ଓଡ଼ିଆ କଳା ଓ ସଂସ୍କୃତି ପାଇଁ ଭଦ୍ରକର ଅବଦାନ ଅବିସ୍ମରଣୀୟ, ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଦଶମ ସନ୍ଧ୍ୟା
ଭଦ୍ରକ, ୧୨ ନଭେମ୍ବର (ହି.ସ.) - ଓଡ଼ିଆ କଳା ଓ ସଂସ୍କୃତି ପାଇଁ ଭଦ୍ରକର ଅବଦାନ ଅବିସ୍ମରଣୀୟ। ଭଦ୍ରକ ମାଟିର କବି ବଂଶୀ ବଲ୍ଲଭ ଗୋସ୍ୱାମୀ ଯେପରି ମୋଗଲ ତାମସା ରଚନା କରି ତାମସା ଜଗତରେ ଜନକ ସାଜିଛନ୍ତି ସେପରି ଲୋକ କବି ଜଗନ୍ନାଥ ପାଣି ମଧ୍ୟ ଓଡ଼ିଆ ଗୀତିନାଟ୍ୟ ଦୁନିଆର ପିତାମହ। କାନ୍ତକବି ଲକ୍ଷ୍ମୀକାନ୍
BHADRAK MOHASTAV & PUSTAK MELA 10TH EVENING


ଭଦ୍ରକ, ୧୨ ନଭେମ୍ବର (ହି.ସ.) - ଓଡ଼ିଆ କଳା ଓ ସଂସ୍କୃତି ପାଇଁ ଭଦ୍ରକର ଅବଦାନ ଅବିସ୍ମରଣୀୟ। ଭଦ୍ରକ ମାଟିର କବି ବଂଶୀ ବଲ୍ଲଭ ଗୋସ୍ୱାମୀ ଯେପରି ମୋଗଲ ତାମସା ରଚନା କରି ତାମସା ଜଗତରେ ଜନକ ସାଜିଛନ୍ତି ସେପରି ଲୋକ କବି ଜଗନ୍ନାଥ ପାଣି ମଧ୍ୟ ଓଡ଼ିଆ ଗୀତିନାଟ୍ୟ ଦୁନିଆର ପିତାମହ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବହୁ ଗୀତିନାଟ୍ୟ ଓ ସୁଆଙ୍ଗ ରଚନା କରିବା ସହିତ ନିଜେ ମଂଚ କଳାକାର ଥିଲେ ଏବଂ ଜାତୀୟ କବି ବାଞ୍ଛାନିଧି ମହାନ୍ତି ମଂଚ ଉପଯୋଗୀ ଜାତୀୟତାବାଦୀ ସଂଗୀତ ରଚନା ଓ ପରିବେଷଣ କରିବା ସହ ନିଜେ ଏକ ଯାତ୍ରା ଦଳ ଗଠନ କରିଥିଲେ। କେଶବ କବି କୃଷ୍ଣପ୍ରସାଦ ବେହେରା, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା , ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର, ନାଟ୍ୟକାର ଉମାକାନ୍ତ ବେହେରା ପ୍ରମୁଖ ବହୁ ସାରସ୍ୱତ ସାଧକ ନାଟକ ରଚନା, ନାଟକ ନିର୍ଦ୍ଦେଶନା ଓ ଅଭିନୟ କରି ନାଟ୍ୟ ଜଗତରେ ଅଭୁଲା ପଦଚିହ୍ନ ଛାଡ଼ି ଯାଇଛନ୍ତି ବୋଲି ଅବନ୍ତିକା ଆବାସିକ ବିଦ୍ୟାଳୟ,ଚରମ୍ପା ପ୍ରାୟୋଜିତ ତଥା ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଆୟୋଜିତ ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଦଶମ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ଦଶମ ସନ୍ଧ୍ୟାକୁ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ମଂଚ ନାମରେ ନାମିତ କରାଯାଇଥିଲା ଏବଂ ସମାରୋହରେ ଭଦ୍ରକ ମାଟିରେ ଆମ କଳା ଓ ସଂସ୍କୃତି' ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ମହୋତ୍ସବର ସାଂସ୍କୃତିକ ସମ୍ପାଦକ ରାମ ନାରାୟଣ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଭଦ୍ରକର ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ମୁଖ୍ୟ ଅତିଥି, ନାଟ୍ୟଶ୍ରୀ ଡ. ନିର୍ମଳ ରାଉତ ବିଶିଷ୍ଟ ଅତିଥି, ଅବସର ପ୍ରାପ୍ତ ଅଧ୍ୟାପକ ତଥା ସାହିତ୍ୟିକ ଡ. ରମାକାନ୍ତ ନାୟକ ମୁଖ୍ୟ ବକ୍ତା , ଜଗା ଚାକର ସଙ୍ଘ, ପୁରୀର ସମ୍ପାଦକ ସନ୍ତୋଷ କୁମାର ମିଶ୍ର, ନାଟ୍ୟ ନିର୍ଦ୍ଦେଶକ ଓ ମଂଚ କଳାକାର ନିମାନନ୍ଦ ସାହୁ, ବଂଶୀ ବାଦକ ସୁରେଶ ଚନ୍ଦ୍ର ଜେନା ବରେଣ୍ୟ ଅତିଥି, ପ୍ରକୃତି ବନ୍ଧୁ ତଥା ପ୍ରଧାନ ଶିକ୍ଷକ ବୈକୁଣ୍ଠ ବିଶ୍ୱାଳ ଓ ପ୍ରଧାନ ଶିକ୍ଷକ ତଥା ସାହିତ୍ୟିକ ଡ. ବସନ୍ତ ଦୀକ୍ଷିତ, ପ୍ରକୃତି ବନ୍ଧୁ ତଥା ଶିକ୍ଷକ ସରୋଜ କୁମାର ଓଝା ସମ୍ମାନିତ ବକ୍ତା ଭାବେ ଯୋଗଦେଇଥିଲେ। ଏହି ସମାରୋହରେ ସରୋଜ କୁମାର ଓଝାଙ୍କ ଇଂରାଜୀ କବିତା ପୁସ୍ତକ ସାଇଲେଂଟ ରେନ୍' ଉନ୍ମୋଚିତ ହୋଇଥିଲା। ମହୋତ୍ସବ ଓ ପୁସ୍ତକ ମେଳାର ସମ୍ପାଦକ ରବି ନାରାୟଣ ଖିଲାର ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ ଓ ସ୍ୱାଗତ ଭାଷଣ, ସଭାପତି ଇଂ. ଅଭୟ ସୂତାର ଅତିଥି ପରିଚୟ ଓ ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ। ଉପ ସଭାପତି ତଥା ପ୍ରଧାନ ଶିକ୍ଷୟିତ୍ରୀ ଡ. ଜାନକୀ ପାଢ଼ୀ, ସହ ସମ୍ପାଦକ ତଥା ଶିକ୍ଷୟିତ୍ରୀ ମନୋରମା ରାୟ , ଗୁରୁମା ଭାରତୀ ବାଇ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମହାରଣାଙ୍କ ପରିଚାଳନାରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କବି ନାରାୟଣ ଚନ୍ଦ୍ର ପାଢ଼ୀ, କବୟିତ୍ରୀ ଚୈତାଳୀ ଖିଲାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାଇ ନୃତ୍ୟ କଳା ଏକାଡେମୀ, ଭଦ୍ରକ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande