
ଝାରସୁଗୁଡ଼ା, ୧୨ ନଭେମ୍ବର (ହି.ସ.)- ବଦଳି ଆଦେଶ ଜାରି ହୋଇସାରିଛି। ହେଲେ ଏଯାଏଁ ଦାୟିତ୍ଵରୁ ଅବ୍ୟାହତି ମିଳିନାହିଁ। ଏପରି ସ୍ଥିତିରେ ଲଇକେରା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ହିମାଂଶୁ ବାଗ ଶିକ୍ଷକମାନଙ୍କ ଡେପୁଟେସନ୍ ଆଦେଶ ଜାରି କରି ଚାଲିଥିବା ଘଟଣା ଜିଲ୍ଲାର ଶିକ୍ଷକ ମହଲରେ ଚର୍ଚ୍ଚା ଓ ଅସନ୍ତୋଷର କାରଣ ହୋଇଛି।
ବିଭିନ୍ନ କାରଣରୁ ଲଇକେରା ବିଇଓ ଦୀର୍ଘଦିନ ଧରି ବିବାଦ ଘେରରେ ରହିଆସିଛନ୍ତି। ତାଙ୍କ କାର୍ଯ୍ୟଶୈଳୀକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ଓ ବିରୋଧ ଦେଖାଦେବା ପରେ ଗତ ୬ ତାରିଖରେ ସରକାରଙ୍କ ପକ୍ଷରୁ ତାଙ୍କ ବଦଳି ଆଦେଶ ଜାରି ହୋଇଥିଲା। ଏହି ଆଦେଶ ଅନୁଯାୟୀ, ଶ୍ରୀ ବାଗଙ୍କୁ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ବିଇଓ ଭାବେ ବଦଳି କରାଯାଇଛି। ତେବେ ବଦଳି ଆଦେଶ ସତ୍ତ୍ୱେ ଜିଲ୍ଲା ଶିକ୍ଷା ବିଭାଗ ତାଙ୍କୁ ଲଇକେରାରୁ ରିଲିଭ୍ କରୁନଥିବା ନେଇ ଶିକ୍ଷକ ମହଲରୁ ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ବଦଳି ଆଦେଶ ଜାରି ହେବା ପରେ ମଧ୍ୟ ତାଙ୍କ ପକ୍ଷରୁ ଶିକ୍ଷକମାନଙ୍କ ଡେପୁଟେସନ୍ ଆଦେଶ ଜାରି ରହିଥିବା କୁହାଯାଉଛି। ଏହାକୁ ନେଇ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ବଦଳି ଆଦେଶ ପରେ ମଧ୍ୟ ଏଭଳି ଡେପୁଟେସନ୍ ନିର୍ଦ୍ଦେଶ ଜାରି ହେବାର ପଛରେ କ’ଣ କାରଣ ରହିଛି, ତାହାକୁ ନେଇ ଅନେକ ଶିକ୍ଷକ ନେତା ପ୍ରଶ୍ନ ଉଠାଇଛନ୍ତି। ଜିଲ୍ଲା ଶିକ୍ଷା ବିଭାଗ କେଉଁ ଆଧାରରେ ଏଭଳି ନିଷ୍ପତ୍ତିକୁ ଅନୁମତି ଦେଉଛି ଏବଂ ଏହା ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ କେଉଁ ପରମ୍ପରା ସୃଷ୍ଟି ହେଉଛି, ସେ ନେଇ ଶିକ୍ଷକ ମହଲରେ ଆଲୋଚନା ଜୋର୍ ଧରିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ