ନେବା ପାଇଁ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ଷଡ଼ଯନ୍ତ୍ର କରି ଅନୈତିକ ଉପାୟରେ ଛାତ୍ର ସଂସଦ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି ବିଜେପି । ବିଜେପି ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ବେନିୟମ ପ୍ରଚେଷ୍ଟା ଜାରି ରଖିଛନ୍ତି ସରକାର । ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ତାହାକୁ ସୁଧାରିବା ପାଇଁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି, ଯାହା ଫଳରେ ଜେନ୍ ଜି ମାନେ ସରକାରଙ୍କ ବିରୋଧରେ ଆଜି ରାଜରାସ୍ତାରେ ବିକ୍ଷୋଭ କରୁଛନ୍ତି ।
ଶ୍ରୀ ବ୍ୟୋମକେଶ ରାୟ କହିଥିଲେ ଯେ, ଛାତ୍ର ସଂସଦ ନିର୍ବାଚନ ଲିଙ୍ଗ୍ଡୋ କମିଶନଙ୍କ ନିୟମ ଅନୁଯାୟୀ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ ବିଜେପି ସରକାର କମିଶନଙ୍କ ନିୟମକୁ ଅବମାନନା କରି ଛାତ୍ର ସଂସଦ ନିର୍ବାଚନ କରୁଛନ୍ତି । ଏବିଭିପି ଓ ବିଜେପି ଯୁବମୋର୍ଚ୍ଚା ପ୍ରାର୍ଥୀଙ୍କୁ ଅଗଣତାନ୍ତ୍ରିକ ଉପାୟରେ ବିଜୟୀ କରାଇବା ପାଇଁ ପ୍ରୟାସ କରାଯାଉଛି । ଶାସକ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ କୁଳପତି ଓ ଅଧ୍ୟକ୍ଷଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଫୋନ ଯାଉଛି । ଅନେକ ସ୍ଥାନରେ ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ରକୁ ସୁରକ୍ଷିତ ରଖିବା ପାଇଁ ୭୫ ପ୍ରତିଶତ ଉପସ୍ଥାନ ନଥିବା ବେଳେ ତାହାକୁ ବଦଳାଇ ଦିଆଯାଉଛି । ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ କରିବା ପାଇଁ ରାଜନୈତିକ ଚାପ ପ୍ରୟୋଗ କରାଯାଉଛି । ଯେଉଁଠି ବିଜେପି ନିର୍ବାଚନ ପାଇଁ ପାର୍ଥୀ ପାଉନାହିଁ, ସେଠାରେ ଜାଣିଶୁଣି ଯୋଜନା ବଦ୍ଧ ଭାବେ ନିର୍ବାଚନ ବାତିଲ କରାଯାଉଛି । ଯଦି ଅନ୍ୟାୟ ଭାବେ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ କରାଯିବ, ତେବେ ବିଜେଡି ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯିବ ।
ଶ୍ରୀ ଚିନ୍ମୟ ସାହୁ କହିଥିଲେ ଯେ, ବିଜେପି ସରକାର ଚଞ୍ଚକତା କରି ତରବରିଆ ଭାବେ ନିର୍ବାଚନ ଘୋଷଣା କରିଛନ୍ତି । କିନ୍ତୁ ବିଜେଡି ସରକାର ସମୟରେ ଏପରି ହେଉନଥିଲା ।ରାଜ୍ୟ ବ୍ୟାପୀ ୮୦ ପ୍ରତିଶତ କ୍ୟାମ୍ପସରେ ବିଜେଡି ବିଜୟ ଲାଭ କରିବ । ଛାତ୍ରଛାତ୍ରୀ ମାନଙ୍କ ମୁଦାକୁ ନେଇ ଲଢେଇ କରାଯିବ । ପାର୍ଥୀ ୫ ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ନିୟମ ଥିବାବେଳେ କ୍ୟାମ୍ପସରେ ଭୋଜି ଭାତ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ଏହି ଟଙ୍କା କେଉଁଠୁ ଆସୁଛି ତାହାକୁ ଅନୁଧ୍ୟାନ କରୁନାହାଁନ୍ତି ସରକାର । ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଜାଣିଶୁଣି ଥାନାକୁ ଆଣି ଅଟକ ରଖି ଚାପ ପ୍ରୟୋଗ କରାଯାଉଛି । ଭୋଟ ଚୋରି ସମ୍ଭାବନା ଥିବାରୁ ନିରପେକ୍ଷ ଯାଞ୍ଚ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ କ୍ୟାମ୍ପସ ପଠାଯାଉ ।
ଇପ୍ସିତା ସାହୁ କହିଥିଲେ ଯେ, ଛାତ୍ର ସଂସଦ ନିର୍ବାଚନରେ କୁଳପତି, ଅଧ୍ୟକ୍ଷ, ପ୍ରଫେସର ଓ ଅନ୍ୟାନ୍ୟ କର୍ମଚାରୀ ମାନେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟ କରାଇବାକୁ କାର୍ଯ୍ୟ କରୁଛନ୍ତି । ଏହିପରି ପକ୍ଷପାତିତା କାର୍ଯ୍ୟରୁ ସରକାର ନିବୃତ୍ତ ରୁହନ୍ତୁ, ନଚେତ ବିଜେଡି ପକ୍ଷରୁ ଘୋର ବିରୋଧ କରାଯିବ । ଛାତ୍ର ସଂସଦ ନିର୍ବାଚନ ଲଢେଇ ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କ ଅଧିକାର ରହିଛି । ତାହାକୁ ଛଡାଇ ନେବାକୁ ପ୍ରୟାସ କରାଗଲା ବିଜେଡି ପକ୍ଷରୁ ବିରୋଧ କରାଯିବ । ବିଜେପି ସରକାରକୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି କଲେଜ ପ୍ରଶାସନ, ଯାହାକି ଅତ୍ୟନ୍ତ ନିନ୍ଦନୀୟ । ଜେନ ଜି ମାନେ ଆଗାମୀ ଦିନରେ ଏହାର ଉଚିତ ଜବାବ ଦେବେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା