ବାତ୍ୟା ‘ଅର୍ଣ୍ଣବ’ ଦୁର୍ଗତଙ୍କୁ ସହାୟତା ଯୋଗାଇଲା ବିଏମ୍ସି
୨,୫୦୦ ପରିବାରର ୧୦ ହଜାର ଲୋକଙ୍କ ପାଇଁ ରିଲିଫ୍ ସାମଗ୍ରୀ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର ଭୁବନେଶ୍ୱର , 02 ନଭେମ୍ବର (ହି.ସ.) ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେଲା ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) । ରାଜ୍ୟ ସରକାର ବାତ୍ୟା ଦୁର୍ଗତଙ୍କୁ ତ୍ୱରିତ ସହାୟତା ପ୍
ବାତ୍ୟା ‘ଅର୍ଣ୍ଣବ’ ଦୁର୍ଗତଙ୍କୁ ସହାୟତା ଯୋଗାଇଲା ବିଏମ୍ସି


୨,୫୦୦ ପରିବାରର ୧୦ ହଜାର ଲୋକଙ୍କ ପାଇଁ ରିଲିଫ୍ ସାମଗ୍ରୀ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର

ଭୁବନେଶ୍ୱର , 02 ନଭେମ୍ବର (ହି.ସ.)

ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେଲା ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) । ରାଜ୍ୟ ସରକାର ବାତ୍ୟା ଦୁର୍ଗତଙ୍କୁ ତ୍ୱରିତ ସହାୟତା ପ୍ରଦାନ କରିଆସୁଥିବା ବେଳେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଓ କମିଶନର ଶ୍ରୀ ଚଞ୍ଚଳ ରାଣା ବିଏମ୍ ସି ପକ୍ଷରୁ ବାତ୍ୟା ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେହି ଅନୁଯାୟୀ ମାନନୀୟା ମେୟରଙ୍କ ନେତୃତ୍ୱରେ ବିଏମ୍ସିର ଏକ ଟିମ୍ ଆଜି ଗଞ୍ଜାମ ଜିଲ୍ଲାର ବାତ୍ୟା ଦୁର୍ଗତଙ୍କ ପାଇଁ ଶୁଖିଲା ଖାଦ୍ୟ ସାମଗ୍ରୀ, ବସ୍ତ୍ର ଓ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ନେଇ ଗଞ୍ଜାମ ଗସ୍ତ କରିଥିଲେ। ପ୍ରାୟ ୨,୫୦୦ ପରିବାରର ୧୦,୦୦୦ ଲୋକଙ୍କ ନିମନ୍ତେ ଉଦ୍ଦିଷ୍ଟ ରିଲିଫ୍ ସାମଗ୍ରୀ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ଏଥିସହ ସ୍ଥାନୀୟ ପ୍ରଶାସନର ସହଯୋଗରେ ବିଭିନ୍ନ ଅଞ୍ଚଳରେ ଦୁର୍ଗତଙ୍କୁ ରିଲିଫ୍ ସାମଗ୍ରୀ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ଟିମ୍ରେ ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ରାଜକିଶୋର ଦାସ, କର୍ପୋରେଟର ଶ୍ରୀ ମିହିର କୁମାର ରାଉତ, ଶ୍ରୀ ନୃପେଶ ନାୟକ, ଶ୍ରୀମତୀ ରଞ୍ଜୁଲତା ରାୟ, ଶ୍ରୀମତୀ ମଧୁମିତା ପ୍ରଧାନ, ସହକାରୀ କମିଶନର ଶ୍ରୀ ଅମରେଶ ନାୟକଙ୍କ ସମେତ ବିଏମ୍ସିର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ।

ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଭି. କୀର୍ତ୍ତି ଭାସନ ଓ ବ୍ରହ୍ମପୁର ମହାନଗର ନିଗମ ଅଧ୍ୟକ୍ଷା ଶ୍ରୀମତୀ ସଂଘମିତ୍ରା ଦଳେଇଙ୍କ ସହ ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଧିକାରୀ ଉପସ୍ଥିତିରେ ରିଲିଫ ସାମଗ୍ରୀ ହସ୍ତାନ୍ତର କରାଯାଇଥିଲା । ପରେ ବାତ୍ୟା ପ୍ରଭାବିତ ଅଂଚଳ ସଂପର୍କରେ ମାନନୀୟା ମେୟର ଜିଲ୍ଲାପାଳ ଓ ବ୍ରହ୍ମପୁର ମେୟରଙ୍କ ସହିତ ଆଲୋଚନା କରିବା ସହ ବିଶେଷ ଭାବେ ପ୍ରଭାବିତ ଅଂଚଳକୁ ଯାଇ ଦୁର୍ଗତମାନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଥିଲେ ।

ବାତ୍ୟା ଦୁର୍ଗତଙ୍କ ନିକଟରେ ଆବଶ୍ୟକ ସହାୟତା ପହଞ୍ଚାଇବା ଏବଂ ରିଲିଫ୍ ବଣ୍ଟନ କାର୍ଯ୍ୟକୁ ସୁଚାରୁ ଭାବେ ସମ୍ପାଦନ କରିବା ପାଇଁ ମାନନୀୟା ମେୟର ଓ କମିଶନରଙ୍କ ପକ୍ଷରୁ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଥିଲା । ବିପର୍ଯ୍ୟୟ ସମୟରେ ଦୁର୍ଗତଙ୍କ ପାଖରେ ଠିଆ ହୋଇ ସହଯୋଗର ହାତ ବଢ଼ାଇଥିବାରୁ ବିଏମ୍ସିର ଏହି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande