
୮ ବର୍ଷ ପରେ ନିର୍ବାଚନକୁ ନେଇ କ୍ୟାମ୍ପସ ଉତ୍ସାହିତ, ସୁରକ୍ଷା ପାଇଁ ପୁଲିସର କଡ଼ା ବ୍ୟବସ୍ଥା
ଝାରସୁଗୁଡ଼ା, 09 ଅକ୍ଟୋବର (ହି.ସ.) : ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ବ୍ରଜରାଜନଗର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ବଢ଼ିଛି। ଶୁକ୍ରବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିବାବେଳେ ବିଭିନ୍ନ ପଦପଦବୀ ପାଇଁ ମୋଟ ୧୦୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିମଧ୍ୟରୁ ସଭାପତି ପଦ ପାଇଁ ସର୍ବାଧିକ ୧୫ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଫଳରେ କଲେଜ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ଚଳଚଞ୍ଚଳ ହୋଇଉଠିଛି।
ଅଧିକ ସଂଖ୍ୟକ ନାମାଙ୍କନ ପତ୍ର ଦାଖଲ ହୋଇଥିବାରୁ ଯାଞ୍ଚ ପ୍ରକ୍ରିୟାରେ ଅଧିକ ସମୟ ଲାଗୁଥିବା କଲେଜ ଅଧ୍ୟକ୍ଷ ବିଜୟ ସାହୁ ସୂଚନା ଦେଇଛନ୍ତି। ଶନିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ସ୍ପଷ୍ଟ ହେବ। ଏହାପରେ ବିଭିନ୍ନ ପଦବୀ ପାଇଁ ପ୍ରକୃତ ପ୍ରତିଦ୍ୱନ୍ଦ୍ୱିତାର ଚିତ୍ର ସାମ୍ନାକୁ ଆସିବ।
ଅନ୍ୟପକ୍ଷରେ, ନାମାଙ୍କନ ଦାଖଲ ସମୟରେ କଲେଜ ବାହାରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାମାନେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ପାଟ୍ରୋଲିଂ କରାଯାଇଥିଲା।
ବ୍ରଜରାଜନଗର ଥାନା ଅଧିକାରୀ ଧବଳେଶ୍ୱର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସ୍ଆଇ ସୁଭାଷିଷ ପାତ୍ର, ମାମିନା ସାହୁ, ଅଭୟ ମହାନ୍ତିଙ୍କ ସମେତ ପୁଲିସ ଫୋର୍ସ କଲେଜର ଚତୁଃପାର୍ଶ୍ୱରେ ମୁତୟନ ହୋଇଥିଲେ। ଶୃଙ୍ଖଳା ରକ୍ଷା ପାଇଁ ଅଣଛାତ୍ରମାନଙ୍କୁ କଲେଜଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଅଟକାଯାଇଥିଲା। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ଚେତାବନୀ ଦେଇଥିଲେ।
ଦୀର୍ଘ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ କଲେଜ ପରିସରରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇଛି। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ପ୍ରଚାର ଓ ପ୍ରତିଦ୍ୱନ୍ଦ୍ୱିତା ଆହୁରି ଜୋରଦାର ହେବା ଆଶା କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ