
ଭବାନୀପାଟଣା, ୧୨ ନଭେମ୍ବର (ହି.ସ.)- ଆଜି ‘ବିକଶିତ ଭାରତ ଯୁବ ନେତୃତ୍ଵ ସଂଳାପ–୨୦୨୭’ ଉପଲକ୍ଷେ ଜିଲ୍ଲାସ୍ତରୀୟ ଯୁବୋତ୍ସବ ବିଭିନ୍ନ ପ୍ରତିଯୋଗିତା ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୁବପିଢ଼ିଙ୍କୁ ଦେଶ ଗଠନର ମୁଖ୍ୟ ବାହକ ଭାବେ ଅଭିହିତ କରିବା ସଙ୍ଗେ ସଙ୍ଗେ ଯୁବକଯୁବତୀମାନେ ନିଜର ପ୍ରତିଭା, ଦକ୍ଷତା, ନବସୃଜନ ଚିନ୍ତାଧାରା ଓ ନେତୃତ୍ୱ ଗୁଣର ବିକାଶ କରି ଏକ ବିକଶିତ ଭାରତ ଗଠନରେ ସକ୍ରିୟ ଭାଗୀଦାର ହେବାକୁ ସେ ଆହ୍ୱାନ ଦେଇଥିଲେ।
ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଯୁବ ନେତୃତ୍ୱର ଗୁରୁତ୍ୱ, ଶିକ୍ଷା, ଦକ୍ଷତା ବିକାଶ ଓ ନବସୃଜନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଡଃ. ଗୁଣନିଧି ନାୟକ ନିଜ ବକ୍ତବ୍ୟରେ ଯୁବସମାଜ କେବଳ ଭବିଷ୍ୟତର ନେତୃତ୍ୱ ନୁହେଁ, ବରଂ ବର୍ତ୍ତମାନର ବିକାଶ ଯାତ୍ରାର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଯୁଗଳ କିଶୋର ପୋଡ ଯୋଗଦେଇ ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଶୃଙ୍ଖଳା, ସାମାଜିକ ଦାୟିତ୍ୱବୋଧ,ଦେଶ ପ୍ରେମ ଓ ସକାରାତ୍ମକ ମନୋଭାବର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ।
ଆଜି ଟାଉନ ହଲ ଏବଂ ଇ ଟି ସି ତାଲିମ କେନ୍ଦ୍ରରେ ଲୋକ ନୃତ୍ୟ, ଚିତ୍ରାଙ୍କନ, କବିତା ଲିଖନ ଓ ପଥପ୍ରାନ୍ତ ନାଟକ ପ୍ରତିଯୋଗିତା ପାଇଁ ୩୫୦ ରୁ ଉର୍ଦ୍ଧ୍ୱ ୧୫ ବର୍ଷରୁ ୨୯ ବର୍ଷ ବୟସ୍କ ମଧ୍ୟରେ ଯୁବ ପ୍ରତିଭା ଯୋଗ ଦେଇଥିଲେ। ଜିଲ୍ଲାର ସମସ୍ତ ବ୍ଲକ, ବିଜ୍ଞାପିତ ଅଂଚଳ ପରିଷଦ ଓ ପୌରପାଳିକାରେ ଅବସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଉତ୍ସାହର ସହ ମୁଖ୍ୟତଃ ଯୋଗ ଦେଇଥିଲେ। ବିଭିନ୍ନ ଟିମ୍ ଗଠନ ପୂର୍ବକ ଲୋକନୃତ୍ୟରେ ୧୩୦, ନୁକଡ ନାଟକରେ ୧୦୯, ଚିତ୍ରାଙ୍କନରେ ୩୬ ଜଣ ଏବଂ କବିତା ଲିଖନ ପ୍ରତିଯୋଗିତାରେ ୩୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଆସନ୍ତାକାଲି ୧୩.୧୧.୨୦୨୬ ତାରିଖରେ ଟାଉନ ହଲରେ ଅନୁଷ୍ଠିତ ଲୋକ ଗୀତରେ ୧୧୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ଏହି ଅବସରରେ ଅନ୍ୟ ମଞ୍ଚାସୀନ ଅତିଥି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ମାଇଁ ଭାରତ ଯୁବ ସଂଯୋଜକ ବଂଶ ଶର୍ମା ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ସନାତନ ମହାରଣା ଯୋଗଦେଇଥିଲେ। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଡ. ଉମେଶ ଚନ୍ଦ୍ର ଶତପଥୀ ସଂଚାଳନ କରିଥିଲେ। ଏହି ଯୁବୋତ୍ସବ ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ସୃଜନଶୀଳତା, ଦେଶପ୍ରେମ ଓ ସାମାଜିକ ଦାୟିତ୍ୱବୋଧକୁ ଅଧିକ ସୁଦୃଢ଼ କରିବା ସହ ବିକଶିତ ଭାରତ ଗଠନର ସଂକଳ୍ପକୁ ଆଗେଇ ନେବାରେ ପ୍ରେରଣା ଯୋଗାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ