ଦୁଇ ଦିନ ଧରି ନିଖୋଜ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର
Missing youth dead body found
ଦୁଇ ଦିନ ଧରି ନିଖୋଜ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର


ଝାରସୁଗୁଡ଼ା, ୧୨ ନଭେମ୍ବର (ହି.ସ.)- ଦୁଇ ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ହୋଇଛି। ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ଶ୍ରୀପୁରା ଗ୍ରାମର ସୁମନ୍ତ ସେଠ (୪୪)ଙ୍କ ମୃତଦେହ ଗୁରୁବାର ଗନ୍ଧୁଆକଣ୍ଟା ପୋଖରୀରେ ଭାସୁଥିବା ଅବସ୍ଥାରେ ଠାବ ହୋଇଥିଲା। ପୋଖରୀରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି।

ସୂଚନା ଅନୁଯାୟୀ, ସୁମନ୍ତ ଗତ ଦୁଇ ଦିନ ହେବ ନିଖୋଜ ଥିଲେ। ପରିବାରବର୍ଗ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ତେବେ ଗୁରୁବାର ଗନ୍ଧୁଆକଣ୍ଟା ପୋଖରୀରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପରିବାରବର୍ଗ ଓ ବଡ଼ମାଳ ଥାନାକୁ ଖବର ଦେଇଥିଲେ। ଖବର ପାଇ ବଡ଼ମାଳ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲେ। ପରେ ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବା ସହ ଶ୍ରୀପୁରା ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି। ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande