
ଭୁବନେଶ୍ୱର, ୧୨ ନଭେମ୍ବର (ହି.ସ)- ସରକାରଙ୍କ ଚରମ ଅବହେଳା ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରଳୟଙ୍କାରୀ ବନ୍ୟା ଆସିଲା। ସରକାରଙ୍କ ପୂର୍ବ ପ୍ରସ୍ତୁତିର ଅଭାବ ଓ ଦାୟିତ୍ୱହୀନ ନିଷ୍ପତି ପାଇଁ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ଗଞ୍ଜାମବାସୀ । ଗଞ୍ଜାମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ପ୍ରାକୃତିକ ନୁହେଁ ସରକାରୀ କୃତ । ସରକାର ନିଜର ଅପାରଗତା ଘୋଡ଼ାଇବା ପାଇଁ ମିଛ କହୁଥିବା କହିଛି ବିଜେଡି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ, ଗଞ୍ଜାମରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଦେଶର ଅନ୍ୟ ଅଂଚଳରେ ଘଟିଥୁବା ବଡ଼ ବଡ଼ ବନ୍ୟା ବିପର୍ଯ୍ୟୟ ସହ ତୁଳନୀୟ। ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା ଜାରି ସତ୍ୱେ ସରକାରଙ୍କ ପୂର୍ବ ପ୍ରସ୍ତୁତି ଅଭାବରୁ ଗଞ୍ଜାମରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଲା । ଗଞ୍ଜାମ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହେବା ପରେ ମଧ୍ୟ ସରକାର ଜିଲ୍ଲାରେ ଥିବା ଜଳଭଣ୍ଡାରକୁ ଖାଲି କରିନଥିଲେ । ଜଳଭଣ୍ଡାର ଗୁଡ଼ିକରେ ୮୦ ପ୍ରତିଶତ ଜଳ ରହିଥିଲା । ଜଳଭଣ୍ଡାର ପରିଚାଳନାରେ ସରକାରଙ୍କ ଦୋଷ ଦୁର୍ବଳତା ପଦାରେ ପଡ଼ିଛି । ପ୍ରବଳ ବର୍ଷା ହେବା ପରେ ଋଷିକୂଲ୍ୟା ନଦୀରେ ବନ୍ୟାଜଳ ପୂର୍ଣ୍ଣ ଥିବାବେଳେ ଜଳଭଣ୍ଡାର ଗେଟ୍ ଖୋଲି ଦିଆଯାଇଥିଲା । ସରକାର ଓ ଜଳସମ୍ପଦ ବିଭାଗର ଅପରିଣାମଦର୍ଶୀ ନିଷ୍ପତି ପାଇଁ ଗଞ୍ଜାମରେ ପ୍ରଳୟଙ୍କାରୀ ବନ୍ୟା ଆସି ସବୁ ଛାରଖାର କରିଦେଲା । ଜଳଭଣ୍ଡାର ଗେଟ୍ ଖୋଲିବା ନେଇ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ନିଜର ଦିଲ୍ଲୀ ଗସ୍ତ ବାତିଲ କରିଥିବା ବେଳେ ଗଞ୍ଜାମରେ ଏତେ ଗମ୍ଭୀର ପରିସ୍ଥିତି ସତ୍ୱେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିବା ଅତ୍ୟନ୍ତ ନିନ୍ଦନୀୟ । ଜିଲ୍ଲାରେ ଦଳୀୟ ଭିଭିରେ ରିଲିଫ୍ ବଂଟନ ନ କରି ସମସ୍ତଙ୍କୁ ରିଲିଫ୍ ବଂଟନ କରାଯାଉ । ସମସ୍ତ ବନ୍ୟା କ୍ଷତିଗ୍ରସ୍ତ ପରିବାର ପାଇଁ ଏକ ସ୍ୱତନ୍ତ୍ର ରିଲିଫ୍ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରିବା ସହ ପ୍ରଭାବିତ ଗ୍ରାମ ଓ ପରିବାର ପାଖରେ ସହାୟତା ପହଂଚାଯାଉ । କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ପରିବାରକୁ ଗୁଡ଼ିକୁ ତୁରନ୍ତ କ୍ଷତିପୂରଣ ଦିଆଯାଉ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା