
• କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖିଲେ ମେୟର
ଭୁବନେଶ୍ୱର, 20 ନଭେମ୍ବର (ହି.ସ.) -
ବାତ୍ୟା ‘ଅକଓ୍ୱାନ’ ଜନିତ ବର୍ଷା ଓ ପବନ ପରେ ସହରରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ବ୍ୟାପକ ସଫେଇ ଓ ଜଳ ନିଷ୍କାସନ କାର୍ଯ୍ୟ ଜାରି ରହିଛି। ସହରର ବିଭିନ୍ନ ୱାର୍ଡରେ ଡ୍ରେନ୍ ଓ କଲଭର୍ଟ ସଫେଇ, ପଙ୍କୋଦ୍ଧାର, ପମ୍ପ ଯୋଗେ ଜଳ ନିଷ୍କାସନ ଏବଂ ରାସ୍ତାରୁ ଭାଙ୍ଗି ପଡ଼ିଥିବା ଗଛ ଓ ଡାଳ ହଟାଇବା କାର୍ଯ୍ୟକୁ ଜୋରଦାର କରାଯାଇଛି। ଅଭିଯୋଗ ଓ ସୂଚନା ପାଇବା ମାତ୍ରେ ବିଏମ୍ସିର ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ପଦକ୍ଷେପ ନେଉଛନ୍ତି।
ଆଜି ସକାଳେ ମେୟର ଶ୍ରୀମତୀ ସୁଲୋଚନା ଦାସ ଓ କମିଶନର ଶ୍ରୀ ଚଞ୍ଚଳ ରାଣା ଭିନ୍ନ ଭିନ୍ନ ସମୟରେ 24 ଘଣ୍ଟିଆ କମାଣ୍ଡ କଣ୍ଟ୍ରୋଲ ରୁମ୍ ବୁଲି ଦେଖିଥିଲେ । ପରେ ମେୟର ଶ୍ରୀମତୀ ଦାସ 4 ନମ୍ବର ଓ୍ୱାର୍ଡ ଓ ଅନ୍ୟାନ୍ୟ ଓ୍ୱାର୍ଡ ବୁଲି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରି ସେଠାରେ ଥିବା ଲୋକମାନଙ୍କ ସହ ଆଲୋଚନା କରିଥିଲେ । ତେବେ ଲୋକମାନେ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳରେ ଭଲରେ ଥିବା ମେୟରଙ୍କୁ ଅବଗତ କରାଇଥିଲେ । ମେୟରଙ୍କ ସହ ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଓ୍ୱାର୍କ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ବେହେରା, ସ୍ଲମ ସେଟଲମେଣ୍ଟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ମହାମାୟା ସ୍ୱାଇଁ, କର୍ପୋରେଟର ଶ୍ରୀ ଅଜିତ୍ ବେହେରାଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଆଜି କଣ୍ଡରା ପୋଖରୀ ଡ୍ରେନ୍ ସଫେଇ ସହ ଜେଟିଂ ମେସିନ୍ ଦ୍ୱାରା କଲଭର୍ଟ ସଫା କରାଯାଇଛି। ସିଆର୍ପିଏଫ୍ ରାସ୍ତାର ସଫେଇ, ହଂସପାଳଠାରେ ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଥିବା ଆବର୍ଜନା ସଫା ଏବଂ ୫୯ ନମ୍ବର ୱାର୍ଡର ସରଧା ମଠ ନିକଟରୁ ପମ୍ପ ଯୋଗେ ବର୍ଷାଜଳ ନିଷ୍କାସନ କରାଯାଇଛି। ସେହିପରି ସିଆର୍ପିଏଫ୍ ଛକ ନିକଟ ପ୍ରିୟଦର୍ଶିନୀ ମାର୍କେଟ୍ରେ ଆର୍ ଆଣ୍ଡ୍ ବି ଡ୍ରେନ୍, ୧୫ ନମ୍ବର ୱାର୍ଡର ରେଣ୍ଟାଲ କଲୋନୀ ବିଦ୍ୟାଳୟ ସମ୍ମୁଖ ଡ୍ରେନ୍ ଏବଂ ସିଆର୍ପିଏଫ୍ ଛକ କଲଭର୍ଟ ସଫେଇ କରାଯାଇଛି।ଏହାବ୍ୟତୀତ ଝରଣା ସାହି ଡ୍ରେନ୍ ଓ କଲଭର୍ଟ, ଲକ୍ଷ୍ମୀସାଗର ଟ୍ରାଫିକ୍ ଛକ, ପୁରୁଣା ବସ୍ଷ୍ଟାଣ୍ଡ ନିକଟ ଡ୍ରେନ୍ ଏବଂ ନହରକଣ୍ଟା ୭ (ii) ଡ୍ରେନ୍ର ସଫେଇ ଓ ପଙ୍କୋଦ୍ଧାର କରାଯାଇଛି। କମଳା ନେହରୁ କଲେଜ ନିକଟରେ ଡ୍ରେନ୍ ସଫା କରାଯାଇ ଜମି ରହିଥିବା ବର୍ଷାଜଳର ନିଷ୍କାସନ ସୁଗମ କରାଯାଇଛି।
ଅନ୍ୟପକ୍ଷରେ ବାତ୍ୟା ପ୍ରଭାବରେ ସହରର ବିଭିନ୍ନ ଅଞ୍ଚଳରେ ଉପୁଡ଼ି ପଡ଼ିଥିବା ଗଛ ଓ ଭାଙ୍ଗି ପଡ଼ିଥିବା ଡାଳଗୁଡ଼ିକୁ ବିଏମ୍ସି ଟିମ୍ ତୁରନ୍ତ କାଟି ହଟାଇଛନ୍ତି। ବିଡିଏ କଲୋନୀ ତାରିଣୀ ମନ୍ଦିର, ଶୈଳଶ୍ରୀ ବିହାର, ସାଲିଆ ସାହି, ନୀଳାଦ୍ରି ବିହାର ଲେନ୍-୩, ୧୭ ନମ୍ବର ୱାର୍ଡ ଅଫିସ୍ ସମ୍ମୁଖ, ସାମନ୍ତରାପୁର ଲିଙ୍ଗରାଜ ମନ୍ଦିର ରାସ୍ତା, ପୋଖରୀପୁଟ ଭକ୍ତ ମଧୁନଗର ଲେନ୍-୭, ୨୩ ନମ୍ବର ୱାର୍ଡର କଳିଙ୍ଗ ନଗର, ୩୦ ନମ୍ବର ୱାର୍ଡ, ଝାରପଡ଼ା ଛକ, ଅଶୋକ ନଗର, ୟୁନିଟ୍-୨, ମାଷ୍ଟର କ୍ୟାଣ୍ଟିନ୍ ଓ ରାଜମହଲ ଅଞ୍ଚଳରୁ ଗଛ ଓ ଡାଳ ହଟାଇ ରାସ୍ତା ଅବରୋଧ ଦୂର କରାଯାଇଛି।
ଏବେ ସୁଦ୍ଧା ବିଏମ୍ ସିର ସମସ୍ତ ଅଧିକାରୀ ଓ କର୍ମଚାରୀ ସଜାଗ ରହିଛନ୍ତି । କଣ୍ଟ୍ରୋଲ ରୁମରେ ଥିବା 1929 କିମ୍ବା ସୋସିଆଲ ମିଡିଆରେ ଯେ କୌଣସି ଅଂଚଳରୁ ଅଭିଯୋଗ ଆସିବା ମାତ୍ରେ, ଘଟଣାସ୍ଥଳରେ ଅଧିକାରୀ ଓ ରାପିଡ୍ ଆକ୍ସନ ଟିମ୍ ପହଞ୍ଚି ସମସ୍ୟାର ତୁରନ୍ତ ସମାଧାନ କରୁଥିବା ବିଏମ୍ ସି ପକ୍ଷରୁ କୁହାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା