
କେନ୍ଦ୍ରାପଡ଼ା, ୧୨ ନଭେମ୍ବର (ହି.ସ.)- ସରକାରୀ ଅର୍ଥ ହେରଫେର ଅଭିଯୋଗକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏଚ.ଆର.ଏମ.ଏସ. ପୋର୍ଟାଲରେ ମିଥ୍ୟା ବିଲ୍ ପ୍ରସ୍ତୁତ କରି ୩ କୋଟି ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହେରଫେର କରି ନିଜ ଭାଇ, ବାପା, ପତ୍ନୀ, ଶାଳୀଙ୍କ ଆକାଉଣ୍ଟକୁ ପଠାଇଥିବା ଅଭିଯୋଗରେ ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ ଶଶିକାନ୍ତ ରାଣାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଗତ ଅକ୍ଟୋବର ୧୬ ତାରିଖରୁ ଫେରାର ଥିବା ଶଶୀକାନ୍ତ ବମ୍ବେ ପ୍ରଭୃତି ବିଭିନ୍ନ ସହରରେ ଲୁଚି ରହିବା ପରେ ଅନୁଗୋଳରେ ଥିବାବେଳେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଡିଜିଟାଲ ଟ୍ରାକିଂ ମାଧ୍ୟମରେ ତାଙ୍କୁ ଅନୁଗୋଳରୁ ଠାବ କରି ଗିରଫ କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଡେରାବିଶ ଓ ରାଜକନିକା ବ୍ଲକରେ ୩ କୋଟି ୩ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ପାଣ୍ଠିର ଅପବ୍ୟବହାର ହୋଇଥିବା ଅଭିଯୋଗ ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ଏଚ.ଆର.ଏମ.ଏସ. ପୋର୍ଟାଲରେ ମିଥ୍ୟା ବିଲ୍ ପ୍ରସ୍ତୁତ କରାଯାଇ ସରକାରୀ ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ବ୍ଲକର ପାଇନାନ୍ସ ଅଫିସର ତଦନ୍ତ କରିବା ପରେ ମାମଲା ଭିଜିଲାନ୍ସକୁ ଦିଆଯାଇଥିଲା । ଡେରାବିଶ ବ୍ଲକରୁ ୨୦୨୫ ଜାନୁଆରୀ ୭ ତାରିଖରୁ ୨୦୨୫ ଅକ୍ଟୋବର ୧୩ ତାରିଖ ମଧ୍ୟରେ ୧ କୋଟି ୫୬ ଲକ୍ଷ ୯୭ ହଜାର ୭୨୫ ଟଙ୍କା ଓ ରାଜକନିକା ବ୍ଲକରୁ ୨୦୨୩ ଅଗଷ୍ଟ ୩୦ ରୁ ୨୦୨୪ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ୧ କୋଟି ୪୬ ଲକ୍ଷ ୬୮ ହଜାର ୧୧୮ ଟଙ୍କା ଏଚ.ଆର.ଏମ.ଏସ. ପୋର୍ଟାଲ ମାଧ୍ୟମରେ ହଡପ କରାଯାଇ ନିଜ ଆକାଉଣ୍ଟ ଓ ନିଜ ସର୍ମ୍ପକୀୟଙ୍କ ଆକାଉଣ୍ଟକୁ ପଠା ଯାଇଥିବା ସ୍ପଷ୍ଟ ହେବାପରେ ଭିଜିଲାନ୍ସର ପ୍ରାଥମିକ ତଦନ୍ତ ଅନୁସାରେ, ଶଶିକାନ୍ତ ରାଣା ଦୁଇଟି ପୃଥକ କ୍ଷେତ୍ରରେ ସରକାରୀ ପାଣ୍ଠିର ଅପବ୍ୟବହାର କରିଥିବା ସନ୍ଦେହ କରାଯାଇଛି। ଏହି ଆର୍ଥିକ ଅନିୟମିତତା ସମ୍ପର୍କରେ ଜଣାପଡ଼ିବା ପରେ ସମ୍ପୃକ୍ତ ଅଧିକାରୀ ଦୀର୍ଘଦିନ ଧରି ଫେରାର ଥିବା କୁହାଯାଉଛି। ଭିଜିଲାନ୍ସ କଟକ ମାମଲା ନଂ- ୪୨ ଓ ୪୩ ତା-୧୦.୧୧.୨୦୨୬ ଆଧାରରେ ଟ/ଝ ଦଫା ନଂ- ୧୩(୨) ଜ/ଡ, ୧୩(୧) (ଇ) ଭାରତୀୟ ନ୍ୟାୟ ସଙ୍ଗୀତାର ୨୦୧୮/୩୧୬(୫)/ ୩୧୮(୪)/ ୩୩୬(୩)/୩୪୪/୬୧(୨) ରେ ତାଙ୍କୁ ଠାବ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଉଦ୍ୟମ ଜାରି ରହିଥିଲା। ଶେଷରେ ଡିଜିଟାଲ ଟ୍ରାକିଂର ସହାୟତାରେ ଅନୁଗୋଳରୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ବଡ଼ ଧରଣର ଆର୍ଥିକ ଅନିୟମିତତା ପଛରେ ୨ ବ୍ଲକର ୩ ଜଣ ବିଡିଓଙ୍କ ଦସ୍ତଖତରେ ଟଙ୍କା ଉଠା ଯାଇଥିବା ତଦନ୍ତ ଅଧିକାରୀମାନେ ରିପୋର୍ଟ କରିଥିବା ଜଣାପଡିଛି । ସେମାନେ ହେଲେ ଡେରାବିଶ ବ୍ଲକର ବିଡିଓ ନମିତା ବାରିକ, ରାଜକନିକା ବ୍ଲକର ରବି ନାରାୟଣ ଆଚାର୍ଯ୍ୟ , ପୃଥିରାଜ ପରିଡା ବିଡିଓ ଥିବା ସମୟରେ ଦସ୍ତଖତ କରି ଟଙ୍କା ଉଠିଥିବା ଜଣାପଡିଛି । ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସରକାରୀ ଅର୍ଥ କେଉଁ କେଉଁ କ୍ଷେତ୍ରରେ ହେରଫେର ହୋଇଛି ଏବଂ ଏହି ଘଟଣାରେ ଅନ୍ୟ କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ଭୂମିକା ରହିଛି କି ନାହିଁ, ତାହା ଭିଜିଲାନ୍ସର ପରବର୍ତ୍ତୀ ତଦନ୍ତରୁ ସ୍ପଷ୍ଟ ହେବ। ଡେରାବିଶ ବ୍ଲକ ଭଳି ଏକ ସରକାରୀ କାର୍ଯ୍ୟାଳୟରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ହେରଫେର ଅଭିଯୋଗ ଏବେ ଜିଲ୍ଲାବ୍ୟାପୀ ଆଲୋଚନାର ବିଷୟ ପାଲଟିଥିବା ବେଳେ ଏହି ମାମଲାରେ ଭିଜିଲାନ୍ସର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।
ହିନ୍ଦୁସ୍ଥାନ ସମାଚାର / ରବି