
କେନ୍ଦ୍ରାପଡ଼ା, ୨୦ ନଭେମ୍ବର(ହି.ସ.) – ଓଡ଼ିଆ ସଙ୍ଗୀତ ଜଗତର ବେତାଜ୍ ବାଦଶାହା ଅକ୍ଷୟ ମହାନ୍ତିଙ୍କ ୨୪ତମ ଶ୍ରାଦ୍ଧୋତ୍ସବ କେନ୍ଦ୍ରାପଡ଼ା ଜିଲ୍ଲା ବାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନ ଓ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠାନ ପରିସରରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅକ୍ଷୟଙ୍କ ପୁଣ୍ୟ ଶ୍ରାଦ୍ଧବାର୍ଷିକୀକୁ ଅଧିକ ସ୍ମରଣୀୟ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ଅନନ୍ୟ ଅକ୍ଷୟ ଲଘୁ ସଙ୍ଗୀତ ମହୋତ୍ସବ କଳା ନିକେତନର ପ୍ରତିଷ୍ଠାତା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ାଙ୍କ ଅଧ୍ୟକ୍ଷତା ଏବଂ ସୁପରିଚାଳନାରେ ପରିବେଷିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ପ୍ରଶାସକ ସୁଶୀଲ ସାମଲ, ମୁଖ୍ୟବକ୍ତା ଜୀବନ ବୀମା ନିଗମର ବ୍ରାଂଚ୍ ମ୍ୟାନେଜର କବି ଅରୁଣ ବିଶ୍ୱାଳ ବିଶିଷ୍ଟ ଅତିଥି ଭାବେ କବି ଡ. ମନୋରଞ୍ଜନ ଦାଶ, ସମ୍ମାନିତ ଅତିଥି କବି ଅମର ପ୍ରସାଦ ରାଉତ, ପ୍ରଫେସର ପ୍ରଶାନ୍ତ ସାମଲ, ଗାୟକ ଅଜୟ ମହାନ୍ତି, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅଜୟ ସ୍ୱାଇଁ, ସମାଜସେବୀ ସଚ୍ଚିଦାନନ୍ଦ ବେହେରା, ପ୍ରଫେସର ପ୍ରକାଶ ଦାସ, କବି ଅଶୋକ ସାହୁ ପ୍ରମୁଖ ଯୋଗ ଦେଇ ଅକ୍ଷୟଙ୍କୁ ଏକାଧାରରେ ଜଣେ ସଫଳ ଗୀତିକାର, ଗାୟକ, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା, ଗାଳ୍ପିକ, କବି, ଔପନ୍ୟାସିକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବରେ ବର୍ଣ୍ଣନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅମ୍ଳାନ ସ୍ମୃତିଚାରଣ କରିଥିଲେ। ଶ୍ରୀ ପରିଡ଼ା ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରି ଅକ୍ଷୟଙ୍କ ଲୋକପ୍ରିୟ କାଳଜୟୀ ସଙ୍ଗୀତ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଦୁଇଦିନ ଧରି ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରଥମ ଦିନ କଳା ନିକେତନ ପରିସରରେ ଥିବା ଅକ୍ଷୟ ମହାନ୍ତି, ଭିକାରୀ ବଳ, ଲୋକକବି ଭାବଗ୍ରାହୀ ପରିଡ଼ା ଏବଂ କବି ପତ୍ନୀ ସରୋଜିନୀ ପରିଡ଼ାଙ୍କ ପ୍ରତିମୂର୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ ଏବଂ ଅଖଣ୍ଡ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଅକ୍ଷୟ ମହାନ୍ତି କକ୍ଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଅମ୍ଳାନ ଅକ୍ଷୟ ସଙ୍ଗୀତ ଗାଇଥିଲେ ଏବଂ ନୃତ୍ୟ ପରିବେଷଣ କରିଥିଲେ। ଦ୍ୱିତୀୟ ଦିନ ଅପରାହ୍ନରେ ଅନନ୍ୟ ଅକ୍ଷୟ ଲଘୁ ସଙ୍ଗୀତ ମହୋତ୍ସବ ଉଦଯାପିତ ହୋଇଥିଲା। ଏଥିରେ ବିମଳ ପରିଡ଼ା, ଉପେନ୍ଦ୍ର ପାଢ଼ୀ, ହେନାଞ୍ଜଳି ଜେନା, ରଞ୍ଜନ ବରାଳ ପ୍ରମୁଖ ଅକ୍ଷୟଙ୍କ କାଳଜୟୀ ସଙ୍ଗୀତ ପରିବେଷଣ କରିଥିଲେ। ଅଙ୍କିତା ପରିଡ଼ା, ଅର୍ପିତା ସାହୁ, ଅଙ୍କିତା ସାହୁ, ଅଭିଲିପ୍ସା ସାହୁ ପ୍ରମୁଖ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତରେ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ। ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅକ୍ଷୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଭାବଗ୍ରାହୀ କଳା ନିକେତନ ଏବଂ ମହ୍ଲାର ଅର୍କେଷ୍ଟ୍ରାର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲାବେଳେ ପ୍ରବଚକ ବିକ୍ରମ କେଶରୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି