ବିଭାଗର ଦୂରଦୃଷ୍ଟି ଅଭାବ, ଜାଗା ନ ଦେଖି କରିଦେଲେ ଟେଣ୍ଡର, ଅଧାରୁ ସରିଲା ମାର୍କେଟ କମ୍ପେ୍ଲକ୍ସ: ଓପିଡବ୍ଲ୍ୟୁଡି କୋଡକୁ ଖୋଲା ଉଲ୍ଲଂଘନ
ଭଦ୍ରକ, ୨୦ ନଭେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ କାଳୀ ପଡ଼ିଆ ଠାରେ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ରେ ଜାଲିଆତି ଘଟଣା ଦେଖିବାକୁ ମିଳିଛି। ରାଜ୍ୟ କୃଷି ବିପଣନ ବୋର୍ଡ ଅଧୀନସ୍ଥ ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଏଠାରେ ୧୫ ଟି ଦୋକାନ ଘର ନିର୍ମାଣ ପାଇଁ ବ୍ୟୟବରାଦ
ADHARU SARILA MARKET COMPLEX


ଭଦ୍ରକ, ୨୦ ନଭେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ କାଳୀ ପଡ଼ିଆ ଠାରେ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ରେ ଜାଲିଆତି ଘଟଣା ଦେଖିବାକୁ ମିଳିଛି। ରାଜ୍ୟ କୃଷି ବିପଣନ ବୋର୍ଡ ଅଧୀନସ୍ଥ ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଏଠାରେ ୧୫ ଟି ଦୋକାନ ଘର ନିର୍ମାଣ ପାଇଁ ବ୍ୟୟବରାଦ ହୋଇଥିବା ବେଳେ ବାସ୍ତବରେ ମାତ୍ର ୭ ଟି ଦୋକାନ ଘର ନିର୍ମାଣ କରାଯାଇ କାମ ସାରି ଦିଆଯାଇଥିବା ଦେଖିବାକୁ ମିଳିଛି। ଓଡ଼ିଶା ପବ୍ଲିକ ୱାର୍କ୍ସ ଡିପାର୍ଟମେଂଟ କୋଡ୍ ଏବଂ ସରକାରୀ ବିଧି ବ୍ୟବସ୍ଥାକୁ ଉଲ୍ଲଂଘନ କରି ଏହି ପ୍ରକଳ୍ପର ଅଟକଳ ଓ କାର୍ଯ୍ୟା ହୋଇଥିବା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ସୂଚନା ଥାଉକି ଭଦ୍ରକ ଉପଜିଲ୍ଲାପାଳ ତଥା ଆରଏମସି ଅଧ୍ୟକ୍ଷଙ୍କ ପକ୍ଷରୁ ଗତ ୨୦୨୫ ମସିହା ଜୁଲାଇ ୯ ତାରିଖରେ ଏକ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଧାମନଗର ମାର୍କେଟ ୟାର୍ଡ, ୱାର୍ଡ ନଂ-୯ ଓ ୫ ରେ ୫୦ ଟି ମାଛ ବଜାର ସେଡ୍, ଡ୍ରେନେଜ୍ ବ୍ୟବସ୍ଥା ଏବଂ ଦୋବଲ କାଳୀପଡ଼ିଆ ସ୍ଥିତ ଖାତା ନମ୍ବର ୬୧୪, ପ୍ଲଟ ନମ୍ବର ୭୦୨ରେ ୧୫ ଟି ଦୋକାନ ଘର ସହ ଆନୁଷଙ୍ଗିକ ଭିତିଭୂମି ବିକାଶ ପାଇଁ ଗୋଟିଏ ପ୍ୟାକେଜରେ ପ୍ରାୟ ୧ କୋଟି ୮୭ ଲକ୍ଷ ୬୬ ହଜାର ୨୬୦ ଟଙ୍କାର ବ୍ୟୟବରାଦ ହୋଇଥିଲା। ୨୮୦ ଦିନ ମଧ୍ୟରେ କାମ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ ହୋଇଥିବା ବେଳେ ଏଥିମଧ୍ୟରୁ କେବଳ ଦୋବଲ କାଳୀପଡ଼ିଆ ର ୧୫ ଟି ଦୋକାନ ଘର ପାଇଁ ୩୦ ରୁ ୪୦ ଲକ୍ଷ ଟଙ୍କା ଆକଳନ କରାଯାଇଥିଲା ଅଭିଯୋଗ ଅନୁଯାୟୀ, ସଂପୃକ୍ତ ଠିକାଦାର ପ୍ରକାଶ କୁମାର ପଣ୍ଡା ଏଠାରେ ୧୫ ଟି ପରିବର୍ତେ ମାତ୍ର ୭ ଟି ଦୋକାନ ଘର ନିର୍ମାଣ କରିଛନ୍ତି। ପ୍ରଥମ ମହଲାରେ ଅବଶିଷ୍ଟ ଦୋକାନ ଘର ନିର୍ମାଣ ହେବା ନେଇ ଯେଉଁ ଆଶା କରାଯାଉଥିଲା, ତାହା ମଧ୍ୟ ଏବେ କ୍ଷୀଣ ହୋଇଯାଇଛି। କାରଣ ନିର୍ମାଣାଧୀନ କୋଠାର ସିଢ଼ି ଘର ଉପରେ ଛାତ ପଡ଼ି କବାଟ ଲଗାଇ ଦିଆଯାଇଛି, ଯାହାଦ୍ୱାରା ଉପର ମହଲାରେ ଆଉ ଦୋକାନ ଘର ନିର୍ମାଣ ହେବାର କୌଣସି ଯୋଜନା ନଥିବା ସ୍ପଷ୍ଟ ଜଣାପଡ଼ୁଛି।ଏ ସମ୍ପର୍କରେ ଭଦ୍ରକ ଆରଏମସି ର କନିଷ୍ଠ ଯନ୍ତ୍ରୀଙ୍କୁ ପଚରାଯିବାରୁ ସେ ସ୍ଥାନ ଅଭାବର କାରଣ ଦର୍ଶାଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ସମ୍ପୃକ୍ତ ସ୍ଥାନରେ ୧୫ ଟି ଦୋକାନ ଘର ନିର୍ମାଣ ପାଇଁ ଆବଶ୍ୟକ ଜାଗା ନଥିବାରୁ ୭ ଟି ଦୋକାନ ଘର ନିର୍ମାଣ କରି କାମ ସାରି ଦିଆଯାଇଛି। ତେବେ ୧୫ ଟି ଦୋକାନ ଘର ବାବଦକୁ ଥିବା ବଳକା ଅର୍ଥରେ ଦୋକାନ ଘର ସାମ୍ନା ଅଂଶକୁ କଂକ୍ରିଟ କରାଯିବା ସହ ପାର୍କିଂ ସ୍ଥାନରେ ଫେବର ବ୍ଲକ ପକାଯିବ ବୋଲି ସେ କହିଛନ୍ତି।କନିଷ୍ଠ ଯନ୍ତ୍ରୀଙ୍କ ଏଭଳି ବୟାନ ପରେ ପ୍ରକଳ୍ପର ପ୍ରାରମ୍ଭିକ ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରୀ ନିୟମ ଓ ଓପିଡବ୍ଲୁଡି କୋଡ୍ ଅନୁଯାୟୀ, କୌଣସି ନିର୍ମାଣ କାର୍ଯ୍ୟ ପୂର୍ବରୁ ପ୍ରଥମେ ଆବଶ୍ୟକତା ନିରୂପଣ କରାଯାଏ ଏବଂ ତହସିଲ ବା ରାଜସ୍ୱ ବିଭାଗ ମାଧ୍ୟମରେ ଜମିର କିସମ, ମାଲିକାନା ଓ କ୍ଷେତ୍ରଫଳ ଯାଂଚ କରାଯାଏ। ଏହାପରେ ବୈଷୟିକ ଅଧିକାରୀମାନେ ସ୍ଥାନ ପରିଦର୍ଶନ କରି ମାପଚୁପ ଓ ମାଟି ପରୀକ୍ଷା କରିବା ସହ ନକ୍ସା ଓ ବିସ୍ତୃତ ଅଟକଳ ପ୍ରସ୍ତୁତ କରିଥାନ୍ତି। ବୈଷୟିକ ମଞ୍ଜୁରୀ ଓ ପ୍ରଶାସନିକ ଅନୁମୋଦନ ମିଳିବା ପରେ ହିଁ ଟେଣ୍ଡର ଆହ୍ୱାନ କରାଯାଏ। ଯଦି ପ୍ରକଳ୍ପ ଆରମ୍ଭ ପୂର୍ବରୁ ଏତେସବୁ ଯାଂଚ ବ୍ୟବସ୍ଥା ରହିଛି, ତେବେ ଦୋବଲ କାଳୀପଡ଼ିଆ ରେ ଜାଗା ନ ମାପି କିଭଳି ୧୫ ଟି ଦୋକାନ ଘର ପାଇଁ ନକ୍ସା ଓ ଅଟକଳ ପ୍ରସ୍ତୁତ ହେଲା? ଯଦି ସେଠାରେ ଜାଗା ଅଭାବ ଥିଲା, ତେବେ ଟେଣ୍ଡର ପୂର୍ବରୁ ତାହା କାହିଁକି ଜଣାପଡ଼ିଲା ନାହିଁ। ଏବଂ ବିନା ବୈଷୟିକ ସଂଶୋଧନ ବା ସକ୍ଷମ କର୍ତୃପକ୍ଷଙ୍କ ଅନୁମତିରେ ୧୫ ଟି ଦୋକାନ ଘରର ଅର୍ଥକୁ କଂକ୍ରିଟ୍ ଓ ପେବର ବ୍ଲକ କାମରେ ଖର୍ଚ୍ଚ କରିବାକୁ କିପରି ନିଷ୍ପତି ନିଆଗଲା, ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ସନ୍ଦେହ ଘନୀଭୂତ ହୋଇଛି। ତେବେ ଆବଶ୍ୟକୀୟ ଅର୍ଥ ରହିଛି ଠିକାଦାର କାମ କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ବିଭାଗୀୟ କନିଷ୍ଟ ଯନ୍ତ୍ରୀ କାହା ଚାପରେ କାମ କରିବା ପାଇଁ ମନା କରୁଛନ୍ତି ଏପରି ଦୁର୍ନୀତି ପଛରେ କାହାର ହାତ ରହିଛି।ଭଦ୍ରକ ଜିଲ୍ଲା ପ୍ରଶାସନ ଓ କୃଷି ବିପଣନ ବୋର୍ଡର ଉଚ୍ଚପଦସ୍ଥ ଅଧିକାରୀମାନେ ଏହାର ନିରପେକ୍ଷ ତଦନ୍ତ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।ପ୍ରକାଶ ଥାଉକି ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଶୀ ସୁରଜ ଉକ୍ତ କାର୍ଯ୍ୟ କୁ ଶିଳାନ୍ୟାସ କରିଥିଲେ,୧୫ ଟି ଦୋକାନ ଘର ହେଲେ ୧୫ ବ୍ୟବଶାୟୀ ଉପକୃତ ହୋଇ ଥାଆନ୍ତେ ମାତ୍ର ଏପରି ଦୁର୍ନୀତି କୁ ତଦନ୍ତ ହେଉ ବୋଲି ଅଂଚଳ ବାସୀ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande