
କେନ୍ଦ୍ରାପଡ଼ା, ୨୦ ନଭେମ୍ବର(ହି.ସ.) – ଶ୍ରୀକ୍ଷେତ୍ରରେ ପଂଚସଖା ଗଣ ଧର୍ମର ପ୍ରଚାର ଓ ପ୍ରସାର କରିବା ପାଇଁ ସୁଦୂର ନବ୍ଦଦୀପ ନଦିଆରୁ ଆସି ଚୈତନ୍ୟ ମହାପ୍ରଭୁ ଶ୍ରୀକ୍ଷେତ୍ର ମାଟିରେ ହରି ନାମର ସଂକୀର୍ତନ କରିଥିଲେ। ଆଜିର ଏହି ନାମ ସଂକୀର୍ତନର ଅବକ୍ଷୟ ହେବା ସହ ଯୁବ ପୀଢ଼ି ନିଶା ସେବନ ଠୁ ଆରମ୍ଭ କରି ବିଭିନ୍ନ ଅସାମାଜିକ କାର୍ଯ୍ୟକ୍ରମରେ ଲିପ୍ତ ଥିବାବେଳେ ଜିଲ୍ଲାର ଗରଦପୁରର ଯୁବଗୋଷ୍ଠୀଙ୍କ ପାଖରେ ଦେଖାଯାଇଛି ଭିନ୍ନ ପରିବର୍ତନ। ଓଡ଼ିଶାର ସଂସ୍କୃତି ସମ୍ପନ୍ନ ରାଜ୍ୟରେ କାର୍ତିକ ମାସ ପଂଚକରେ ଯୁବ ଗୋଷ୍ଠୀଙ୍କ କାନ୍ଧରେ ମୃଦଙ୍ଗ ମହାପ୍ରଭୁଙ୍କୁ ଉପହାର ଦିଆଯାଇଛି। ଶ୍ରୀହରି ଚରଣେ ମନ ଲଗା କାର୍ଯ୍ୟକ୍ରମର ଆହ୍ୱାନ କରି ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହାର ଶୁଭାରମ୍ଭ ହୋଇଛି। କାର୍ତିକ ମାସରେ ଭଜନ ଓ କୀର୍ତନ ପରମ୍ପରାର ସୁରକ୍ଷା ପାଇଁ ନିଆରା ପ୍ରୟାସ, ଦମନ ମହାନ୍ତିଙ୍କ ଉଦ୍ୟମକୁ ପ୍ରଶଂସା ଆଧୁନିକତାର ପ୍ରଭାବରେ ଧୀରେ ଧୀରେ ଲୋପ ପାଇବାକୁ ବସିଥିବା ଓଡ଼ିଆ ଭଜନ, କୀର୍ତନ ଓ ପାରମ୍ପରିକ ଲୋକକଳାକୁ ପୁନର୍ଜୀବିତ କରିବା ଲକ୍ଷ୍ୟରେ ଟ୍ରଷ୍ଟ ପକ୍ଷରୁ ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ପବିତ୍ର କାର୍ତିକ ମାସର ଧାର୍ମିକ ମହତ୍ୱକୁ ଦୃଷ୍ଟିରେ ରଖି ଗାଁ ଗାଁରେ ଭଜନ ଓ କୀର୍ତନ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ଯୁବପିଢ଼ିଙ୍କୁ ଏହା ସହ ଯୋଡ଼ିବା ପାଇଁ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସ୍ଥାନରେ କୀର୍ତନ ମଣ୍ଡଳୀଙ୍କୁ ମୃଦଙ୍ଗ ଦାନ କରାଯାଉଛି। ଏହି କ୍ରମରେ ନବୀନ କିଶୋର କୀର୍ତନ ମଣ୍ଡଳୀକୁ ମୃଦଙ୍ଗ ପ୍ରଦାନ କରାଯାଇଛି। ଏହି ଅବସରରେ ଅନାମ ଚରଣ ସେଠୀ, ଭକ୍ତଚରଣ ଦାଶ, ବ୍ରଜକିଶୋର ମହାରଣା, ନିହାର ରଞ୍ଜନ ଜେନା, ନିରାକାର ତ୍ରିପାଠୀ, କାଳିଆ ଭାଇନା ଓ ସମୀର ଦାଶଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଏହି ମହତ୍ କାର୍ଯ୍ୟର ସାକ୍ଷୀ ହୋଇଥିଲେ। କେବଳ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ନୁହେଁ, ବରଂ ଓଡ଼ିଆ ଜାତିର ମୌଳିକ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ଚେତନାକୁ ଆଗାମୀ ପିଢ଼ି ନିକଟରେ ପହଂଚାଇବା ହେଉଛି ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। କାର୍ତିକ ମାସରେ ଗାଁ ଗାଁରେ ହରିନାମ ସଂକୀର୍ତନର ଧ୍ୱନି ଗୁଞ୍ଜରିତ ହେବା ସହ ଲୋକଙ୍କ ମଧ୍ୟରେ ଧାର୍ମିକ ଭାବନା ଓ ସାମାଜିକ ଏକତା ଦୃଢ଼ ହୋଇଥାଏ। ବିଶେଷକରି ଆଜିର ଯୁବପିଢ଼ି ମୋବାଇଲ ଓ ଆଧୁନିକ ଜୀବନଶୈଳୀ ପ୍ରତି ଅଧିକ ଆକର୍ଷିତ ହେଉଥିବା ବେଳେ ସେମାନଙ୍କୁ ନିଜ ମାଟିର କଳା, ସଂସ୍କୃତି ଓ ପରମ୍ପରା ସହ ଯୋଡ଼ିବାର ଏହା ଏକ ସୁନ୍ଦର ପ୍ରୟାସ। ମୃଦଙ୍ଗ କେବଳ ଏକ ବାଦ୍ୟଯନ୍ତ୍ର ନୁହେଁ, ଏହା ଓଡ଼ିଆ ଭଜନ ଓ କୀର୍ତନ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହାର ତାଳ ଓ ନାମସଂକୀର୍ତନର ସ୍ୱର ମାଧ୍ୟମରେ ଯୁବପିଢ଼ିଙ୍କ ମନରେ ଆଧ୍ୟାତ୍ମିକ ଭାବନା ଓ ସାଂସ୍କୃତିକ ଚେତନା ଜାଗ୍ରତ କରିବା ସମ୍ଭବ। ନିଜ କଷ୍ଟ ଉପାର୍ଜିତ ଧନକୁ ସମାଜର ହିତ ଓ ସଂସ୍କୃତିର ସୁରକ୍ଷା ଦିଗରେ ବିନିଯୋଗ କରି ଦମନ ମହାନ୍ତି ଯେଉଁ ଉଦାହରଣ ସୃଷ୍ଟି କରୁଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣାଦାୟୀ ହୋଇଛି। ତାଙ୍କର ଏହି ଉଦ୍ୟମକୁ ବିଭିନ୍ନ ମହଲରୁ ସାଧୁବାଦ ଓ ପ୍ରଶଂସା କରାଯାଉଛି। ପରମ୍ପରା କେବଳ ପୂର୍ବପୁରୁଷଙ୍କ ଠାରୁ ମିଳିଥିବା ଏକ ଐତିହ୍ୟ ନୁହେଁ, ଏହାକୁ ଆଗାମୀ ପିଢ଼ି ହାତରେ ସୁରକ୍ଷିତ ଭାବେ ହସ୍ତାନ୍ତର କରିବା ମଧ୍ୟ ଆମ ସମସ୍ତଙ୍କ ଦାୟିତ୍ୱ। ଟ୍ରଷ୍ଟର ଏହି ମୃଦଙ୍ଗ ଦାନ କାର୍ଯ୍ୟକ୍ରମ ଏହି ଦାୟିତ୍ୱବୋଧର ଏକ ସୁନ୍ଦର ପ୍ରତିଫଳନ। ଆଗାମୀ ଦିନରେ ଏହି ପ୍ରୟାସ ଅଧିକ ଗାଁ ଓ କୀର୍ତନ ମଣ୍ଡଳୀ ପର୍ଯ୍ୟନ୍ତ ପହଂଚିଲେ ଓଡ଼ିଆ ଭଜନ ଓ କୀର୍ତନର ପୁରାତନ ପରମ୍ପରା ନୂତନ ପିଢ଼ିଙ୍କ ହାତରେ ଆହୁରି ସମୃଦ୍ଧ ହୋଇପାରିବ।
.......................................
ହିନ୍ଦୁସ୍ଥାନ ସମାଚାର / ରବି