ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି; ଘରକୁ ଘର ବୁଲି ସର୍ଭେ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ଜିଲ୍ଲା ପର୍ଯ୍ୟବେକ୍ଷକ
Home to home servey for election
ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ଭୋଟର ତାଲିକା


କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନ ପଡ଼ନ୍ତି ସେଥିପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ

ତ୍ରୁଟିମୁକ୍ତ ଓ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ପାଇଁ ସମୟସୀମା ମଧ୍ୟରେ କାର୍ଯ୍ୟ ସାରିବା ଉପରେ ଗୁରୁତ୍ୱ

ଝାରସୁଗୁଡା, ୦୨ ନଭେମ୍ବର (ହି.ସ.)ଆଗାମୀ ପୌରାଞ୍ଚଳ ନିର୍ବାଚନ ନିମନ୍ତେ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟକୁ ତ୍ୱରାନ୍ୱିତ ତଥା ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ବାଚନ ପର୍ଯ୍ୟବେକ୍ଷକ ସୁଧାକର ନାୟକ ଏହି ବୈଠକରେ ଅଧ୍ୟକ୍ଷତା କରି କ୍ଷେତ୍ରସ୍ତରରେ ଚାଲିଥିବା ଘରକୁ ଘର ବୁଲି ଭୋଟର ଯାଞ୍ଚ ଓ ସର୍ଭେ କାର୍ଯ୍ୟର ସ୍ଥିତି ତଥା ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ, ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ଏବଂ ଡେପୁଟି କଲେକ୍ଟର (ସାଧାରଣ ଓ ବିବିଧ) ବିଜୟ ନାୟକ ଉପସ୍ଥିତ ରହି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଇଥିଲେ। ଏହି ବୈଠକରେ ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ, ବେଲପାହାଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଗୌରବ ପ୍ରଧାନ ଏବଂ ଝାରସୁଗୁଡ଼ା ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ନିଶିକାନ୍ତ ଟେଟେ ଉପସ୍ଥିତ ଥିଲେ।

PRI/ULB ନିର୍ବାଚନ ପାଇଁ ଘରକୁ ଘର ବୁଲି ସର୍ବେକ୍ଷଣ କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଗୋଟିଏ ନିର୍ଦ୍ଦିଷ୍ଟ ୱାର୍ଡର ସମସ୍ତ ଭୋଟରଙ୍କ ନାମ ଯେପରି ସେହି ସମାନ ୱାର୍ଡର ଭୋଟର ତାଲିକାରେ ହିଁ ଅନ୍ତର୍ଭୁକ୍ତ ରହିବ। ଏହା ସହିତ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ନାମ ମଧ୍ୟ ଗୋଟିଏ ୱାର୍ଡର ଭୋଟର ତାଲିକାରେ ରହିବା ନିଶ୍ଚିତ କରିବା ଏହି ସର୍ଭେର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ।

ଏହି ସମୀକ୍ଷା ଅବସରରେ ପର୍ଯ୍ୟବେକ୍ଷକ ଶ୍ରୀ ନାୟକ ନିର୍ବାଚନ ପ୍ରକ୍ରିୟାରେ ଭୋଟର ତାଲିକାର ଶୁଦ୍ଧତା ଉପରେ ସର୍ବାଧିକ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ସର୍ଭେ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ପ୍ରତ୍ୟେକ ପରିବାର ନିକଟକୁ ଯାଇ ଯୋଗ୍ୟ ନାଗରିକଙ୍କ ନାମ ଯୋଡ଼ିବା, ମୃତ ଓ ସ୍ଥାନାନ୍ତରିତ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ ଦେବା ଏବଂ ତଥ୍ୟ ସଂଶୋଧନ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରିବା ଆବଶ୍ୟକ। କୌଣସି ଜଣେ ହେଲେ ଯୋଗ୍ୟ ଭୋଟର ଯେପରି ନିଜର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏଥିସହ ଏହି ବୈଠକରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଲକ୍ଷ୍ମଣ ଓରାମ, ସମସ୍ତ ବ୍ଲକଗୁଡ଼ିକର ଅତିରିକ୍ତ ବିଡିଓ ଏବଂ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଉପସ୍ଥିତ ରହି ନିଜ ନିଜ ଅଞ୍ଚଳର କ୍ଷେତ୍ରସ୍ତରୀୟ ତଥ୍ୟ ଓ ଆଗାମୀ କାର୍ଯ୍ୟପନ୍ଥା ଉପସ୍ଥାପନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande