ପୂର୍ବ ଶତ୍ରୁତାରୁ ମହିଳାଙ୍କ ପରିବାର ଉପରେ ଆକ୍ରମଣ : ଘରେ ପଶି ମାରପିଟ, ହତ୍ୟା ଧମକ; ବଡ଼ମାଳ ଥାନାରେ ୩ ଜଣଙ୍କ ନାମରେ ମାମଲା
Attack on family members at Sripura village
ପୂର୍ବ ଶତ୍ରୁତାରୁ ମହିଳାଙ୍କ ପରିବାର ଉପରେ ଆକ୍ରମଣ : ଘରେ ପଶି ମାରପିଟ, ହତ୍ୟା ଧମକ; ବଡ଼ମାଳ ଥାନାରେ ୩ ଜଣଙ୍କ ନାମରେ ମାମଲା


ଝାରସୁଗୁଡ଼ା, ୧୨ ନଭେମ୍ବର (ହି.ସ.)- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ମହିଳାଙ୍କ ସମେତ ତାଙ୍କ ପରିବାରକୁ ଆକ୍ରମଣ, ଗାଳିଗୁଲଜ ଓ ହତ୍ୟା ଧମକ ଦେବା ଅଭିଯୋଗରେ ବଡ଼ମାଳ ଥାନାରେ ମାମଲା ରୁଜୁ ହୋଇଛି। ଏହି ଘଟଣାକୁ ନେଇ ଶ୍ରୀପୁରା କଲୋନୀ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ବଡ଼ମାଳ ଥାନା ଅନ୍ତର୍ଗତ ଶ୍ରୀପୁରା କଲୋନୀ ନିବାସୀ ସୁବାସିନୀ ବାଗ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ମଙ୍ଗଳବାର ସକାଳେ ତାଙ୍କ ଝିଅ ସୀମା ବାଗ ପାଠ ପଢ଼ିବାକୁ ଯାଉଥିବା ସମୟରେ ଅରୁଣ ମାଝୀ ନାମକ ଜଣେ ବ୍ୟକ୍ତି ତାଙ୍କୁ ରାସ୍ତାରେ ଅଟକାଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ପରିବାରର ସମସ୍ତଙ୍କୁ ମାରିଦେବାକୁ ଧମକ ଦେଇଥିଲେ।

ଏହାପରେ ସେହିଦିନ ସନ୍ଧ୍ୟାରେ ଅରୁଣ ମାଝୀ, ଆକାଶ ଲୁହୁରା ଓ ଲକ୍ଷ୍ମଣ ଲୁହୁରା ସୁବାସିନୀଙ୍କ ଘରେ ପଶି ତାଙ୍କ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିବା ସହ ଠେଲାପେଲା କରିଥିବା ଏତଲାରେ ଦର୍ଶାଯାଇଛି। ପୁଣି ବୁଧବାର ଅଭିଯୁକ୍ତମାନେ ତାଙ୍କ ଘରକୁ ଆସି ସୁବାସିନୀଙ୍କ ସ୍ୱାମୀଙ୍କୁ ଧକ୍କା ଦେଇ ତଳେ ପକାଇ ଦେଇଥିଲେ। ଏହାର ପ୍ରତିବାଦ କରିବାରୁ ସ୍ଥାନୀୟ କଲୋନୀବାସୀଙ୍କୁ ମଧ୍ୟ ଗାଳିଗୁଲଜ କରି ଅଭିଯୁକ୍ତମାନେ ସେଠାରୁ ଚାଲିଯାଇଥିଲେ।

ଏ ସଂକ୍ରାନ୍ତରେ ବୁଧବାର ବିଳମ୍ବିତ ରାତିରେ ସୁବାସିନୀ ବଡ଼ମାଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନମ୍ବର ୩୮୧/୨୦୨୬ରେ ବିଏନ୍ଏସ୍ ର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ଗୁରୁବାର ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।

ଏ ସମ୍ପର୍କରେ ବଡ଼ମାଳ ଥାନା ଅଧିକାରୀ ଦିଲ୍ଲୀପ ବେହେରା କହିଛନ୍ତି ଯେ, ବିଳମ୍ବିତ ରାତିରେ ମାମଲା ରୁଜୁ ହୋଇଥିବାରୁ ଗୁରୁବାର ଘଟଣାସ୍ଥଳରେ ପହଞ୍ଚି ପୁଲିସ ତଦନ୍ତ କରୁଛି। ଖୁବ୍ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande