ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟିଲେ ବିଧାୟକ ଅରବିନ୍ଦ ମହାପାତ୍ର
କେନ୍ଦ୍ରାପଡ଼ା, ୧୨ ନଭେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କାର୍ୟ୍ୟକ୍ରମରେ ଆସିଥିବା ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପାଟକୁରା ନିର୍ବାଚନ ମଣ୍ଡଳୀର ବିଧାୟକ ଅରବିନ୍ଦ ମହାପାତ୍ର ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆ
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟିଲେ ବିଧାୟକ ଅରବିନ୍ଦ ମହାପାତ୍ର


କେନ୍ଦ୍ରାପଡ଼ା, ୧୨ ନଭେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କାର୍ୟ୍ୟକ୍ରମରେ ଆସିଥିବା ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପାଟକୁରା ନିର୍ବାଚନ ମଣ୍ଡଳୀର ବିଧାୟକ ଅରବିନ୍ଦ ମହାପାତ୍ର ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏହି ସାକ୍ଷାତକାର କାଳରେ ଶ୍ରୀ ମହାପାତ୍ର ନିଜ ନିର୍ବାଚନ ମଣ୍ଡଳୀର ଅନ୍ନଦାତା ଚାଷୀମାନେ ବର୍ଷ ବର୍ଷ ଧରି ସମ୍ମୁଖୀନ ହୋଇଆସୁଥିବା ଜଟିଳ ଜଳବନ୍ଦୀ ଓ ଜଳ ନିଷ୍କାସନ ଜନିତ ସମସ୍ୟା ଉପରେ ମନ୍ତ୍ରୀଙ୍କ ଗମ୍ଭୀର ଦୃଷ୍ଟି ଆକର୍ଷଣ କରିଥିଲେ। କେବଳ ସମସ୍ୟା ବିଷୟରେ ଜଣାଇବା କିମ୍ବା ମୌଖିକ ଅଭିଯୋଗ କରିବା ପରିବର୍ତ୍ତେ, ଏହାର ସ୍ଥାୟୀ ପ୍ରତିକାର କିପରି ସମ୍ଭବ ହୋଇପାରିବ ସେନେଇ ଏକ ବୈଷୟିକ ତଥ୍ୟସମ୍ବଳିତ ସ୍ୱତନ୍ତ୍ର ‘ବ୍ଲୁ-ପ୍ରିଣ୍ଟ’ ତଥା ବିସ୍ତୃତ ପ୍ରକଳ୍ପ ରିପୋର୍ଟ ମନ୍ତ୍ରୀଙ୍କ ହସ୍ତରେ ଅର୍ପଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପାଟକୁରା ନିର୍ବାଚନ ମଣ୍ଡଳୀ ମୂଳତଃ ଏକ କୃଷିପ୍ରଧାନ ଅଞ୍ଚଳ। ଏଠାକାର ଶତକଡ଼ା ୮୦ ଭାଗରୁ ଊର୍ଦ୍ଧ୍ୱ ପରିବାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଚାଷ ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଇଥାନ୍ତି। ମାତ୍ର ପ୍ରତ୍ୟେକ ବର୍ଷ ବର୍ଷା ଓ ବନ୍ୟା ଋତୁ ଆସିଲେ ଚାଷଜମିରେ ବର୍ଷା ଜଳ ଜମି ରହିବା ଏଠାକାର କୃଷକମାନଙ୍କ ପାଇଁ ଏକ ଦୁର୍ଭାଗ୍ୟଜନକ ସଙ୍କଟ ରୂପେ ଉଭା ହୋଇଥାଏ। ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥାର ଅଭାବ ଏବଂ ପ୍ରାକୃତିକ ନାଳଗୁଡ଼ିକ ଅବରୋଧ ହୋଇ ରହିଥିବାରୁ ପ୍ରବଳ ବର୍ଷା ହେଲେ ଉଦ୍ବୃତ୍ତ ଜଳ ନିଷ୍କାସିତ ନହୋଇ ମାସ ମାସ ଧରି କ୍ଷେତରେ ଅଟକି ରହେ। ଏହା ଫଳରେ ହଜାର ହଜାର ହେକ୍ଟର ପରିମିତ ସୁନାର ଧାନ ଫସଲ ପାଣିରେ ପଚି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ ଏବଂ କୃଷକମାନେ ପ୍ରଚୁର ପରିଶ୍ରମ ଓ ଅର୍ଥ ବିନିଯୋଗ କରି ମଧ୍ୟ ଶେଷରେ କ୍ଷତିର ଶିକାର ହୋଇ ଋଣବୋଝ ଭିତରକୁ ଠେଲି ହୋଇଯାଆନ୍ତି।ଏହି ସମ୍ବେଦନଶୀଳ ସମସ୍ୟାକୁ ଅତି ଗୁରୁତ୍ୱର ସହ ଗ୍ରହଣ କରି ବିଧାୟକ ଶ୍ରୀ ମହାପାତ୍ର ନିଜେ ବିଭିନ୍ନ ଅଞ୍ଚଳ ବୁଲି କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ଚାଷୀ, ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ ଓ ବିଷୟ ବିଶେଷଜ୍ଞଙ୍କ ମତାମତ ଆଧାରରେ ସେ ଏହି ବ୍ଲୁ-ପ୍ରିଣ୍ଟ କାର୍ୟ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତି। ପ୍ରଦାନ କରାଯାଇଥିବା ରିପୋର୍ଟରେ ପାଟକୁରାର କେଉଁ କେଉଁ ପ୍ରମୁଖ ଜଙ୍କସନ ଓ ସ୍ଥାନରେ ନୂତନ କଲଭର୍ଟ ଏବଂ ସାଇଫନ୍ ନିର୍ମାଣ କରାଗଲେ ବନ୍ୟା ଓ ବର୍ଷା ଜଳ ସହଜରେ ନଦୀ କିମ୍ବା ବଡ଼ ନାଳକୁ ନିଷ୍କାସିତ ହୋଇପାରିବ, ସେନେଇ ଏକ ସ୍ପଷ୍ଟ ଚିତ୍ର ଉପସ୍ଥାପନ କରାଯାଇଛି। ଏଥିସହିତ ବହୁ ବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ପୋତି ହୋଇପଡ଼ିଥିବା ପୁରୁଣା କେନାଲ, ପ୍ରାକୃତିକ ଡ୍ରେନେଜ୍ ଚ୍ୟାନେଲ୍ ଏବଂ ନାଳଗୁଡ଼ିକର ପୁନରୁଦ୍ଧାର ସହ ବ୍ୟାପକ ପଙ୍କ ଉଦ୍ଧାର କାର୍ୟ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପାଦନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ବହୁ ଗ୍ରାମର ଶହ ଶହ ଏକର ଚାଷଜମି ସ୍ଥାୟୀ ଭାବେ ଜଳମଗ୍ନତାରୁ ମୁକ୍ତ ହୋଇପାରିବ ବୋଲି ବିଧାୟକ ଦର୍ଶାଇଛନ୍ତି।ଆଲୋଚନା ବେଳେ ଶ୍ରୀ ମହାପାତ୍ର ମନ୍ତ୍ରୀଙ୍କୁ ଅନୁରୋଧ କରି କହିଥିଲେ ଯେ, କୃଷକ ହେଉଛନ୍ତି ଆମ ଅର୍ଥନୀତି ଓ ସମାଜର ମେରୁଦଣ୍ଡ। ତେଣୁ ଚାଷୀକୂଳର ଏହି ପ୍ରାଥମିକ ଜୀବନ-ଜୀବିକା ସମସ୍ୟାକୁ କୌଣସି ପରିସ୍ଥିତିରେ ଅଣଦେଖା ନକରି ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ତୁରନ୍ତ ସ୍ୱତନ୍ତ୍ର ପାଣ୍ଠିରୁ ଆବଶ୍ୟକୀୟ ଆର୍ଥିକ ଅନୁଦାନ ମଞ୍ଜୁର କରୁ। ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ଚିହ୍ନଟ ହୋଇଥିବା ପ୍ରସ୍ତାବିତ କଲଭର୍ଟ ନିର୍ମାଣ ଏବଂ ଡ୍ରେନେଜ୍ ସଂସ୍କାର କାମ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଶେଷ କରାଗଲେ ଚଳିତ ବର୍ଷଠାରୁ ହିଁ କୃଷକମାନେ ଏହାର ପ୍ରତ୍ୟକ୍ଷ ସୁଫଳ ପାଇପାରିବେ। ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ବିଧାୟକଙ୍କ ଏହି ତୃଣମୂଳସ୍ତରୀୟ, ଗଠନମୂଳକ ତଥା ତଥ୍ୟ ସମ୍ବଳିତ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ପାଟକୁରାର ଚାଷୀମାନଙ୍କର ଏହି ଚିରନ୍ତନ ସମସ୍ୟା ପ୍ରତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହାନୁଭୂତିଶୀଳ ବୋଲି ସେ ପ୍ରକାଶ କରିଥିଲେ। ବିଧାୟକଙ୍କ ଦ୍ୱାରା ଦିଆଯାଇଥିବା ବ୍ଲୁ-ପ୍ରିଣ୍ଟକୁ ଆଧାର କରି ତୁରନ୍ତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ, ଯନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନ ସହ ଉଚ୍ଚସ୍ତରୀୟ ସମୀକ୍ଷା କରାଯିବ ଏବଂ କଲଭର୍ଟ ନିର୍ମାଣ ତଥା ଡ୍ରେନେଜ୍ ପୁନରୁଦ୍ଧାର ପାଇଁ ଆବଶ୍ୟକୀୟ ଅର୍ଥ ବରାଦ ସହ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ମନ୍ତ୍ରୀ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।

ବିଧାୟକ ଶ୍ରୀ ମହାପାତ୍ରଙ୍କ ଏହି ସମୟୋପଯୋଗୀ ଓ କାର୍ଯ୍ୟକ୍ଷମ ପଦକ୍ଷେପ ପାଇଁ ସ୍ଥାନୀୟ ଅଞ୍ଚଳର ଚାଷୀ ମହଲ, ପଞ୍ଚାୟତ ପ୍ରତିନିଧି ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ବିପୁଳ ଉତ୍ସାହ ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande