
ଭଦ୍ରକ, ୨ ନଭେମ୍ବର (ହି.ସ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଜାଗୁଳା ପଂଚାୟତ ଛଚି ପାଇକସାହିରେ ଜଣେ ଅଙ୍ଗନବାଡି ହେଲପରକୁ ପୁନଃ ନିଯୁକ୍ତି ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପ୍ରାପ୍ତ ଖବର ଅନୁଯାଇ ଏହି ଅଙ୍ଗନବାଡି କେନ୍ଦ୍ରରେ ୨୦୨୫ ମସିହାରେ ଜଣେ ମହିଳାଙ୍କୁ ହେଲପର ଭାବେ ନିଯୁକ୍ତି ଦିଆଯାଇଥିଲା। ସଂପୃକ୍ତ ହେଲପର ବାସନ୍ତୀ ଦାସ ସେହି କେନ୍ଦ୍ରରେ ୭ ମାସ କାର୍ଯ୍ୟ କରିବା ପରେ ମାର୍ଚ ୨୦୨୬ ଠାରୁ ଆଉ କେନ୍ଦ୍ରକୁ ଆସିଲେ ନାହିଁ। ଦୀର୍ଘ ସମୟ ଧରି ଅଙ୍ଗନବାଡି କର୍ମୀ ବିନା ହେଲପରରେ ଏହି ଅଙ୍ଗନବାଡି କେନ୍ଦ୍ରକୁ ଚଳାଇ ଆସୁଥିଲେ। ଆଜି ଦୀର୍ଘ ୭ମାସ ଧରି ନିଖୋଜ ହୋଇଥିବା ସଂପୃକ୍ତ ଅଙ୍ଗନବାଡି ହେଲପର ଆଜି ଆସି ସେହି କେନ୍ଦ୍ରରେ ଯୋଗ ଦେବାକୁ ଚାହିଁଥିଲେ। ମାତ୍ର ଏହି କେନ୍ଦ୍ରର କର୍ମୀ ସଂପୃକ୍ତ ହେଲପର କୁ ଆଉ ନିଯୁକ୍ତି ଦିଆଯାଇ ପାରିବ ନାହିଁ ଯଦି ଏହି କେନ୍ଦ୍ର ଦାୟିତ୍ୱରେ ଥିବା ସୁପରଭାଇଜର ଅଥବା ସିଡିପିଓ ଲିଖିତ ଭାବେ ଅନୁମତି ଦିଅନ୍ତି ତାହା ହେଲେ ନିଯୁକ୍ତି ମିଳି ପାରିବ ବୋଲି କହିଥିଲେ। ଏହି କଥାକୁ ନେଇ ସଂପୃକ୍ତ ହେଲପରଙ୍କ ସପକ୍ଷ ଏବଂ ବିରୋଧୀ ଗୋଷ୍ଠୀ ମୁହାଁ ମୁହିଁ ହୋଇଥିଲେ। ପରେ ଏହି କେନ୍ଦ୍ର ଦାୟିତ୍ୱରେ ଥିବା ସୁପରଭାଇଜର ପ୍ରିୟମ୍ବଦା ପାଢୀ ଆସି ଅଙ୍ଗନବାଡି କେନ୍ଦ୍ରରେ ପହଂଚିଥିଲେ । ମାତ୍ର ସେ କୌଣସି ନ୍ୟାୟଚିତ ନିଷ୍ପତି ନେଇ ପାରି ନଥିଲେ। ସଂପୃକ୍ତ ହେଲପରଙ୍କ ସପକ୍ଷ ବାଦୀ ସଂପୃକ୍ତ ମହିଳାଙ୍କୁ ନିଯୁକ୍ତି ଦେବାକୁ ଅଡି ବସିଥିବା ବେଳେ ବିରୋଧୀ ଗୋଷ୍ଠୀ ଏହି ଅନ୍ୟାୟ କୁ ପ୍ରଶ୍ରୟ ନଦେଇ ନୂତନ ନିଯୁକ୍ତି ଦିଆଯାଉ ବୋଲି ଅଡି ବସିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ପୁନଃ ନିଯୁ୍କ୍ତି କୁ ସର୍ବସାଧାରଣ ବିରୋଧ କରୁଥିବା ଏବଂ ନୂତନ ନିଯୁକ୍ତି ଦେବା ପାଇଁ ଅଡିବସିଥିବା ବେଳେ ଅଂଚଳବାସୀଙ୍କୁ କେବେ ନ୍ୟାୟ ପ୍ରଦାନ କରାଯିବ ତାହା ଆଲୋଚ୍ୟର ବିଷୟ ପାଲଟିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ