
ମାଲକାନଗିରି, ୨୦ ନଭେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରୁ ୩୯୦ଟି ଭାରତୀୟ ଫ୍ଲାପ୍ସେଲ୍ କଇଁଛ ଜବତ ହୋଇଛି। ବେଆଇନ ଭାବେ କଇଁଛ ଚାଲାଣ କରାଯାଉଥିବା ନେଇ ବିଶେଷ ସୂଚନା ପାଇ ବନ ବିଭାଗ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା।
ସୂଚନା ଅନୁଯାୟୀ, ଆଜି ସକାଳୁ କାଲିମେଳା ସେକ୍ସନ ବନ କର୍ମଚାରୀମାନେ ଏମଭି-୭୪ କୁମ୍ଭାର ସାହି ନିକଟରେ ଚଢ଼ଉ କରିଥିଲେ। ଏହି ସମୟରେ ସନ୍ଦେହଜନକ ଭାବେ ଯାଉଥିବା ଏକ ମହିନ୍ଦ୍ରା ବୋଲେରୋ ଓଆର ୦୨-ଏ ଜେ ୧୪୧୦ ନମ୍ବର ଗାଡ଼ିକୁ ଅଟକାଇବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ଗାଡ଼ି ଚାଳକ ଅନ୍ଧାରର ସୁଯୋଗ ନେଇ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା। ପରେ ବନ ବିଭାଗ କର୍ମଚାରୀମାନେ ଗାଡ଼ି ଯାଞ୍ଚ କରିବାରୁ ୯ଟି ବସ୍ତାରେ ଭର୍ତ୍ତି ହୋଇଥିବା ୩୯୦ଟି ଭାରତୀୟ ଫ୍ଲାପ୍ସେଲ୍ କଇଁଛ ଉଦ୍ଧାର କରିବା ସହ ବୋଲେରୋ ଗାଡ଼ିକୁ ଜବତ କରିଥିଲେ। ଜବତ କଇଁଛ ଓ ଗାଡ଼ିକୁ କାଲିମେଳା ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଛି।
ଏହି ବେଆଇନ କଇଁଛ ଚାଲାଣ ପଛରେ କିଏ ରହିଛି, କଇଁଛଗୁଡ଼ିକ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ଫେରାର ଗାଡ଼ି ଚାଳକଙ୍କୁ ଧରିବା ପାଇଁ ମଧ୍ୟ ଉଦ୍ୟମ ଚାଲିଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ