
ଭଦ୍ରକ, ୨ ନଭେମ୍ବର (ହି.ସ.) - ମଞ୍ଜୁରୀରୋଡ଼ ଡାକ୍ତରଖାନାରେ ଦୀର୍ଘଦିନ ଧରି ଡାକ୍ତର ନଥିବାରୁ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ଅଂଚଳର ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଡାକ୍ତର ନିଯୁକ୍ତି ଦେବା ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକଙ୍କ ଦାବି ସମ୍ପର୍କରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। ବିଜେପି ଜିଲ୍ଲା ଉପସଭାନେତ୍ରୀ ତପସ୍ୱିନୀ ମହାପାତ୍ର ସ୍ଥାନୀୟ ଲୋକମାନଙ୍କ ସ୍ୱାକ୍ଷର ସମ୍ବଳିତ ଏକ ସ୍ମାରକପତ୍ର ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀଙ୍କୁ ପ୍ରଦାନ କରିବା ସହ ମଞ୍ଜୁରୀରୋଡ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି, ପରିବେଶର ଉନ୍ନୟନ, ନିର୍ମାଣାଧୀନ ଗୃହ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରି ଏହି ଗୃହରେ ଡାକ୍ତରଖାନା ପରିଚାଳନା କରିବା ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ । ସାଂସଦ ଶ୍ରୀ ସେଠୀ ଓ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡାକ୍ତର ପ୍ରମୋଦ କୁମାର ପ୍ରହରାଜ ଯଥାଶୀଘ୍ର ସ୍ଥାୟୀ ଡାକ୍ତର ନିଯୁକ୍ତି ବ୍ୟବସ୍ଥା ସହ ଅନ୍ୟ ସମସ୍ୟା ଦୂର ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ସୋମବାର ଦିନ ଏହି ଡାକ୍ତରଖାନାରେ ନୂତନ ଡାକ୍ତର ଭାବେ ଡାକ୍ତର ଶୁଭ୍ରାଂଶୁ ଶେଖର ମହାପାତ୍ର ଯୋଗଦେଇଛନ୍ତି। ଏଥିପାଇଁ ସ୍ଥାନୀୟ ଲୋକେ ଖୁସି ବ୍ୟକ୍ତ କରିଛନ୍ତି। ଡାକ୍ତରଖାନାର କର୍ମଚାରୀ ଓ ସ୍ଥାନୀୟ ଲୋକେ ଡାକ୍ତରଙ୍କୁ ସ୍ୱାଗତ କରିଥିଲେ। ଅନ୍ୟାନ୍ୟ ସମସ୍ୟା ଗୁଡ଼ିକ ଯଥାଶୀଘ୍ର ସମାଧାନ ହେବ ବୋଲି ଆଶା ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ