ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ନେତୃତ୍ୱ ଉପରେ ପାଞ୍ଚଟି ଜାତୀୟ କର୍ମଶାଳା ଆୟୋଜନ କରିବ ନୀତି ଆୟୋଗ
ନଭେମ୍ବର ୨୦୨୬ରୁ ଅକ୍ଟୋବର ୨୦୨୭ ପର୍ଯ୍ୟନ୍ତ ଚାଲିବ କର୍ମଶାଳା ଶୃଙ୍ଖଳା, ୧୭ ନଭେମ୍ବରରେ ଭାରତ ମଣ୍ଡପମ୍ରେ ପ୍ରଥମ କର୍ମଶାଳା ନୂଆଦିଲ୍ଲୀ, ୧୫ ନଭେମ୍ବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନ ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିବା ଅବସରରେ ନୀତି ଆୟୋଗ ପକ୍ଷରୁ ପାଞ୍ଚଟି ଜାତୀୟ କର୍ମଶାଳାର
नीति आयोग


ନଭେମ୍ବର ୨୦୨୬ରୁ ଅକ୍ଟୋବର ୨୦୨୭ ପର୍ଯ୍ୟନ୍ତ ଚାଲିବ କର୍ମଶାଳା ଶୃଙ୍ଖଳା, ୧୭ ନଭେମ୍ବରରେ ଭାରତ ମଣ୍ଡପମ୍ରେ ପ୍ରଥମ କର୍ମଶାଳା

ନୂଆଦିଲ୍ଲୀ, ୧୫ ନଭେମ୍ବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନ ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିବା ଅବସରରେ ନୀତି ଆୟୋଗ ପକ୍ଷରୁ ପାଞ୍ଚଟି ଜାତୀୟ କର୍ମଶାଳାର ଏକ ଶୃଙ୍ଖଳା ଆୟୋଜନ କରାଯିବ। ନଭେମ୍ବର ୨୦୨୬ରୁ ସେପ୍ଟେମ୍ବର ୨୦୨୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶୃଙ୍ଖଳାରେ ନେତୃତ୍ୱ, ସୁଶାସନ, ସମାବେଶୀ ବିକାଶ, ସଭ୍ୟତାଗତ ପରିଚୟ ଏବଂ ବିଶ୍ୱସ୍ତରରେ ଭାରତର ଭୂମିକା ସମ୍ପର୍କିତ ଅନୁଭୂତି ଓ ଉପଲବ୍ଧି ଉପରେ ଆଲୋଚନା ହେବ। ପ୍ରଥମ କର୍ମଶାଳା ନଭେମ୍ବର ୧୭ ତାରିଖରେ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ରେ ଆୟୋଜିତ ହେବ।

ନୀତି ଆୟୋଗ ପକ୍ଷରୁ ଆୟୋଜିତ ଏହି କର୍ମଶାଳା ଶୃଙ୍ଖଳାର ଉଦ୍ଦେଶ୍ୟ ହେଉଛି ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ନିଆଯାଇଥିବା ପ୍ରମୁଖ ନିଷ୍ପତ୍ତି ଏବଂ ଏହାର ପରିଣାମଗୁଡ଼ିକର ଅଧ୍ୟୟନ କରିବା। ଏହି ଯାତ୍ରା ସହ ଜଡ଼ିତ ଅଧିକାରୀ, ସଂସ୍ଥା ଏବଂ ନାଗରିକମାନଙ୍କ ପ୍ରତ୍ୟକ୍ଷ ଅନୁଭୂତିକୁ ମଧ୍ୟ ଲିପିବଦ୍ଧ କରାଯିବ। ଏହି ଅନୁଭୂତିଗୁଡ଼ିକୁ ଅଧ୍ୟୟନ ସାମଗ୍ରୀ, ଗବେଷଣା ପତ୍ର ଏବଂ କେସ୍ ଷ୍ଟଡି ଭାବେ ବିକଶିତ କରାଯିବ। ଏହାଦ୍ୱାରା ସିଭିଲ୍ ସେବା ଅଧିକାରୀ, ପ୍ରଶିକ୍ଷଣ ସଂସ୍ଥା, ବିଶ୍ୱବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀମାନେ ଏଥିରୁ ଶିକ୍ଷା ଲାଭ କରିପାରିବେ।

ଏହି କର୍ମଶାଳାଗୁଡ଼ିକରେ ପାଞ୍ଚଟି ପ୍ରମୁଖ ବିଷୟ ଉପରେ ଆଲୋଚନା ହେବ। ପ୍ରଥମ କର୍ମଶାଳା ନଭେମ୍ବର ୨୦୨୬ରେ ‘ଏକ ମିଶନ ଭାବେ ନେତୃତ୍ୱ’ ବିଷୟ ଉପରେ ଆୟୋଜିତ ହେବ। ଏହାପରେ ଜାନୁଆରୀ ୨୦୨୭ରେ ‘ଫଳାଫଳ ପ୍ରଦାନକାରୀ ସୁଶାସନ’, ଏପ୍ରିଲ ୨୦୨୭ରେ ‘ସମାବେଶୀ ବିକାଶ’, ଜୁଲାଇ ୨୦୨୭ରେ ‘ସଭ୍ୟତାଗତ ପରିଚୟ’ ଏବଂ ସେପ୍ଟେମ୍ବର ୨୦୨୭ରେ ‘ବିଶ୍ୱଶକ୍ତି ଭାବେ ଭାରତ’ ବିଷୟ ଉପରେ କର୍ମଶାଳା ଆୟୋଜନ କରାଯିବ।

ପ୍ରଥମ କର୍ମଶାଳାରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁରାଗ ଜୈନ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିବେ। ଆୟୋଗର ଉପାଧ୍ୟକ୍ଷ ଅଶୋକ କୁମାର ଲାହିରୀ ପ୍ରାରମ୍ଭିକ ଅଭିଭାଷଣ ଦେବେ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ. ମିଶ୍ର ଉଦ୍ଘାଟନୀ ଭାଷଣ ଦେବେ। ସେହିପରି କୋଟକ୍ ମହିନ୍ଦ୍ରା ବ୍ୟାଙ୍କର ପ୍ରତିଷ୍ଠାତା ଉଦୟ କୋଟକ୍ ମୁଖ୍ୟ ବକ୍ତବ୍ୟ ରଖିବେ। ନୀତି ଆୟୋଗର ସଦସ୍ୟ ଡ. ଆର୍. ବାଲାସୁବ୍ରମଣ୍ୟମ କର୍ମଶାଳାର ରୂପରେଖ ଉପସ୍ଥାପନ କରିବେ।

କର୍ମଶାଳାରେ ଚାରିଟି ଗୁରୁତ୍ୱପୂର୍ଣ୍ଣ ଅନୁଭୂତି ଉପରେ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯିବ। ଗୁଜରାଟ ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ ରାଜୀବ ଟୋପ୍ନୋ ୨୦୦୧ ମସିହାର ଭୂମିକମ୍ପ ପରେ କଚ୍ଛର ପୁନର୍ନିର୍ମାଣ ସମ୍ପର୍କିତ ଅନୁଭୂତି ବାଣ୍ଟିବେ। ପୂର୍ବତନ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ତଥା ସଂଘ ଲୋକସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷା ପ୍ରୀତି ସୁଦନ କୋଭିଡ୍-୧୯ ମହାମାରୀ ସମୟରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ନିଜର ମତ ରଖିବେ। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ପୂର୍ବତନ ସଚିବ ଶୈଳେଶ କୁମାର ସିଂହ ‘ଲଖପତି ଦିଦି’ ଯୋଜନା ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ପୂର୍ବତନ ଅଧ୍ୟକ୍ଷ ଡ. ଏସ୍. ସୋମନାଥ ମହାକାଶ କ୍ଷେତ୍ରକୁ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ପାଇଁ ଉନ୍ମୁକ୍ତ କରିବା ସମ୍ପର୍କିତ ଅନୁଭୂତି ବାଣ୍ଟିବେ।

‘ବିକଶିତ ଭାରତ ପାଇଁ ନେତୃତ୍ୱ’ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର ମଧ୍ୟ ଆୟୋଜିତ ହେବ। ନୀତି ଆୟୋଗର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବି.ଭି.ଆର୍. ସୁବ୍ରମଣ୍ୟମ ଏହାର ସଂଚାଳନ କରିବେ। ଏଥିରେ ଉତ୍ତରପ୍ରଦେଶର ନଗର ବିକାଶ ଓ ଶକ୍ତି ମନ୍ତ୍ରୀ ଅରବିନ୍ଦ କୁମାର ଶର୍ମା, ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ୍), ଅହମ୍ମଦାବାଦର ପ୍ରଫେସର ବିଶାଳ ଗୁପ୍ତା, ନୀତି ଆୟୋଗର ବିଶିଷ୍ଟ ଫେଲୋ ଦେବଜାନୀ ଘୋଷ ଏବଂ ହରଦୋଇର ଯୁଗ୍ମ ମାଜିଷ୍ଟ୍ରେଟ୍ ନାରାୟଣୀ ଭାଟିଆ ଅଂଶଗ୍ରହଣ କରିବେ।

କ୍ୟାବିନେଟ୍ ସଚିବ ଡ. ଟି.ଭି. ସୋମନାଥନ୍ କର୍ମଶାଳାର ଉଦ୍ଯାପନ କରିବେ। ଏହି ଅବସରରେ ସେ ଆଇଜିଓଟି କର୍ମଯୋଗୀ ମଞ୍ଚରେ ‘କର୍ମଯୋଗୀ ସଂକଳ୍ପ’ର ଶୁଭାରମ୍ଭ କରିବେ। ଏହା ଅଧୀନରେ ଦେଶବ୍ୟାପୀ ସରକାରୀ ଅଧିକାରୀମାନେ ନିଜ ନିଜର ନେତୃତ୍ୱ ଶୈଳୀରେ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଆଣିବାକୁ ସଂକଳ୍ପ ନେବେ।

ଏହି କର୍ମଶାଳାରେ ପ୍ରାୟ ୯୦୦ ଜଣ ଅଂଶଗ୍ରହଣକାରୀ ଯୋଗଦେବାର ଆଶା ରହିଛି। ସେମାନଙ୍କ ମଧ୍ୟରୁ ୨୫୦ ଜଣ ସିଧାସଳଖ ବିଚାରବିମର୍ଶରେ ଭାଗ ନେବେ। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୫୦ ଜଣ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନେ ସାମିଲ ହେବେ। ଏହା ବ୍ୟତୀତ ପ୍ରମୁଖ ଶିକ୍ଷାନୁଷ୍ଠାନର ୨୫ ଜଣ ଛାତ୍ରଛାତ୍ରୀ ଏବଂ ପ୍ରମୁଖ ସରକାରୀ ଯୋଜନାର ୫୦ ଜଣ ସାମୁଦାୟିକ ସହଯୋଗୀ ଓ ହିତାଧିକାରୀ ମଧ୍ୟ ଏଥିରେ ଯୋଗଦେବେ। କର୍ମଶାଳାର ସମସ୍ତ କାର୍ଯ୍ୟକ୍ରମ ଆଇଜିଓଟି କର୍ମଯୋଗୀ ମଞ୍ଚରେ ପ୍ରସାରଣ କରାଯିବ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande