
ଖୋର୍ଦ୍ଧା, ୨୦ ନଭେମ୍ବର (ହି.ସ.) - ବାତ୍ୟା ‘ଅକଭାନ୍’କୁ ନେଇ ବେଗୁନିଆ ବ୍ଲକ ଶିକ୍ଷା ବିଭାଗରେ ସ୍ୱତନ୍ତ୍ର ନିର୍ଦ୍ଦେଶକୁ ଅବମାନନା ତଥା ଦାୟିତ୍ୱରେ ଅବହେଳା ଅଭିଯୋଗରେ ବ୍ଲକର ୩ଟି ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ତେବେ ସିମୋର ସ୍ଥିତ ସରକାରୀ କୁଞ୍ଜବିହାରୀ ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଗଁପୁର-କଂଟାମଳିମ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏବଂ କାନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି ହୋଇଛି । ଏ ନେଇ ଆସନ୍ତା ୩ ଦିନ ମଧ୍ୟରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଉତର ରଖିବେ ବୋଲି ଉଲ୍ଲେଖ ରହିଛି । ପ୍ରକାଶ ଥାଉକି ଓଡିଶା ମୁହାଁ ବାତ୍ୟା ‘ଅକଭାନ'କୁ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲା ଓ ବ୍ଲକ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ୧୯ ଓ ୨୦ ଛୁଟି ଘୋଷଣା କରାଯାଇଛି । ମାତ୍ର ସମସ୍ତ ବିଦ୍ୟାଳୟରେ ୨୪ ଘଂଟିଆ ରୋଷ୍ଟର ଡ୍ୟୁଟି ସହିତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସରକାରୀ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଦାୟିତ୍ୱ ନିର୍ବାହ କରିବେ ବୋଲି ଅବଗତ କରାଯାଇଛି । ମାତ୍ର ବ୍ଲକ ସ୍ତରରେ ଗଠିତ ହୋଇଥିବା ଟିମ ଗୁରୁବାର ସକାଳେ ଅନୁଧ୍ୟାନ କରିବା ସମୟରେ ଉକ୍ତ ୩ ବିଦ୍ୟାଳୟରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ।
ହିନ୍ଦୁସ୍ଥାନ ସମାଚାର / ରାକେଶ