
ଭଦ୍ରକ, ୨୦ ନଭେମ୍ବର (ହି.ସ.) - ଏହି ଜିଲାର ଧାମନଗର ଅଂଚଳର ଦୁଇଟି ପ୍ରମୁଖ ରାସ୍ତାର ଉନ୍ନତୀକରଣ ପାଇଁ ୪୬ କୋଟି ୧୮ ଲକ୍ଷ ଟଙ୍କାର ଟେଣ୍ଡର ଆହ୍ୱାନ ହୋଇଛି। ମଙ୍ଗଳପୁର-ଗୋବିନ୍ଦପୁର-ଝାଟିଆ ସାହି ଏବଂ ଧାମନଗର-ଚୂଡ଼ାକୁଟି-ଭଦ୍ରକ ଆରଡ଼ି ରାସ୍ତାର ଓସାର ବୃଦ୍ଧି ଓ ସୁଦୃଢ଼ୀକରଣ ପାଇଁ ଏହି ଅର୍ଥ ବ୍ୟୟ ହେବ। ଦୀର୍ଘଦିନ ଧରି ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଆଶା ରଖିଥିବା ଅଂଚଳବାସୀଙ୍କ ପାଇଁ ଏହି ଟେଣ୍ଡର ଆହ୍ୱାନ ଗୁରୁତ୍ୱ ବହନ କରୁଛି। ଟେଣ୍ଡର ବିଜ୍ଞପ୍ତି ଅନୁଯାୟୀ, ମଙ୍ଗଳପୁର ଛକରୁ ଗୋବିନ୍ଦପୁର ଦେଇ କୋଠାର-ଧାମନଗର ମୁଖ୍ୟ ସଡ଼କର ଝାଟିଆସାହି ପର୍ଯ୍ୟନ୍ତ ୬.୯୬୧ କିମି ରାସ୍ତା ଉନ୍ନତୀକରଣ ପାଇଁ ୧୬.୪୮ କୋଟି ଟଙ୍କା ଅଟକଳ ରଖାଯାଇଛି। ଏହି କାମ ପାଇଁ ୧୦ ମାସର କାର୍ଯ୍ୟ ଅବଧି ଧାର୍ଯ୍ୟ ହୋଇଛି। ସେହିପରି ଧାମନଗରରୁ ଚୂଡ଼ାକୁଟି ଦେଇ ଭଦ୍ରକ-ଆରଡ଼ି ରାସ୍ତାର ସାତଭଉଣୀ ପର୍ଯ୍ୟନ୍ତ ୧୨.୮୫୪ କିମି ରାସ୍ତାର ଉନ୍ନତୀକରଣ ପାଇଁ ୨୯.୭୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି କାର୍ଯ୍ୟ ପାଇଁ ୧୪ ମାସ ସମୟ ରଖାଯାଇଛି। ଉଭୟ ରାସ୍ତାର ମୋଟ ଦୈର୍ଘ୍ୟ ୧୯.୮୧୫ କିମି। ନିର୍ମାଣ ସୌଧ, ଭୁବନେଶ୍ୱରସ୍ଥିତ ଇଞ୍ଜିନିୟର-ଇନ୍-ଚିଫ୍ (ସିଭିଲ୍)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନଭେମ୍ବର ୧୩ ତାରିଖରେ ଏ ସଂକ୍ରାନ୍ତୀୟ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଛି। ଡିସେମ୍ବର ୭ ତାରିଖ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଅନଲାଇନ୍ରେ ବିଡ୍ ଦାଖଲ କରାଯାଇପାରିବ। ଡିସେମ୍ବର ୮ ତାରିଖ ପୂର୍ବାହ୍ନ ୧୧ଟା ୩୦ରେ ଟେଣ୍ଡର ଖୋଲାଯିବ। ତେବେ ଟେଣ୍ଡର ଆହ୍ୱାନ ହେବା ଏବଂ ରାସ୍ତା ନିର୍ମାଣ ଆରମ୍ଭ ହେବା ମଧ୍ୟରେ ରହିଛି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। ଟେଣ୍ଡର ଚୂଡ଼ାନ୍ତ, କାର୍ଯ୍ୟାଦେଶ ପ୍ରଦାନ ଓ ନିର୍ମାଣ ଆରମ୍ଭ ପରେ ହିଁ ଏହି ପ୍ରକଳ୍ପର ବାସ୍ତବ ରୂପାୟନ ସମ୍ଭବ। ତେଣୁ କାର୍ଯ୍ୟର ମାନ ଓ ନିର୍ଦ୍ଧାରିତ ସମୟରେ ନିର୍ମାଣ ଶେଷ ହେବା ଉପରେ ଅଂଚଳବାସୀଙ୍କ ନଜର ରହିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ