
ନୂଆଦିଲ୍ଲୀ, ୧୫ ନଭେମ୍ବର (ହି.ସ.)। ଦେଶର ସାର୍ବଜନୀନ ପ୍ରସାରଣ ସଂସ୍ଥା ‘ପ୍ରସାର ଭାରତୀ’ ଲେଖିକା, ପୁରସ୍କାରପ୍ରାପ୍ତ ପଟକଥା ଲେଖିକା ତଥା ସ୍ତମ୍ଭକାର ଅଦ୍ୱୈତା କାଲାଙ୍କୁ ଏହାର ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି। ମୂଳତଃ ଉତ୍ତରାଖଣ୍ଡର ପୌଡ଼ି ଗଢ଼ୱାଲ ଜିଲ୍ଲାର ସୁମାଡ଼ି ଗ୍ରାମର ବାସିନ୍ଦା ଅଦ୍ୱୈତା କାଲା ସାହିତ୍ୟ, ସିନେମା ଓ ସାମ୍ବାଦିକତା କ୍ଷେତ୍ରରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ବିଦ୍ୟା ବାଲାନ ଅଭିନୀତ ବହୁଚର୍ଚ୍ଚିତ ହିନ୍ଦୀ ଚଳଚ୍ଚିତ୍ର ‘କାହାନୀ’ର ପଟକଥା ଲେଖିବା ପାଇଁ କାଲା ମୁଖ୍ୟତଃ ପରିଚିତ। ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ‘ସ୍କ୍ରିନ୍ ଆୱାର୍ଡ’ ଏବଂ ‘ଜି ସିନେ ଆୱାର୍ଡ’ ସମେତ ଅନେକ ପ୍ରତିଷ୍ଠିତ ପୁରସ୍କାର ମିଳିଥିଲା। ଏହାବ୍ୟତୀତ, ତାଙ୍କ ଉପନ୍ୟାସ ‘ଅଲମୋଷ୍ଟ ସିଙ୍ଗଲ୍’ ଏକ ସର୍ବାଧିକ ବିକ୍ରି ହୋଇଥିବା ପୁସ୍ତକ ଭାବେ ପରିଚିତି ହାସଲ କରିଛି। ଏହା ଆମେରିକା ଓ ଫ୍ରାନ୍ସ ଭଳି ଦେଶରେ ମଧ୍ୟ ପ୍ରକାଶିତ ହୋଇଛି।
ସାହିତ୍ୟ ଓ ସିନେମା ସହିତ ସେ ଜଣେ ସକ୍ରିୟ ସ୍ତମ୍ଭକାର ଏବଂ ରାଜନୈତିକ-ସାମାଜିକ ବିଶ୍ଳେଷକ ମଧ୍ୟ। ବିଭିନ୍ନ ଜାତୀୟ ସମ୍ବାଦପତ୍ର ଓ ଟେଲିଭିଜନ ମଞ୍ଚ ମାଧ୍ୟମରେ ସେ ନିୟମିତ ଭାବେ ସମସାମୟିକ ପ୍ରସଙ୍ଗ ଉପରେ ନିଜର ମତାମତ ରଖିଆସୁଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ସଫଳତା ହାସଲ କରିବା ସତ୍ତ୍ୱେ ଅଦ୍ୱୈତା କାଲାଙ୍କର ନିଜ ଜନ୍ମମାଟି ସହ ଗଭୀର ସମ୍ପର୍କ ରହିଛି।
କୋଭିଡ୍-୧୯ ବିଶ୍ୱ ମହାମାରୀ ସମୟରେ ସେ ‘ପ୍ରୋଜେକ୍ଟ ଭୁଲି’ ନାମକ ପଦକ୍ଷେପ ମାଧ୍ୟମରେ ପୌଡ଼ି ଗଢ଼ୱାଲର ବିଭିନ୍ନ ଗ୍ରାମ ଓ ସ୍ଥାନୀୟ ସମୁଦାୟଙ୍କ ନିକଟରେ ରିଲିଫ୍ ଓ ସହାୟତା ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।
ପ୍ରସାର ଭାରତୀରେ ତାଙ୍କର ଏହି ନିଯୁକ୍ତିକୁ ସାହିତ୍ୟ, ସିନେମା, ସାମ୍ବାଦିକତା ଓ ଜନସଂଚାର କ୍ଷେତ୍ରରେ ତାଙ୍କର ବ୍ୟାପକ ଅଭିଜ୍ଞତାର ଉପଯୋଗ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା