
ଭୁବନେଶ୍ୱର, 20 ନଭେମ୍ବର (ହି.ସ.)- ମା ମାଟି ଆଗ, ଦଳ ପଛ । କୋଟିଆ ପାଇଁ ଲଢେଇ ଜାରି ରହିବ । ଦରକାର ପଡିଲେ
ବିଧାନସଭାରେ ଆତ୍ମହୂତି ଦେବା ନେଇ ପୁଣି ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା
ବାହିନୀପତି । ସେ କହିଛନ୍ତି ଯେ, ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ହେଉଛି କୋଟିଆ । କେବଳ କୋଟିଆ
ନୁହେଁ,
ଆନ୍ଧ୍ର ସରକାର ଦୀର୍ଘ ବର୍ଷ ଧରି ନନ୍ଦପୁରଠାରୁ ପଟ୍ଟାଙ୍ଗି
ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳର ପ୍ରାୟ ୫୦ଟି ଗାଁ ଉପରେ ନିଜର ଦାବି ଜାହିର କରି ଆସୁଛି ।
ଏହି ପରିପ୍ରେକ୍ଷୀରେ
ଓଡ଼ିଶାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ଭଳି ପଡ଼ୋଶୀ ରାଜ୍ୟର ହସ୍ତକ୍ଷେପ ଏବଂ
ସୀମା ବିବାଦ ସମ୍ପର୍କରେ ଗୃହରେ ବିସ୍ତୃତ ଆଲୋଚନା ହେବା ଦରକାର । ରାଜସ୍ୱ ମନ୍ତ୍ରୀ ବି ସ୍ପଷ୍ଟ
ଭାବେ କହିଛନ୍ତି ଯେ, ଏହି
ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି । ଆଲୋଚନା ହେବା ନିହାତି ଆବଶ୍ୟକ । ହେଲେ ସଂସଦୀୟ
ବ୍ୟାପାର ମନ୍ତ୍ରୀଙ୍କ ଆଭିମୁଖ୍ୟ ପ୍ରସଙ୍ଗରେ
ସ୍ପଷ୍ଟ ହେଉ ନାହିଁ । ମୁଁ ସରକାରଙ୍କୁ ସ୍ପଷ୍ଟ ଭାବେ କହିଛି, ଯଦି କୋଟିଆ ପ୍ରସଙ୍ଗରେ ଆଲୋଚନା ନହୁଏ, ତେବେ ମୁଁ ଗୃହ ଭିତରେ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବି । ମୋ
ପାଇଁ ଦଳୀୟ ରାଜନୀତି ନୁହେଁ, ମୋ ମାଟି
ଓ ମୋ ମାତୃଭୂମି ପ୍ରଥମ । ମୋ ଜୀବନ ଠାରୁ ମୋ ମାଟି ଅଧିକ ମୂଲ୍ୟବାନ ।
ଯଦି ରାଜ୍ୟ ସରକାରଙ୍କର ଏହି
ପ୍ରସଙ୍ଗରେ ଆଲୋଚନା କରିବାର ଆନ୍ତରିକତା ନାହିଁ, ତେବେ ଆମେ କ'ଣ କୋଟିଆକୁ ଏମିତି ଛାଡ଼ି ଦେବୁ? କେବେ ନୁହେଁ । କୋଟିଆର ସ୍ୱାର୍ଥ ଓ ଓଡ଼ିଶାର ଅଧିକାର ପାଇଁ ଆମେ
ଜୀବନ ପଛେ ଦେବୁ, କିନ୍ତୁ
ଲଢ଼େଇରୁ ପଛକୁ ହଟିବୁ ନାହିଁ । କୋଟିଆ ପ୍ରସଙ୍ଗରେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ପାଇଁ ମୁଁ
ଦାବି କରୁଛି । ମୋ ଦଳ ମଧ୍ୟ ଏହି ଦାବି କରୁଛି ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା