
ଝାରସୁଗୁଡ଼ା, 20 ନଭେମ୍ବର (ହି.ସ.): ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନସ୍ଥ ‘ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ବିକାଶ ଯୋଜନା’ ଏବଂ ହସ୍ତଶିଳ୍ପ କ୍ଷେତ୍ରର ସାମଗ୍ରିକ ବିକାଶ ନିମନ୍ତେ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶିକା ମୋନାଲିସା ପଟେଲ, ଜିଲ୍ଲା ନିଯୁକ୍ତି ତଥା ଦକ୍ଷତା ବିକାଶ ଅଧିକାରୀ ସଙ୍ଗୀତା ମେହେରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନମୂଳକ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।ବୈଠକର ପ୍ରଥମ ପର୍ଯ୍ୟାୟରେ ‘ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ବିକାଶ ଯୋଜନା’ ଅଧୀନରେ ହସ୍ତତନ୍ତ ହିତାଧିକାରୀଙ୍କ ଚୟନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ଏଥିରେ ମୋଟ ୧୨୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ତିନୋଟି ପ୍ରମୁଖ ଉପାଦାନ ଯଥା— ତନ୍ତର କଂକ୍ରିଟିକରଣ , ମୌଳିକ ବୟନ ତାଲିମ ଏବଂ କ୍ଷେତ୍ର ପରିଦର୍ଶନ ନିମନ୍ତେ ଚୟନ କରାଯାଇଛି। ଏହି ଅବସରରେ ପଲସଦା ଗ୍ରାମର ବୁଣାକାରମାନେ ନିଜସ୍ୱ ଜମି ପଟ୍ଟା ନଥିବା କାରଣରୁ ୱାର୍କସେଡ୍ ପାଇଁ ଆବେଦନ କରିପାରୁନଥିବା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ଚହ୍ବାଣ ସେମାନଙ୍କର ସମସ୍ୟା ଶୁଣିବା ପରେ ତୁରନ୍ତ ‘ବସୁନ୍ଧରା’ ଯୋଜନା ମାଧ୍ୟମରେ ଜମି ପଟ୍ଟା ପାଇବା ପାଇଁ ଆବେଦନ କରିବାକୁ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ, ସମ୍ବଲପୁରୀ ଟାଏ ଆଣ୍ଡ ଡାଏ ସୋସାଇଟିର ସଭାପତି ସୋସାଇଟି ଗୃହ ନିର୍ମାଣ ପାଇଁ ଜମି ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଏହି ପ୍ରସ୍ତାବକୁ ଗୁରୁତ୍ୱ ଦେଇ ଜମି ଆବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଲଖନପୁର ତହସିଲଦାରଙ୍କୁ ପତ୍ର ଲେଖିବାକୁ ଜିଲ୍ଲାପାଳ ସୁନ୍ଦରଗଡ଼ ସହକାରୀ ବୟନ ନିର୍ଦ୍ଦେଶକ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକର ଦ୍ୱିତୀୟ ପର୍ଯ୍ୟାୟରେ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଜିଲ୍ଲାରେ ଦୁଇଟି ନୂତନ ୱାର୍କସେଡ୍ ନିର୍ମାଣ ପ୍ରସ୍ତାବକୁ କମିଟି ପକ୍ଷରୁ ଅନୁମୋଦନ ପ୍ରଦାନ କରାଯାଇଛି। ତତ୍ସହିତ, ଲଖନପୁର ବ୍ଲକ ଅନ୍ତର୍ଗତ ରେମେଣ୍ଡାଠାରେ ଚାଲିଥିବା ‘କ୍ରାଫ୍ଟ ଭିଲେଜ୍’ କାର୍ଯ୍ୟକ୍ରମ ପାଇଁ ମାଷ୍ଟର କ୍ରାଫ୍ଟସ୍ ପର୍ସନ ପରିବର୍ତ୍ତନ ପ୍ରସ୍ତାବକୁ ମଧ୍ୟ ବୈଠକରେ ମଞ୍ଜୁରୀ ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ