ମାର୍ଶାଘାଇରେ ୧୫ ଦିନ ହେଲା ବଧୂ ନିଖୋଜ
କେନ୍ଦ୍ରାପଡ଼ା, ୧୨ ନଭେମ୍ବର (ହି.ସ.)- ରାଜ୍ୟରେ ଦିନକୁ ଦିନ ବିଭିନ୍ନ ଅପରାଧିକ ମାମଲା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରୁ ଏକ ମର୍ମନ୍ତୁଦ ଓ ରହସ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଶାଶୁଘରୁ ଜଣେ ୩୬ ବର୍ଷୀୟା ବଧୂ ପ୍ରାୟ ୧୫ ଦିନ ହେଲା ରହସ୍ୟଜନକ ଭାବେ ନିଖୋଜ ଥିବ
ମାର୍ଶାଘାଇରେ ୧୫ ଦିନ ହେଲା ବଧୂ ନିଖୋଜ ଘଟଣା


କେନ୍ଦ୍ରାପଡ଼ା, ୧୨ ନଭେମ୍ବର (ହି.ସ.)- ରାଜ୍ୟରେ ଦିନକୁ ଦିନ ବିଭିନ୍ନ ଅପରାଧିକ ମାମଲା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରୁ ଏକ ମର୍ମନ୍ତୁଦ ଓ ରହସ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଶାଶୁଘରୁ ଜଣେ ୩୬ ବର୍ଷୀୟା ବଧୂ ପ୍ରାୟ ୧୫ ଦିନ ହେଲା ରହସ୍ୟଜନକ ଭାବେ ନିଖୋଜ ଥିବା ନେଇ ଅଭିଯୋଗ ହୋଇଛି। ତେବେ ପୋଲିସର ଦ୍ୱିଧାଗ୍ରସ୍ତ ଓ ଶିଥିଳ ତଦନ୍ତ ପ୍ରକ୍ରିୟା ଯୋଗୁଁ ନିଖୋଜ ମହିଳାଙ୍କ ପତ୍ତା ମିଳିପାରି ନଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ବାପଘର ପରିବାର ପକ୍ଷରୁ ସଙ୍ଗୀନ ଅଭିଯୋଗ ଅଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମାର୍ଶାଘାଇ ଥାନା ଅନ୍ତର୍ଗତ ଅଞ୍ଚଳର ୩୬ ବର୍ଷୀୟା ତୃପ୍ତିମୟୀ ବେହେରା । ପାଖାପାଖି ପ୍ରାୟ ୧୫ ଦିନ ହେବ ଶାଶୁଘରୁ ଲାପତା ଅଛନ୍ତି। ଘଟଣା ଦିନ ଶାଶୁଘରର ଦୁଇ ଜାଆ ରାତି ପାହିବା ପୂର୍ବରୁ ପ୍ରାୟ ଭୋର ୩ଟା ସମୟରେ ଗ୍ରାମର ଶିବ ମନ୍ଦିରକୁ ପୂଜା କରିବା ପାଇଁ ଯାଇଥିଲେ। ସେମାନେ ମନ୍ଦିରରୁ ଫେରିବା ପରେ ଘରେ ତୃପ୍ତିମୟୀଙ୍କୁ ନପାଇ ଏବଂ ତାଙ୍କ ଚପଲ ସେଠାରେ ନଥିବା ଦେଖି ଚାରିଆଡ଼େ ଖୋଜାଖୋଜି କରିଥିଲେ କିନ୍ତୁ କୌଣସି ସନ୍ଧାନ ପାଇ ନଥିଲେ। ଏହାପରେ ଶାଶୁଘର ଲୋକେ ଏକପାଖିଆ ଭାବେ ନିଖୋଜ ମହିଳାଙ୍କ ସାନ ଭାଇକୁ ଡାକି ମାର୍ଶାଘାଇ ଥାନାରେ କେବଳ ଏକ 'ହଜିଯାଇଥିବା' ନେଇ ଲିଖିତ ରିପୋର୍ଟ ଦେଇ କାମ ସାରିଦେଇଥିଲେ। ମାତ୍ର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଭୂତୁମୁଣ୍ଡାଇ ସ୍ଥିତ ବାପଘର ପକ୍ଷରୁ ଏବଂ ବୃଦ୍ଧା ମାଆ ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ମାର୍ଶାଘାଇ ଥାନା ଅଧିକାରୀ ପ୍ରାୟ ୧୨ ଦିନ ପର୍ଯ୍ୟନ୍ତ କୌଣସି ତଦନ୍ତ କିମ୍ବା ତନାଘନା ପ୍ରକ୍ରିୟା ଆରମ୍ଭ କରିନଥିଲେ ବୋଲି ଅଭିଯୋଗ ହୋଇଛି। ପୋଲିସର ଏପରି ନିଷ୍କ୍ରିୟତା ଓ ଉଦାସୀନତା ଦେଖି ବାଧ୍ୟ ହୋଇ ଭୂତୁମୁଣ୍ଡାଇ ଗ୍ରାମର ସରପଞ୍ଚ ଏବଂ ବହୁ ସଂଖ୍ୟାରେ ମହିଳା ମାନେ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏସପିଙ୍କୁ ଭେଟି ସମସ୍ତ ଘଟଣା ବର୍ଣ୍ଣନା କରିବା ସହ ନିଖୋଜ ଝିଅକୁ ଖୋଜି ବାହାର କରିବା ପାଇଁ ଗୁହାରି କରିଥିଲେ। ଲୋକଙ୍କ ଅଭିଯୋଗକୁ ଗ୍ରହଣ କରି ଜିଲ୍ଲା ଏସପି ତକ୍ଷାତ୍ ତତ୍ପରତା ପ୍ରକାଶ କରିବା ସହ ତତକ୍ଷଣାତ୍ ମାର୍ଶାଘାଇ ଆଇ.ଆଇ.ସି.ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରି ତୁରନ୍ତ ଘଟଣାର ପର୍ଦ୍ଦାଫାଶ ଏବଂ କଠୋର ତନାଘନା କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ନିଖୋଜ ତୃପ୍ତିମୟୀଙ୍କର ଏକ ୯ ବର୍ଷର କନ୍ୟା ସନ୍ତାନ ରହିଛି। ମା' ନିଖୋଜ ଥିବା ବେଳେ ଉକ୍ତ ନାବାଳିକା ଝିଅକୁ ମଧ୍ୟ ତା'ର ବାପଘରକୁ ହସ୍ତାନ୍ତର କରାଯାଇ ନାହିଁ।

ଅନ୍ୟପକ୍ଷରେ, ଝିଅକୁ କୌଣସି ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ଶାଶୁଘର ଲୋକେ ଏହାକୁ ନିଖୋଜର ରୂପ ଦେଇଥିବା ନେଇ ବାପଘର ପରିବାର ଓ ଗ୍ରାମବାସୀମାନେ ଦୃଢ଼ ସନ୍ଦେହ ପ୍ରକାଶ କରୁଛନ୍ତି। ବର୍ତ୍ତମାନ ପୋଲିସ ଏସପିଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇଥିବା ବେଳେ, ପ୍ରକୃତରେ ନିଖୋଜ ତୃପ୍ତିମୟୀ ବେହେରା କେଉଁ ପରିସ୍ଥିତିରେ ନିଖୋଜ ହେଲେ କିମ୍ବା ତାଙ୍କୁ ହତ୍ୟା କରାଯାଇଛି ତାହା ମାର୍ଶାଘାଇ ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଦେଖିବାକୁ ବାକି ରହିଲା ପୋଲିସ ନିଖୋଜ ତୃପ୍ତିମୟୀଙ୍କ ପାରିବାରକୁ କେବେ ନ୍ୟାୟ ଦେଉଛି। ସାଧାରଣରେ ଏହି ଘଟଣାକୁ ନେଇ ବେଶ୍ ଚାଞ୍ଚଲ୍ୟ ଖେଳିଯାଇଛି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande