
ଭୁବନେଶ୍ୱର, ୧୨ ନଭେମ୍ବର (ହି.ସ)- ରେଳପଥ ମାଧ୍ୟମରେ ପାର୍ସଲ୍ ପରିବହନକୁ ଅଧିକ ସୁରକ୍ଷିତ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପୂର୍ବ ତଟ ରେଳପଥ ଏହାର ତିନୋଟି ମଣ୍ଡଳ ଅନ୍ତର୍ଗତ ୧୦ଟି ପ୍ରମୁଖ ପାର୍ସଲ୍ କାର୍ଯ୍ୟାଳୟରେ ଆଧୁନିକ ପାର୍ସଲ୍ ସ୍କାନର ମେସିନ୍ ସ୍ଥାପନ କରି କାର୍ଯ୍ୟକ୍ଷମ କରିଛି। ଏଥିମଧ୍ୟରୁ ଖୋର୍ଦ୍ଧା ରୋଡ୍ ମଣ୍ଡଳର ୫ଟି ସ୍ଥାନ, ସମ୍ବଲପୁର ମଣ୍ଡଳର ୪ଟି ସ୍ଥାନ ଏବଂ ରାୟଗଡ଼ା ମଣ୍ଡଳର ଗୋଟିଏ ସ୍ଥାନରେ ଏହି ସ୍କାନିଂ ସୁବିଧା ଉପଲବ୍ଧ ହୋଇଛି।
ଖୋର୍ଦ୍ଧା ରୋଡ୍ ମଣ୍ଡଳ ଅନ୍ତର୍ଗତ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ରୋଡ୍, କଟକ ଓ ବ୍ରହ୍ମପୁର ଠାରେ ଏହି ପାର୍ସଲ୍ ସ୍କାନର ମେସିନ୍ କାର୍ଯ୍ୟକ୍ଷମ ହୋଇଛି। ସେହିପରି ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ସମ୍ବଲପୁର, ଟିଟିଲାଗଡ଼, ବଲାଙ୍ଗୀର ଓ କଣ୍ଟାବାଞ୍ଜି ଠାରେ ଏହି ସୁବିଧା ଆରମ୍ଭ ହୋଇଥିବାବେଳେ ରାୟଗଡ଼ା ମଣ୍ଡଳ ଅନ୍ତର୍ଗତ ରାୟଗଡ଼ା ଷ୍ଟେସନ ଠାରେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇଛି।ଏହାବ୍ୟତୀତ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ କେସିଙ୍ଗା ଓ ବରଗଡ଼ ରୋଡ୍ ଷ୍ଟେସନରେ ପାର୍ସଲ୍ ସ୍କାନର ମେସିନ୍ ସ୍ଥାପନ କାର୍ଯ୍ୟ ଜାରି ରହିଛି।
ଏହି ଆଧୁନିକ ପାର୍ସଲ୍ ସ୍କାନର ମେସିନ୍ ଗୁଡ଼ିକ ହେଉଛି ଉନ୍ନତ ସୁରକ୍ଷା ଯାଂଚ ବ୍ୟବସ୍ଥା, ଯାହା ଟ୍ରେନ୍ ରେ ଲୋଡ୍ କରିବା ପୂର୍ବରୁ ବୁକ୍ କରାଯାଇଥିବା ପାର୍ସଲ୍ ଓ ପ୍ୟାକେଟ୍ ଗୁଡ଼ିକର ଯାଂଚ କରିବାରେ ସହାୟକ ହେବ। ଏହା ମାଧ୍ୟମରେ ଜ୍ୱଳନଶୀଳ ଓ ଅଗ୍ନି ବିପଦ ସୃଷ୍ଟିକାରୀ ସାମଗ୍ରୀ, ବାଣ, ବିସ୍ଫୋରକ, ବିନା ଅନୁମତିରେ ପରିବହନ କରାଯାଉଥିବା ସାମଗ୍ରୀ ଏବଂ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ଚିହ୍ନଟ କରିବା ସମ୍ଭବ ହେବ। ଏହାଦ୍ୱାରା ରେଳପଥର ପାର୍ସଲ୍ ପରିବହନ ବ୍ୟବସ୍ଥାରେ ସୁରକ୍ଷା ଆହୁରି ସୁଦୃଢ଼ ହେବ।
ଏହି ସ୍କାନିଂ ସୁବିଧାର ପ୍ରଚଳନ ଦ୍ୱାରା ରେଳ ନେଟୱର୍କ ମାଧ୍ୟମରେ ବିପଜ୍ଜନକ ଓ ନିଷିଦ୍ଧ ସାମଗ୍ରୀ ପରିବହନକୁ ରୋକାଯାଇପାରିବ। ଏଥିସହ ବୁକ୍ ହୋଇଥିବା ପାର୍ସଲ୍ ଗୁଡ଼ିକର ଉପଯୁକ୍ତ ଯାଂଚ, ସୁରକ୍ଷା ଯାଂଚ ବ୍ୟବସ୍ଥାରେ ଉନ୍ନତି ଏବଂ ଅଧିକ ସୁରକ୍ଷିତ ପାର୍ସଲ୍ ପରିଚାଳନା ସୁନିଶ୍ଚିତ କରିବାରେ ଏହା ରେଳ କର୍ମଚାରୀମାନଙ୍କୁ ସହାୟତା କରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା