
ଜୟପୁର, ୮ ଅକ୍ଟୋବର (ହି.ସ.)- ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସଆଇଆର ୨୦୨୬ ପରିପ୍ରେକ୍ଷୀରେ ଭୋଟର ତାଲିକାକୁ ଅଧିକ ସଠିକ, ସ୍ୱଚ୍ଛ ଓ ଅଦ୍ୟତନ କରିବା
ଉଦ୍ଦେଶ୍ୟରେ ବୁଧବାର ଠାରୁ କୋରପୁଟ ଜିଲାରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେଇଛି । ଅକ୍ଟୋବର ୭, ୮ ଓ ୯ ତାରିଖରେ ଏହି ସ୍ୱତନ୍ତ୍ର ଅଭିଯାନ
ରାଜ୍ୟବ୍ୟାପୀ ଅନୁଷ୍ଠିତ ହୋଇଥିବା ବେଳେ କୋରପୁଟ ଜିଲାରେ ମଧ୍ୟ ଆରମ୍ଭ ହୋଇଛି । ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଏସଆଇଆର ପ୍ରକ୍ରିୟାରେ କୌଣସି କାରଣରୁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରମାନଙ୍କୁ ପୁନଃ ଭୋଟର ତାଲିକାରେ ସାମିଲ କରିବା ଏବଂ ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟରମାନଙ୍କୁ ତାଲିକାରେ ସାମିଲ କରିବା । ଯେଉଁ ଯୁବକ-ଯୁବତୀମାନେ ୦୧.୧୦.୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଛନ୍ତି, ସେମାନେ ଭୋଟର ତାଲିକାରେ ନିଜ ନାମ ସାମିଲ କରିବା ପାଇଁ ଆବେଦନ କରିପାରିବେ । ଯୋଗ୍ୟ ଯୁବ ଭୋଟରମାନେ ଫର୍ମ-୬ ମାଧ୍ୟମରେ ନାମ ପଞ୍ଜୀକରଣ ପାଇଁ ନିଜ ବୁଥ ସ୍ତରୀୟ ଅଧିକାରୀ ଙ୍କ ନିକଟରେ ଆବେଦନ କରିପାରିବେ । ଏଥିସହିତ, ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା ସମୟରେ ଯେଉଁ ଯୋଗ୍ୟ ଭୋଟରମାନଙ୍କ ନାମ କୌଣସି କାରଣରୁ ଚୂଡ଼ାନ୍ତ ଭୋଟର ତାଲିକାରେ ସାମିଲ ହୋଇପାରିନାହିଁ, ସେମାନେ ମଧ୍ୟ ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ନିଜ ନାମ ଯୋଡ଼ିବା ପାଇଁ ଆବେଦନ କରିପାରିବେ । ଭୋଟର ତାଲିକାକୁ ଅଧିକ ନିର୍ଭୁଲ ଓ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ଚିହ୍ନଟ ହୋଇଥିବା ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରମାନଙ୍କ ସମ୍ପର୍କିତ ତାଲିକା ସମ୍ପୃକ୍ତ ଜିଲ୍ଲା ଏବଂ ଓଡିଶାଙ୍କ ୱେବସାଇଟରେ ଉପଲବ୍ଧ କରାଯିବ । ଏହି ତାଲିକା ସମ୍ପର୍କରେ ଆବଶ୍ୟକ ଯାଞ୍ଚ କରିବା ଓ ଯଦି କୌଣସି ଯୋଗ୍ୟ ଭୋଟରଙ୍କ ନାମ ଭୁଲବଶତଃ ଏଥିରେ ବାଦ୍ ପଡିଥାଏ ତେବେ ତାହା ସମ୍ପର୍କରେ ଦାବି ଓ ଆପତ୍ତି ଦାଖଲ କରିବା ପାଇଁ ସୁଯୋଗ ରହିବ । ସ୍ୱଚ୍ଛ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ପାଇଁ ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରଙ୍କ ସମ୍ପର୍କିତ ତାଲିକା ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ମଧ୍ୟ ପ୍ରଦାନ କରାଯିବ । ରାଜନୈତିକ ଦଳର ପ୍ରତିନିଧିମାନେ ତାଲିକାକୁ ଯାଞ୍ଚ କରି ଆବଶ୍ୟକ ଦାବି ଓ ଆପତ୍ତି ଦାଖଲ କରିପାରିବେ । ଏହା ମାଧ୍ୟମରେ ଭୋଟର ତାଲିକାରେ ଯୋଗ୍ୟ ବ୍ୟକ୍ତିଙ୍କ ନାମ ସୁନିଶ୍ଚିତ କରିବା ସହ ଅଯୋଗ୍ୟ କିମ୍ବା ଅସଙ୍ଗତ ଏଣ୍ଟ ଚିହ୍ନଟ ଓ ସଂଶୋଧନ କରିବାରେ ସହାୟତା ମିଳିବ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶାନୁଯାୟୀ, ଜିଲ୍ଲାସ୍ତରରେ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ବାଦ୍ ପଡିଥିବା ଯୋଗ୍ୟ ଭୋଟର ଓ ଯୁବ ଭୋଟରମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ସମ୍ପର୍କରେ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଏଲଓମାନଙ୍କୁ ନିଜ ନିଜ ଅଧୀନସ୍ଥ ଅଞ୍ଚଳରେ ଭୋଟର ତାଲିକାରେ ବାଦ୍ ପଡିଥିବା ଯୋଗ୍ୟ ଭୋଟର ନାମ ଓ ନୂତନ ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟାକୁ ସୁଗମ କରିବା ନିମନ୍ତେ ଆବଶ୍ୟକ ସହଯୋଗ ଓ ମାର୍ଗଦର୍ଶନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନାମ ଯୋଡ଼ିବାକୁ ଇଚ୍ଛୁକ ଯୋଗ୍ୟ ଭୋଟରମାନେ ନିଜ ନିଜ ବୁଥ୍ ସ୍ତରୀୟ ଅଧିକାରୀ ବିଏଲଓଙ୍କ ସହ ଯୋଗାଯୋଗ କରି ଆବେଦନ ପ୍ରକ୍ରିୟା ସମ୍ପର୍କରେ ସହାୟତା ନେଇପାରିବେ । ବୁଥ ସ୍ତରୀୟ ଅଧିକାରୀମାନେ ଯୋଗ୍ୟ ଭୋଟରଙ୍କୁ ଆବେଦନ ଦାଖଲ ପ୍ରକ୍ରିୟା ସମ୍ପର୍କରେ ଆବଶ୍ୟକ ସହଯୋଗ ପ୍ରଦାନ କରିବେ । ତେଣୁ, ସ୍ୱତନ୍ତ୍ର ସଘନ ସଂଶୋଧନ- ୨୦୨୬ରେ ନାମ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର, ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟର ଏବଂ ଭୋଟର ତାଲିକାରେ ନିଜ ନାମ ସାମିଲ କରିବାକୁ ଯୋଗ୍ୟ ସମସ୍ତ ବ୍ୟକ୍ତି ଆୟୋଜିତ ସ୍ୱତନ୍ତ୍ର ଅଭିଯାନର ସୁଯୋଗ ନେଇ ଫର୍ମ-୬ ମାଧ୍ୟମରେ ଆବେଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଅନୁରୋଧ କରାଯାଇଛି । ଏହି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ରାଜ୍ୟରେ ଏକ ସ୍ୱଚ୍ଛ, ନିର୍ଭୁଲ, ସମାବେଶୀ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ରହିଛି । ଏହି ନିର୍ଦ୍ଦେଶ ଆସିବା ପରେ କୋରାପୁଟ ଜିଲା ନିର୍ବାଚନ ଅଧକାରି ଓ ଉପଖଣ୍ଡ ନିର୍ବାଚନ ଅଧିକାରି ପାଳନ କରୁଥିବା ଜଣାଯାଇଛି । କୋରପୁଟ ଜିଲାର ୫ଟି ନିର୍ବାଚନ ମଣ୍ଡିଳିରେ ଚାଲିଥିବା ଜଣାଯାଇଛି । ଏହାପରେ ଚୂଡ଼ାନ୍ତ ନିର୍ଭୁଲ ତାଲିକା ପ୍ରସ୍ତୁତ ହୋି ପାରିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି