
ଭୁବନେଶ୍ୱର, ୦୨ ନଭେମ୍ବର (ହି.ସ.) - ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ସହ ବିପଦସଂକୁଳ ଓ ପ୍ରଭାବିତ ଅଂଚଳରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। କ୍ଷତିଗ୍ରସ୍ତ ଜଳସେଚନ ଭିତିଭୂମି ଓ ବନ୍ୟା ନିୟନ୍ତ୍ରଣ ବନ୍ଧର ମରାମତି ସହ ନଦୀଗୁଡ଼ିକର ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଇଛି।
ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପ୍ରତିଦିନ କ୍ଷେତ୍ର ପରିଦର୍ଶନ କରି ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରୁଛନ୍ତି। ପ୍ରଭାବିତ ଅଞ୍ଚଳରେ ସମଗ୍ର ଡିଭିଜନର ଏକ ଟିମ୍?କୁ ନିୟୋଜିତ କରାଯାଇ ମରାମତି କାର୍ଯ୍ୟ ଓ ବିପଦସଂକୁଳ ସ୍ଥାନଗୁଡ଼ିକ ଉପରେ ନଜର ରଖାଯାଇଛି। ସର୍ବୋଚ୍ଚ ଯନ୍ତ୍ରୀ-ତଥା-ସ୍ୱତନ୍ତ୍ର ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଆ?ର୍ବି ବେସିନ୍?, ଜେନେରାଲ୍ ମ୍ୟାନେଜର, ଓସିସି ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସହ ହନୁମାନପାଲି ନିକଟସ୍ଥ ହିରାଧରାଭାଟି ଆନିକଟଠାରେ ଧୋଇଯାଇଥିବା ଋଷିକୁଲ୍ୟା ବନ୍ୟା ନିୟନ୍ତ୍ରଣ ବନ୍ଧ ଓ ମୁଖ୍ୟ କେନାଲର ଆରମ୍ଭିକ ଅଂଶ ପରିଦର୍ଶନ କରିଥିଲେ।
ରମଣାଦୀ ମୁଖ୍ୟ କେନାଲର ଆରଡି ୧୪,୩୫୦ ମିଟରଠାରେ କ୍ଷତିଗ୍ରସ୍ତ ସର୍ଭିସ୍ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ସେହିପରି ରତଙ୍ଗ ଗ୍ରାମ ନିକଟରେ ବଡ଼ନଦୀର ଡାହାଣ ପାର୍ଶ୍ୱ ବନ୍ଧରେ ସୃଷ୍ଟି ହୋଇଥିବା ଘାଇ ବନ୍ଦ କରାଯାଇଛି।
ଘୋଡ଼ାହାଡ଼ ନଦୀର ଡାହାଣ ପାର୍ଶ୍ୱ ବନ୍ୟା ନିୟନ୍ତ୍ରଣ ବନ୍ଧର ଖଇରାବେଠୀ ନିକଟସ୍ଥ ଆରଡି ୧୫,୪୦୦ ମିଟର ଏବଂ ହିଞ୍ଜିଳିକାଟୁ ବ୍ଲକ୍ ର ବୈଚବଣିଆ ନିକଟସ୍ଥ ଆରଡି ୨୧,୩୬୦ ମିଟରଠାରେ ମରାମତି କାର୍ଯ୍ୟ ଜାରି ରହିଛି। ଏଥିସହ କୁକୁଡ଼ାଖଣ୍ଡି ନିକଟସ୍ଥ ବି’ ବ୍ରାଂଚ କେନାଲ ଏବଂ ଜାକେମେରିପଲ୍ଲୀଠାରେ ଘୋଡ଼ାହାଡ଼ ନଦୀର ବାମ ପାର୍ଶ୍ୱ ସର୍ଭିସ୍ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଛି। ବଡ଼ଗଡ଼ାସ୍ଥିତ ହରଭଙ୍ଗୀ ଜଳସେଚନ ଉପଖଣ୍ଡ-୨ ଅଧୀନରେ ଥିବା ବାମ ପାର୍ଶ୍ୱ ବିତରଣ କେନାଲର ମରାମତି ମଧ୍ୟ ଜାରି ରହିଛି।
ଭଞ୍ଜନଗର ଜଳସେଚନ ଡିଭିଜନ ଅଧୀନରେ ଚେରମାରିଆ, କେନ୍ଦୁପଦର ଓ ବେଠୁଆରା ନିକଟରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ପିତଳ ସେକ୍ସନ ଅଧୀନରେ ବିଭିନ୍ନ ସ୍ଥାନରେ ଘାଇ ବନ୍ଦ କରିବା କାର୍ଯ୍ୟ ଜାରି ରହିଛି। ଲୋହରାଖଣ୍ଡି ନଦୀର ଖଲାସାହି-ପାତ୍ର କଲୋନୀ ନିକଟସ୍ଥ ବାମ ପାର୍ଶ୍ୱ ବନ୍ୟା ନିୟନ୍ତ୍ରଣ ବନ୍ଧ ଏବଂ କୁଶପଲ୍ଲୀ ଓ ଭାଲିଆଖାଇ ନିକଟସ୍ଥ ଡାହାଣ ପାର୍ଶ୍ୱ ବନ୍ଧରେ ଅସ୍ଥାୟୀ ଭାବେ ଘାଇ ବନ୍ଦ କରିବା କାର୍ଯ୍ୟ ଚାଲିଛି। ପୁରୁଷୋତମପୁର ବ୍ଲକ୍?ର କେଶପୁର ଏବଂ ହାଣ୍ଡିଘର ସେତୁର ଉପରମୁଣ୍ଡରେ ଋଷିକୁଲ୍ୟା ନଦୀରେ ମଧ୍ୟ ପୁନରୁଦ୍ଧାର କାର୍ଯ୍ୟ ଅଗ୍ରଗତି କରୁଛି।
ରାୟଗଡ଼ା ବ୍ଲକ୍ ର କୋଟାପେଟାସ୍ଥିତ ଆରଡି ବ୍ରିଜ୍ ନିକଟରେ ନାଗାବଳୀ ନଦୀର ଜଳସ୍ଥିତି ଉପରେ ରାୟଗଡ଼ା ଜଳସେଚନ ଉପଖଣ୍ଡ-୧ ପକ୍ଷରୁ ନିରନ୍ତର ନଜର ରଖାଯାଇଛି। କ୍ଷେତ୍ରସ୍ତରୀୟ ରିପୋର୍ଟ ଅନୁଯାୟୀ, ଉକ୍ତ ସମୟରେ ନଦୀର ଜଳସ୍ତର ସ୍ଥିର ରହିଥିଲା। ସେହିପରି ଗଜପତି ଜିଲ୍ଲାର ମହେନ୍ଦ୍ରତନୟା ନଦୀ ନିକଟସ୍ଥ ମାଛମରା ଗ୍ରାମ, ପାରଳାଖେମୁଣ୍ଡି ସେତୁ ଏବଂ ବିଏନ୍ ପ୍ୟାଲେସ୍ ନିକଟରେ ନିରନ୍ତର ନିରୀକ୍ଷଣ କରାଯାଉଛି। ନଦୀର ଜଳସ୍ତର ହ୍ରାସ ପାଉଥିବା ନେଇ କ୍ଷେତ୍ରସ୍ତରୀୟ ଯନ୍ତ୍ରୀମାନେ ସୂଚନା ଦେଇଥିବାବେଳେ ସତର୍କତାମୂଳକ ନିରୀକ୍ଷଣ ଜାରି ରହିଛି।
ବ୍ରହ୍ମପୁର ଡ୍ରେନେଜ୍ ଡିଭିଜନ ପକ୍ଷରୁ ପୂର୍ବ-ବାତ୍ୟା ପ୍ରସ୍ତୁତିର ଅଂଶସ୍ୱରୂପ ଲାଉଡ଼ି ଗାଁ ସେତୁ ନିକଟସ୍ଥ ବାହାନା ନାଳରେ ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଥିବା ଆବର୍ଜନା ଓ ଅବରୋଧ ହଟାଯାଇଛି। ଏହାଦ୍ୱାରା ଜଳ ନିଷ୍କାସନ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ହ୍ରାସ କରିବା ଲକ୍ଷ୍ୟ ରଖାଯାଇଛି। ଏଥିସହ ହରଭଙ୍ଗୀ ଜଳଭଣ୍ଡାରରେ ନିୟନ୍ତ୍ରିତ ଜଳ ନିଷ୍କାସନ ଓ ଜଳ ସଂରକ୍ଷଣ ସ୍ଥିତିର ନିରୀକ୍ଷଣ ମଧ୍ୟ ଜାରି ରହିଛି।
ପୁନରୁଦ୍ଧାର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା, ଅଧିକ କ୍ଷୟକ୍ଷତିକୁ ରୋକିବା ଏବଂ ଚାଷୀମାନଙ୍କ ପାଇଁ ଜଳସେଚନ ସେବା ପୁନଃସ୍ଥାପନ କରିବା ଦିଗରେ ବିଭାଗୀୟ ଟିମ୍ ଗୁଡ଼ିକ ନିରନ୍ତର କାର୍ଯ୍ୟ କରୁଛନ୍ତି।
...........
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା