ଆନ୍ଧ୍ରରୁ ବାଂଟିବା ପାଇଁ ଆସିଥିବା ଚାଉଳକୁ ଫେରାଇଲା କୋରାପୁଟ ପ୍ରଶାସନ
ଜୟପୁର, ୦୨ ନଭେମ୍ବର(ହି.ସ.) – ଓଡ଼ିଶାର ସୀମାନ୍ତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶର ପ୍ରଶାସନିକ ହସ୍ତକ୍ଷେପ ଓ ପଂଚାୟତ ନିର୍ବାଚନ କରାଇବା ଉଦ୍ୟମକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେଇଛି ଜିଲା ପୋଲିସ ଓ ଜିଲ୍ଲା ପ୍ରଶାସନ। କୋଟିଆ ଅଂଚଳରେ ବାଂଟିବା ଉଦ୍ଦେଶ୍ୟରେ ଆନ୍ଧ୍ର ପକ୍ଷରୁ ଟ୍ରକରେ ଅଣାଯାଉଥିବା ସରକ
ଆନ୍ଧ୍ର ରୁ ବାଣ୍ଟିବା ପାଇଁ ଆସିଥିବା ଚାଉଳକୁ ଫେରାଇଲା  କୋରାପୁଟ ପ୍ରଶାସନ


ଜୟପୁର, ୦୨ ନଭେମ୍ବର(ହି.ସ.) – ଓଡ଼ିଶାର ସୀମାନ୍ତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶର ପ୍ରଶାସନିକ ହସ୍ତକ୍ଷେପ ଓ ପଂଚାୟତ ନିର୍ବାଚନ କରାଇବା ଉଦ୍ୟମକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେଇଛି ଜିଲା ପୋଲିସ ଓ ଜିଲ୍ଲା ପ୍ରଶାସନ। କୋଟିଆ ଅଂଚଳରେ ବାଂଟିବା ଉଦ୍ଦେଶ୍ୟରେ ଆନ୍ଧ୍ର ପକ୍ଷରୁ ଟ୍ରକରେ ଅଣାଯାଉଥିବା ସରକାରୀ ରାସନ ଚାଉଳକୁ ଓଡ଼ିଶା ସୀମାରେ ଅଟକାଇ ଫେରାଇ ଦିଆଯାଇଥିବା ଜଣାଫାଇଛି। ଏହାକୁ ଆନ୍ଧ୍ର ପ୍ରଶାସନିକ ହସ୍ତକ୍ଷେପ ବିରୋଧରେ ଓଡ଼ିଶାର ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।

ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶର ସାଲୁର ଏମ୍ଏଲ୍ସି ପଏଂଟରୁ ଗଞ୍ଜାଇଭଦ୍ର ଗ୍ରାମକୁ ଯୋଗାଣ ହେବାକୁ ଥିବା ରାସନ ସାମଗ୍ରୀ ନେରେଡିଞ୍ଜାଲସା ରାସନ ଦୋକାନକୁ ନିଆଯାଉଥିବା ବେଳେ ନେରେଡିଞ୍ଜାଲସା ଚେକ୍େପାଷ୍ଟ ନିକଟରେ କୋଟିଆ ଥାନା ପୁଲିସ ଓ ପଟାଙ୍ଗୀ ବ୍ଲକ ପ୍ରଶାସନ ଏହାକୁ ଅଟକାଇଥିଲେ। ଓଡ଼ିଶା ସୀମା ମଧ୍ୟକୁ ରାସନ ସାମଗ୍ରୀ ପ୍ରବେଶ କରାଇବାକୁ ଅନୁମତି ନଦେଇ ଟ୍ରକ୍କୁୁ ଫେରାଇ ଦିଆଯାଇଥିଲା। ଏହାକୁ ନେଇ ଉଭୟ ପକ୍ଷର ପୋଲିସ ଓ ରାଜସ୍ୱ କର୍ମଚାରୀଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା। ଖବର ପାଇ ନେରେଡିଞ୍ଜାଲସା, ଧରଲା ଓ ତାଡ଼ିଞାଲସା ଗ୍ରାମର କିଛି ଆନ୍ଧ୍ର ସମର୍ଥକ ଲୋକେ ଘଟଣାସ୍ଥଳରେ ପହଂଚି ଓଡ଼ିଶା ପୋଲିସ ସହ ଯୁକ୍ତିତର୍କ କରିଥିଲେ। ତେବେ ଓଡ଼ିଶା ସମର୍ଥକ ସ୍ଥାନୀୟ ଲୋକେ କୋରାପୁଟ ପୋଲିସ ଓ ପ୍ରଶାସନର ପଦକ୍ଷେପକୁ ସମର୍ଥନ ଜଣାଇଥିଲେ।

ସ୍ଥାନୀୟ ସ୍ତରରେ ଉତେଜନା ଓ ଯୁକ୍ତିତର୍କ ସତ୍ୱେ ଓଡ଼ିଶା ପୁଲିସ ନିଜ ଆଭିମୁଖ୍ୟରେ ଅଟଳ ରହିଥିଲା। ଶେଷରେ ଆନ୍ଧ୍ର ପକ୍ଷରୁ ଆସିଥିବା ରାସନ ଗାଡ଼ି ଫେରିଯାଇଥିବା ଜଣାପଡ଼ିଛି। ଘଟଣା ପରେ କୋଟିଆ ସୀମାନ୍ତ ଅଂଚଳରେ ଓଡ଼ିଶା ପୁଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ସୂଚନା ମିଳିଛି। କୋଟିଆରେ ଓଡ଼ିଶାର ପ୍ରଶାସନିକ ଉପସ୍ଥିତି ଓ ସାର୍ବଭୌମତ୍ୱକୁ ଅକ୍ଷୁର୍ଣ୍ଣ ରଖିବା ଦିଗରେ ରାଜ୍ୟ ପୋଲିସ ଓ ପ୍ରଶାସନର ଏହି ଦୃଢ଼ ପଦକ୍ଷେପ ନେଇ ଥିବା ଜଣାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande