ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ନେତାମାନେ ଦେଶବାସୀଙ୍କୁ ଜଣାଇଲେ ‘ଜନଜାତିୟ ଗୌରବ ଦିବସ’ର ଶୁଭେଚ୍ଛା
ନୂଆଦିଲ୍ଲୀ, ୧୫ ନଭେମ୍ବର (ହି.ସ.)। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ନେତା ରବିବାର ‘ଧରତୀ ଆବା’ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ‘ଜନଜାତିୟ ଗୌରବ ଦିବସ’ର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତ
प्रतीकात्मक


ନୂଆଦିଲ୍ଲୀ, ୧୫ ନଭେମ୍ବର (ହି.ସ.)। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ନେତା ରବିବାର ‘ଧରତୀ ଆବା’ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ‘ଜନଜାତିୟ ଗୌରବ ଦିବସ’ର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

ରାଷ୍ଟ୍ରପତି ମୁର୍ମୁ ଏକ୍ସରେ ଲେଖିଛନ୍ତି, “ଏହି ଦିନ ଆମର ସମୃଦ୍ଧ ଜନଜାତିୟ ଐତିହ୍ୟ ଏବଂ ରାଷ୍ଟ୍ର ପ୍ରତି ଜନଜାତି ସମୁଦାୟର ଐତିହାସିକ ଅବଦାନକୁ ସ୍ମରଣ କରିବାର ଏକ ସୁଯୋଗ। ମୋର ଆଶା, ସମସ୍ତ ଦେଶବାସୀ ସମାବେଶୀ ବିକାଶର ପଥରେ ଆଗକୁ ବଢ଼ିବା ସହ ଆମର ଏହି ଅମୂଲ୍ୟ ଐତିହ୍ୟକୁ ସଂରକ୍ଷିତ କରି ରଖିବେ।”

ଉପରାଷ୍ଟ୍ରପତି କହିଛନ୍ତି ଯେ ବିର୍ସା ମୁଣ୍ଡା ବ୍ରିଟିଶ ଶାସନ ବିରୋଧରେ ଆଦିବାସୀ ସମୁଦାୟର ନେତୃତ୍ୱ ନେଇଥିଲେ ଏବଂ ସେମାନଙ୍କ ଅଧିକାର, ସମ୍ମାନ ଓ ପରିଚୟ ପାଇଁ ସଂଘର୍ଷ କରିଥିଲେ। ତାଙ୍କର ‘ଉଲଗୁଲାନ’ (ବିଦ୍ରୋହ) ଆହ୍ୱାନ ସ୍ୱାଧୀନତା ଓ ନ୍ୟାୟର ଲଢ଼େଇକୁ ଏକ ଶକ୍ତିଶାଳୀ ସ୍ୱର ଦେଇଥିଲା। ଏହି ଦିନ ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ରାଷ୍ଟ୍ର ନିର୍ମାଣରେ ଆଦିବାସୀ ସମୁଦାୟର ଅମୂଲ୍ୟ ଅବଦାନକୁ ସ୍ମରଣ କରାଯାଏ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ‘ଧରତୀ ଆବା’ଙ୍କ ଅଦମ୍ୟ ସାହସ, ସଂଘର୍ଷ ଓ ବଳିଦାନ ଦେଶର ପ୍ରତ୍ୟେକ ପିଢ଼ିକୁ ଆତ୍ମସମ୍ମାନ, ସ୍ୱାଧୀନତା ଏବଂ ଅଧିକାରର ସୁରକ୍ଷା ପାଇଁ ପ୍ରେରଣା ଦେଇ ଚାଲିବ। ତାଙ୍କଠାରୁ ପ୍ରେରଣା ନେଇ ବିଜେପି ସରକାର ଜନଜାତି ଭାଇଭଉଣୀଙ୍କ ପାଇଁ ସମ୍ମାନ, ସୁଯୋଗ ଓ ସମୃଦ୍ଧି ସୁନିଶ୍ଚିତ କରିବାରେ କୌଣସି ଅବହେଳା କରୁନାହିଁ।

ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ ବିର୍ସା ମୁଣ୍ଡାଙ୍କ ଜୀବନ ତ୍ୟାଗ, ତପସ୍ୟା, ସଂଘର୍ଷ ଓ ଜନସେବାର ଏକ ପ୍ରେରଣାଦାୟକ ଗାଥା। ଏହା ଆଗାମୀ ପିଢ଼ି ପାଇଁ ଦେଶଭକ୍ତି, ସାମାଜିକ ସଦ୍ଭାବ ଓ ନ୍ୟାୟର ମୂଲ୍ୟବୋଧକୁ ସର୍ବଦା ଉଜ୍ଜ୍ୱଳ କରି ରଖିବ। ବିର୍ସା ମୁଣ୍ଡାଙ୍କ ଅତୁଳନୀୟ ଅବଦାନ ଭାରତୀୟ ଇତିହାସର ଏକ ଅମୂଲ୍ୟ ସମ୍ପଦ। ତାଙ୍କର ଆଦର୍ଶ ସମସ୍ତଙ୍କୁ ଆଦିବାସୀ ସମାଜର ମର୍ଯ୍ୟାଦା, ଅଧିକାର ଓ ସର୍ବାଙ୍ଗୀଣ ବିକାଶ ପ୍ରତି ପ୍ରତିବଦ୍ଧ ରହିବାକୁ ପ୍ରେରଣା ଦେଇଚାଲିବ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ବିର୍ସା ମୁଣ୍ଡାଙ୍କ ଜୀବ ଓ ଆଦର୍ଶ ଆଗାମୀ ପିଢ଼ିକୁ ଅନ୍ୟାୟ ବିରୋଧରେ ଠିଆ ହେବା, ନିଜ ସଂସ୍କୃତି ପାଇଁ ଗର୍ବ କରିବା ଏବଂ ରାଷ୍ଟ୍ର ପ୍ରତି ନିଜର କର୍ତ୍ତବ୍ୟ ପାଳନ କରିବାକୁ ସର୍ବଦା ପ୍ରେରଣା ଦେଇଚାଲିବ।

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଭଗବାନ ବିର୍ସା ମୁଣ୍ଡା ଜନଜାତି ସମୁଦାୟ ମଧ୍ୟରେ ଆତ୍ମସମ୍ମାନ ଓ ସଚେତନତାର ସଞ୍ଚାର କରିଥିଲେ। ଏଥିସହ ନିଜ ସଂସ୍କୃତି ଓ ମାତୃଭୂମିର ସୁରକ୍ଷା ପାଇଁ ‘ଉଲଗୁଲାନ ଆନ୍ଦୋଳନ’ ମାଧ୍ୟମରେ ସେ ବ୍ରିଟିଶ ଶାସନ ବିରୋଧରେ ବିପ୍ଳବର ଆହ୍ୱାନ ଦେଇଥିଲେ। ତାଙ୍କ ଜୀବନ ଆମକୁ ରାଷ୍ଟ୍ରର କଲ୍ୟାଣ ପାଇଁ ଏକଜୁଟ ହେବା ସହ ତ୍ୟାଗ ଓ ସମର୍ପଣର ଭାବନା ଆପଣାଇବାକୁ ନିରନ୍ତର ପ୍ରେରଣା ଯୋଗାଇଥାଏ।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ରାଷ୍ଟ୍ରର ମହାନ ସନ୍ତାନ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନ ବୀରତ୍ୱ ଓ ସାହସର ପ୍ରତୀକ। ନିଜର କାର୍ଯ୍ୟ ଓ ଦୂରଦୃଷ୍ଟି ମାଧ୍ୟମରେ ସେ ସମାଜକୁ ଏକ ନୂତନ ଦିଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande