
ଭୁବନେଶ୍ୱର, ୧୨ ନଭେମ୍ବର (ହି.ସ)- ଗଞ୍ଜାମ ଜିଲ୍ଲାରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା ଅସାଧାରଣ ବୃଷ୍ଟିପାତ ଯୋଗୁଁ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସମନ୍ୱିତ ଭାବେ ଉଦ୍ଧାର, ରିଲିଫ୍ ଓ ଥଇଥାନ କାର୍ଯ୍ୟ କରିଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଅକ୍ଟୋବର ୨୯ରେ ଗଞ୍ଜାମର ପାତ୍ରପୁରରେ ୫୪୬ ମିମି ବୃଷ୍ଟିପାତ ରେକର୍ଡ ହୋଇଥିଲା। ତିନି ଦିନରେ ପାତ୍ରପୁରରେ ମୋଟ ୮୦୮.୪ ମିମି ବର୍ଷା ହୋଇଥିଲା। ଏହା ଓଡ଼ିଶା ଇତିହାସର ଚତୁର୍ଥ ସର୍ବାଧିକ ବୃଷ୍ଟିପାତ। ଅତ୍ୟଧିକ ବର୍ଷା ଯୋଗୁଁ ଋଷିକୁଲ୍ୟା ନଦୀରେ ଆକସ୍ମିକ ବନ୍ୟା ସୃଷ୍ଟି ହୋଇଥିଲା।
ସୋରଡ଼ା ଡ୍ୟାମ୍ ରେ ଫାଟକ ବ୍ୟବସ୍ଥା ନଥିବାରୁ ସମସ୍ୟା ଉପୁଜିଥିବା ସେ ସ୍ୱୀକାର କରିବା ସହ ଏହାର ସମାଧାନ ପାଇଁ ପଦକ୍ଷେପ ଆରମ୍ଭ ହୋଇଥିବା କହିଥିଲେ। ବନ୍ୟାରେ ନୌସେନାର ହେଲିକପ୍ଟର ସହାୟତାରେ ଉଦ୍ଧାର ଓ ସ୍ଥାନାନ୍ତରଣ କରାଯାଇଥିଲା।
ପ୍ରଭାବିତ ପରିବାରଙ୍କୁ ୫୦ କେଜି ଚାଉଳ ଓ ୨୫୦୦ ଟଙ୍କା ସହାୟତା ସହ କ୍ଷୟକ୍ଷତି ଅନୁଯାୟୀ କ୍ଷତିପୂରଣ ଦିଆଯିବ। ଏହାର ସୁନିଶ୍ଚିତ ବଂଟନ ପାଇଁ ୪ ଜଣ ଆଇଏଏସ୍ ଅଧିକାରୀଙ୍କୁ ଅତିରିକ୍ତ ଏସ୍ଆରସି ଭାବେ ନିୟୋଜିତ କରାଯାଇଛି।
ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ସମସ୍ତ ରାଜନୈତିକ ଦଳ ବିପର୍ଯ୍ୟୟ ପରିଚାଳନା ନେଇ ସାମଗ୍ରିକ ଆଲୋଚନା କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଆଇଆଇଟି ଓ ଅନ୍ୟ ବୈଷୟିକ ସଂସ୍ଥାର ସହଯୋଗରେ ବନ୍ୟା ଓ ଭୂସ୍ଖଳନ ପ୍ରତିରୋଧୀ ଭିତିଭୂମି ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଥିବା ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା