ଝାରସୁଗୁଡ଼ା ତହସିଲକୁ ଦୁଇ ଭାଗ ପାଇଁ ରାଜସ୍ଵ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ ଟଙ୍କଧର ତ୍ରିପାଠୀ
MLA wrote letter to Minister
ଝାରସୁଗୁଡ଼ା ତହସିଲକୁ ଦୁଇ ଭାଗ ପାଇଁ ରାଜସ୍ଵ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ ଟଙ୍କଧର ତ୍ରିପାଠୀ


ଝାରସୁଗୁଡ଼ା, ୨ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ତହସିଲକୁ ଦୁଇଟି ପୃଥକ ତହସିଲରେ ବିଭାଜିତ କରିବା ପାଇଁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଶନିବାର ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି। ବର୍ତ୍ତମାନର ଝାରସୁଗୁଡ଼ା ତହସିଲ ଅଧୀନରେ ଝାରସୁଗୁଡ଼ା ବ୍ଲକ୍ ଏବଂ ଝାରସୁଗୁଡ଼ା ପୌରାଞ୍ଚଳ ଉଭୟ ଅନ୍ତର୍ଭୁକ୍ତ ରହିଛି। ଏହାର ଭୌଗୋଳିକ କ୍ଷେତ୍ରଫଳ ଅତ୍ୟନ୍ତ ବ୍ୟାପକ ହୋଇଥିବା ସହ ଜନସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କାରଣରୁ ରାଜସ୍ୱ ସମ୍ବନ୍ଧୀୟ ସେବା ପାଇବାରେ ସାଧାରଣ ଜନସାଧାରଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ତହସିଲ ପ୍ରଶାସନ ଉପରେ କାର୍ଯ୍ୟଭାର ଅଧିକ ରହୁଥିବାରୁ ଲୋକଙ୍କୁ ସମୟସୀମା ମଧ୍ୟରେ ସରକାରୀ ସେବା ଯୋଗାଇବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି।

ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଧାୟକ ଶ୍ରୀ ତ୍ରିପାଠୀ ତହସିଲକୁ ଦୁଇଟି ସ୍ୱାଧୀନ ତହସିଲରେ ବିଭାଜନ କରିବାକୁ ରାଜସ୍ୱ ମନ୍ତ୍ରୀ ପୂଜାରୀଙ୍କୁ ପ୍ରସ୍ତାବ ଦେଇଛନ୍ତି | ପ୍ରଥମତଃ ଝାରସୁଗୁଡା ବ୍ଲକ ଅଞ୍ଚଳକୁ ନେଇ ଏକ ତହସିଲ ଗଠନ ହେଲେ ଏହା କେବଳ ଝାରସୁଗୁଡ଼ା ବ୍ଲକ୍ ଅଧୀନରେ ଥିବା ଗ୍ରାମାଞ୍ଚଳଗୁଡ଼ିକର ରାଜସ୍ୱ କାର୍ଯ୍ୟ ବୁଝିବ। ସେହିପରି ଦ୍ଵିତୀୟତଃ ଝାରସୁଗୁଡ଼ା ଟାଉନ୍ ତହସିଲ ହେଲେ ଏହା ଝାରସୁଗୁଡ଼ା ପୌରାଞ୍ଚଳ ଏବଂ ଏହାର ଆଖପାଖ ସହରାଞ୍ଚଳ ପାଇଁ କାର୍ଯ୍ୟ କରିବ।

ବିଧାୟକ ଶ୍ରୀ ତ୍ରିପାଠୀଙ୍କ କହିବା ଅନୁଯାୟୀ, ଏହି ପ୍ରସ୍ତାବିତ ବିଭାଜନ ଦ୍ୱାରା ପ୍ରଶାସନିକ କାର୍ଯ୍ୟଭାର ହ୍ରାସ ପାଇବ, ଜମିଜମା ସମ୍ବନ୍ଧୀୟ ମାମଲାର ଶୀଘ୍ର ନିଷ୍ପତ୍ତି ହୋଇପାରିବ ଏବଂ ସରକାରୀ ସେବା ସହଜରେ ଲୋକଙ୍କ ପାଖରେ ପହଞ୍ଚିପାରିବ। ଏହା ପ୍ରଶାସନିକ ବିକେନ୍ଦ୍ରୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ ଦର୍ଶାଇଛନ୍ତି। ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ସମ୍ବନ୍ଧରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଧାୟକ ଲେଖିଥିବା ଚିଠିରେ ରାଜସ୍ୱ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande