ଆଠଗଡ଼ରେ ଲୋକତନ୍ତ୍ର ବଂଚାଓ - ଅରାଜକତା ହଟାଓ ପଦଯାତ୍ରା
ଦେଶର ଗଣତନ୍ତ୍ର ଓ ସମ୍ବିଧାନକୁ ସୁରକ୍ଷା ଦେବା ଆମର ଦାୟିତ୍ୱ - ଧର୍ମେନ୍ଦ୍ର ପ୍ରଧାନ ଆଠଗଡ/ଭୁବନେଶ୍ୱର, ୧୨ ନଭେମ୍ବର (ହି.ସ)- ଦେଶର ଗଣତନ୍ତ୍ର, ସମ୍ବିଧାନ ଏବଂ ସାର୍ବଭୌମତ୍ୱକୁ ସୁରକ୍ଷା ଦେବା ପାଇଁ କଂଗ୍ରେସ ଓ ‘ଇଣ୍ଡି’ ମେଂଟର ସମସ୍ତ ଅରାଜକତାବାଦୀ ଷଡ଼ଯନ୍ତ୍ରକୁ ଗଣତାନ୍ତ୍ରିକ ଉପାୟରେ ମୂଳପୋଛ କ
dp


ଦେଶର ଗଣତନ୍ତ୍ର ଓ ସମ୍ବିଧାନକୁ ସୁରକ୍ଷା ଦେବା ଆମର ଦାୟିତ୍ୱ - ଧର୍ମେନ୍ଦ୍ର ପ୍ରଧାନ

ଆଠଗଡ/ଭୁବନେଶ୍ୱର, ୧୨ ନଭେମ୍ବର (ହି.ସ)- ଦେଶର ଗଣତନ୍ତ୍ର, ସମ୍ବିଧାନ ଏବଂ ସାର୍ବଭୌମତ୍ୱକୁ ସୁରକ୍ଷା ଦେବା ପାଇଁ କଂଗ୍ରେସ ଓ ‘ଇଣ୍ଡି’ ମେଂଟର ସମସ୍ତ ଅରାଜକତାବାଦୀ ଷଡ଼ଯନ୍ତ୍ରକୁ ଗଣତାନ୍ତ୍ରିକ ଉପାୟରେ ମୂଳପୋଛ କରାଯିବ ବୋଲି ଗୁରୁବାର ଆଠଗଡ଼ ଠାରେ ଅନୁଷ୍ଠିତ ବିଶାଳ ପଦଯାତ୍ରା ପରବର୍ତୀ ସାଧାରଣ ସଭାରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଠଗଡ଼ରେ “ଲୋକତନ୍ତ୍ର ବଂଚାଓ, ଅରାଜକତା ହଟାଓ” ଅଭିଯାନ ଅନ୍ତର୍ଗତ ପଦଯାତ୍ରାକୁ ମିଳିଥିବା ବିପୁଳ ଜନସମର୍ଥନ ଓ ଲୋକଙ୍କ ଅଦମ୍ୟ ଉତ୍ସାହକୁ ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ପ୍ରଚଣ୍ଡ ଜନସ୍ରୋତ ପ୍ରମାଣ କରୁଛି ଯେ ଓଡ଼ିଶାର ଜନତା ସର୍ବଦା ଗଣତନ୍ତ୍ର ଓ ସତ୍ୟର ପକ୍ଷରେ ଠିଆ ହୋଇଛନ୍ତି। କିନ୍ତୁ ନିଜର ନିର୍ବାଚନୀ ପରାଜୟକୁ ହଜମ କରିନପାରି କଂଗ୍ରେସ ଓ ‘ଇଣ୍ଡି’ ମେଂଟ ପ୍ରତିଥର ଇଭିଏମ୍, ନିର୍ବାଚନ ଆୟୋଗ ଏବଂ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ଉପରେ ଅଯଥା ଦୋଷ ଲଦିବାରେ ବ୍ୟସ୍ତ ଅଛନ୍ତି।

କଂଗ୍ରେସ ଓ ‘ଇଣ୍ଡି’ ମେଂଟର ଦୋମୁହାଁ ନୀତିକୁ କଡ଼ା ସମାଲୋଚନା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଜନମତକୁ ସମ୍ମାନ ଦେବା ପରିବର୍ତେ, ଏହି ଦଳଗୁଡ଼ିକ ଆଜି ଭୋଟର ତାଲିକା ଶୁଦ୍ଧୀକରଣ (ଝଓଜ) ଏବଂ ନିର୍ବାଚନ ଆୟୋଗଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛନ୍ତି। ପ୍ରକୃତରେ ସେମାନେ ଜନସାଧାରଣଙ୍କ ଅଧିକାର ପାଇଁ ନୁହେଁ, ବରଂ ବେଆଇନ ଅନୁପ୍ରବେଶକାରୀମାନଙ୍କୁ ନିଜର ଭୋଟ୍ ବ୍ୟାଙ୍କ ଭାବେ ବଞ୍ଚାଇ ରଖିବା ପାଇଁ ଏହି ଷଡ଼ଯନ୍ତ୍ର କରୁଛନ୍ତି। ଆମ ସୁରକ୍ଷା ବଳଙ୍କ ବଳିଦାନ ଏବଂ ସେନାଙ୍କ ପରାକ୍ରମ ଉପରେ ସନ୍ଦେହ ପ୍ରକଟ କରିବା ସେମାନଙ୍କର ସଙ୍କୁଚିତ ଓ ତୁଷ୍ଟୀକରଣ ମାନସିକତାକୁ ପଦାରେ ପକାଇଛି। ଦେଶର ଜନସାଧାରଣ ସେମାନଙ୍କର ଏହି ବିଭ୍ରାନ୍ତିକର ତଥା ଦେଶବିରୋଧୀ ରାଜନୀତିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିସାରିଛନ୍ତି।

ସାଧାରଣ ଲୋକଙ୍କ ପ୍ରକୃତ ଭାଗୀଦାରି ହିଁ ଆମ ଗଣତନ୍ତ୍ରର ପ୍ରକୃତ ଶକ୍ତି ବୋଲି ମତବ୍ୟକ୍ତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଜି ଜଣେ ଜନଜାତି ଘରର ଝିଅ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ (ରାଷ୍ଟ୍ରପତି)ରେ ଅଳଂକୃତ ହେବା ଏବଂ ଜଣେ ଗରିବ ପରିବାରର ପୁଅ ଦେଶର ସଫଳ ନେତୃତ୍ୱ ନେବା କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟର ନେତାଙ୍କୁ ଆଦୌ ପସନ୍ଦ ଆସୁନାହିଁ। କ୍ଷମତା ହରାଇବାର ଯନ୍ତ୍ରଣାରେ ସେମାନେ ଦେଶରେ ଅସ୍ଥିରତା ଏବଂ ଅରାଜକତା ସୃଷ୍ଟି କରୁଛନ୍ତି।

ଶେଷରେ, ଦେଶର ସମ୍ବିଧାନ ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ରକ୍ଷା କରିବା ପାଇଁ ଏକଜୁଟ ହେବାକୁ ଆହ୍ୱାନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ଅରାଜକତାବାଦୀଙ୍କ ସମସ୍ତ କୁଚକ୍ରାନ୍ତକୁ ଜନସାଧାରଣଙ୍କ ସହଯୋଗରେ ଗଣତାନ୍ତ୍ରିକ ଉପାୟରେ ସମ୍ପୂର୍ଣ୍ଣ ମୂଳପୋଛ କରାଯିବ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande