
ଇସଲାମାବାଦ (ପାକିସ୍ତାନ), ୧୫ ନଭେମ୍ବର (ହି.ସ.)। ପାକିସ୍ତାନର ଅଶାନ୍ତ ପ୍ରଦେଶ ବଲୁଚିସ୍ତାନ ଏବଂ ଖାଇବର ପଖତୁନଖ୍ୱାର ଉତ୍ତର ୱଜିରିସ୍ତାନରେ ଗୁଇନ୍ଦା ସୂଚନା ଆଧାରରେ ଚଳାଯାଇଥିବା ସାମରିକ ଅଭିଯାନରେ ଜଣେ ମେଜରଙ୍କ ସମେତ ୪ ଜଣ ସୈନିକ ସହିଦ ହୋଇଛନ୍ତି। ଅନ୍ୟପକ୍ଷରେ ୨୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପାକିସ୍ତାନ ସଶସ୍ତ୍ର ବାହିନୀର ଏକୀକୃତ ଗଣମାଧ୍ୟମ ଓ ଜନସମ୍ପର୍କ ଶାଖା ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସପିଆର) ଶନିବାର ଜାରି ଏକ ବିବୃତିରେ ଏହି ସୂଚନା ଦେଇଛି।
‘ଡନ୍’ ଖବରକାଗଜର ରିପୋର୍ଟ ଅନୁଯାୟୀ, ବିବୃତିରେ କୁହାଯାଇଛି ଯେ, ନଭେମ୍ବର ୧୩ରୁ ସଶସ୍ତ୍ର ବାହିନୀ ‘କୋଲପୁର, କରଦାଗାପ ଏବଂ ନୁଶ୍କି ଆଖପାଖ ଅଞ୍ଚଳରେ’ ଅଭିଯାନ ଆରମ୍ଭ କରିଥିଲା। କ୍ୱେଟା-ତାଫ୍ତାନ ଜାତୀୟ ରାଜପଥ-୪୦ରେ ପାଟ୍ରୋଲିଂ ବଢ଼ାଯାଇଥିଲା। ନଭେମ୍ବର ୧୩-୧୪ ତାରିଖ ରାତିରେ କୋଲପୁରଠାରେ ସୁରକ୍ଷା ବାହିନୀ ୮ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ସେମାନଙ୍କ ମଧ୍ୟରେ ଜଣେ ଆତ୍ମଘାତୀ ଆକ୍ରମଣକାରୀ ମଧ୍ୟ ଥିଲା। ସୁରକ୍ଷା ବାହିନୀ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ମଧ୍ୟ ଜବତ କରିଥିଲା। ଏହାପରେ ନଭେମ୍ବର ୧୪ରେ ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ସଜ୍ଜିତ କ୍ୱାଡକପ୍ଟର (ଡ୍ରୋନ୍) ଜରିଆରେ ପାଟ୍ରୋଲିଂ କରୁଥିବା ସେନା ଗାଡ଼ିଗୁଡ଼ିକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ଚକୱାଲ ଜିଲ୍ଲାର ମେଜର ଉମର ମିନହାସ ନାସିର ଏବଂ କୋଟଲି ସତ୍ତିଆଁର ହାବିଲଦାର ମହମ୍ମଦ ଅଦନାନ ଖାନଙ୍କ ମୃତ୍ୟୁ ହୋଇଥିଲା।
ଆଇଏସପିଆର ଅନ୍ୟ ଏକ ବିବୃତିରେ କହିଛି ଯେ, ଉତ୍ତର ୱଜିରିସ୍ତାନରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ସୈନିକ ସହିଦ ହୋଇଥିବାବେଳେ ୧୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଉତ୍ତର ୱଜିରିସ୍ତାନର ମୀର ଅଲୀ, ଦତ୍ତା ଖେଲ ଏବଂ ଆଖପାଖ ଅଞ୍ଚଳରେ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀକୁ ଟାର୍ଗେଟ କରାଯାଇଥିଲା। ଆଇଏସପିଆର ଅନୁଯାୟୀ, ଗତ ୧୨ ଘଣ୍ଟା ଧରି ଚାଲିଥିବା ଭୀଷଣ ଗୁଳି ବିନିମୟ ପରେ ଅଲୀ ଖେଲରେ ୧୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହାବ୍ୟତୀତ ମୀର ଅଲୀ ଏବଂ ଦତ୍ତା ଖେଲରେ ମଧ୍ୟ ଦୁଇ ଜଣ ଲେଖାଏଁ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଅଭିଯାନ ସମୟରେ ୪୩ ବର୍ଷୀୟ ହାବିଲଦାର ଅସମତ ଅଲୀ ଏବଂ ୩୨ ବର୍ଷୀୟ ନାୟକ ଆଫତାବ ଅଲୀ ସହିଦ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା