


ବଲାଙ୍ଗିର, 12 ନଭେମ୍ବର (ହି.ସ.)
ଷ୍ଟାର୍ଟଅପ୍ ଓ ନବସୃଜନ କ୍ଷେତ୍ରରେ ଭାରତ ଆଜି ବିଶ୍ୱସ୍ତରରେ ଏକ ଅଗ୍ରଣୀ ସ୍ଥାନ ହାସଲ କରିଛି। ଏହି କ୍ଷେତ୍ରରେ ରହିଥିବା ଅପାର ସମ୍ଭାବନାର ଲାଭ ଉଠାଇ ଯୁବପିଢ଼ି କେବଳ ନିଯୁକ୍ତି ସନ୍ଧାନକାରୀ ନହୋଇ ନିଯୁକ୍ତି ସୃଷ୍ଟିକାରୀ ଉଦ୍ୟୋଗୀ ଭାବେ ନିଜକୁ ଗଢ଼ି ତୋଳିବା ଆବଶ୍ୟକ। ଏଥିସହ ନିଜ ଅଞ୍ଚଳରେ ଉଦ୍ୟୋଗ ପ୍ରତିଷ୍ଠା କରି ରୋଜଗାରର ନୂତନ ସୁଯୋଗ ସୃଷ୍ଟି କରିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ।
ବଲାଙ୍ଗୀର ଜିଲ୍ଲାର ଯୁବ ଉଦ୍ୟୋଗୀ, ନବସୃଜନକାରୀ, ଛାତ୍ରଛାତ୍ରୀ ଏବଂ ଷ୍ଟାର୍ଟଅପ୍ ପ୍ରତିଷ୍ଠା ପାଇଁ ଆଗ୍ରହୀ ଯୁବକଯୁବତୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ‘ତେଜସ୍’ (TEJAS – Transforming Entrepreneurial Journeys Across States & Districts)ର ଜିଲ୍ଲାସ୍ତରୀୟ ଆଉଟ୍ରିଚ୍ କାର୍ଯ୍ୟକ୍ରମରେ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମତବ୍ୟକ୍ତ କରିଥିଲେ।
ଉଦ୍ବୋଧନ ଦେଇ ମନ୍ତ୍ରୀ କହିଥିଲେ ଯେ, ୨୦୧୬ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଷ୍ଟାର୍ଟଅପ୍ ଇଣ୍ଡିଆ’ ଅଭିଯାନର ଶୁଭାରମ୍ଭ କରିବା ସମୟରେ ଦେଶରେ ହାତଗଣତି କେତୋଟି ଷ୍ଟାର୍ଟଅପ୍ ରହିଥିଲା। ମାତ୍ର ଆଜି ଭାରତ ଷ୍ଟାର୍ଟଅପ୍ ଓ ନବସୃଜନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଷ୍ଟାର୍ଟଅପ୍ ଆନ୍ଦୋଳନ ଆଉ କେବଳ ମହାନଗର ମଧ୍ୟରେ ସୀମିତ ନାହିଁ; ଏହା ଛୋଟ ସହର, ଗ୍ରାମାଞ୍ଚଳ ଓ ମହିଳା ଉଦ୍ୟୋଗୀଙ୍କ ନିକଟରେ ମଧ୍ୟ ପହଞ୍ଚିପାରିଛି। ଏହି ଅଭିବୃଦ୍ଧିରେ ଓଡ଼ିଶା ସମେତ ବଲାଙ୍ଗୀର ଜିଲ୍ଲା ମଧ୍ୟ ନିଜର ଭାଗୀଦାରି ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।
ବଲାଙ୍ଗୀର ଜିଲ୍ଲାରେ ଷ୍ଟାର୍ଟଅପ୍ ଓ ନବସୃଜନର ଏକ ସୁଦୃଢ଼ ପରିବେଶ ସୃଷ୍ଟି ପାଇଁ ସରକାର ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ପ୍ରକାଶ କରିଥିଲେ । ଏହି ଉଦ୍ଦେଶ୍ୟରେ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ଷ୍ଟାର୍ଟଅପ୍ ଇନ୍କ୍ୟୁବେସନ୍ କେନ୍ଦ୍ର ସ୍ଥାପନ କରାଯିବ । ଏହାଦ୍ୱାରା ଯୁବପିଢ଼ି ନିଜର ନୂତନ ଚିନ୍ତାଧାରାକୁ ବ୍ୟବସାୟିକ ରୂପ ଦେବା ସହ ନୂତନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆବଶ୍ୟକ ମାର୍ଗଦର୍ଶନ ଓ ସହଯୋଗ ପାଇପାରିବେ । ଏହା ବଲାଙ୍ଗୀରରେ ଉଦ୍ୟୋଗୀ ପରିବେଶକୁ ଅଧିକ ସୁଦୃଢ଼ କରିବା ସହ ଜିଲ୍ଲାର ଆର୍ଥିକ ଓ ସାମାଜିକ ବିକାଶକୁ ନୂତନ ଦିଗ ଦେବ ବୋଲି ସେ ଆଶାପ୍ରକାଶ କରିଥିଲେ ।
ପ୍ରକାଶଯୋଗ୍ୟ ଯେ, ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଆର୍ଥିକ ସହାୟତା, କର ରିହାତି, ସରଳ ପଞ୍ଜୀକରଣ ବ୍ୟବସ୍ଥା ଓ ବ୍ୟବସାୟିକ ପ୍ରକ୍ରିୟାର ସରଳୀକରଣ ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ୧୦ ହଜାର କୋଟି ଟଙ୍କାର ‘ଫଣ୍ଡ ଅଫ୍ ଫଣ୍ଡସ୍ ଫର୍ ଷ୍ଟାର୍ଟଅପ୍ସ’ ଯୋଜନା ନୂତନ ଉଦ୍ୟୋଗୀଙ୍କୁ ପୁଞ୍ଜି ଯୋଗାଣ କ୍ଷେତ୍ରରେ ସହାୟତା ପ୍ରଦାନ କରୁଛି।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର, ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ୍ ତଥା ପ୍ରିନ୍ସିପାଲ୍ ପ୍ରଫେସର (ଡଃ) ବରାରୁଚି ଦାସ, NRDCର ଡଃ ବିଜୟ କୁମାର ସାହୁ, ଜିଲ୍ଲା ଶିଳ୍ପକେନ୍ଦ୍ରର ଜେନେରାଲ ମ୍ୟାନେଜର ନୀରୋଜ ରଞ୍ଜନ ପାଣିଗ୍ରାହୀ ଏବଂ EYର ଶ୍ରୀ ଓମ୍କାରନାଥ ଏସ୍. ରଥ ଉପସ୍ଥିତ ଥିଲେ । Startup India, Startup Odisha ସହ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ଯୁବ ଉଦ୍ୟୋଗୀ, ନବସୃଜନକାରୀ ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ