

ସମ୍ବଲପୁର, ୨୦, ନଭେମ୍ବର (ହି.ସ.) - ତହସିଲଦାରଙ୍କୁ ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ, ମହିଳାଙ୍କୁ ଧମକ ପରେ ଜୋର୍ ଧରିଲା କୁଚିଣ୍ଡା ଉପ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି । ଆଇନକୁ ଖୋଲାଖୋଲି ଚ୍ୟାଲେଞ୍ଜ। ନା ଅଛି ବାଲି ଖାଦାନର ଲିଜ୍, ନା ରହିଛି ବାଲି ଉଠାଣ ପାଇଁ ସରକାରୀ ଅନୁମତି। ତଥାପି ଦିନ ଦ୍ୱିପ୍ରହରରେ ନଦୀ ଡଙ୍ଗାଘାଟରୁ ଚାଲିଛି ବେଆଇନ ବାଲି ଉଠାଣ ଓ ଟ୍ରକ୍ ଟ୍ରାକ୍ଟରରେ ପରିବହନ। ନଦୀ ଶଯ୍ୟାରୂ ବେଆଇନ୍ ବାଲି ଉଠାଣ ପରେ ନମ୍ବର ବିହୀନ ଟ୍ରାକ୍ଟରରେ ବାଲି ଚାଲାଣ, ନିର୍ଦ୍ଧିଷ୍ଟ ସ୍ଥାନରେ ବାଲି ମହଜୁଦ କରିବା ପରେ ମନଇଛା ଦରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ବେଆଇନ ବାଲି ଖନନ ଓ ପରିବହନକୁ ରୋକିବାକୁ ଯାଇ ଖୋଦ୍ ତହସିଲଦାରଙ୍କୁ ମାଫିଆ ମାନେ ଷଡ଼ଯନ୍ତ୍ର ପୂର୍ବକ ଗାଡ଼ି ଚଢ଼ାଇ ଆକ୍ରମଣ ଉଦ୍ୟମ ହୋଇଥିବା ନେଇ ଖୋଦ୍ ତହସିଲଦାର ସୂଚନା ଦେଇଥିଲେ ମଧ୍ୟ ଏଭଳି ଗମ୍ଭୀର ଘଟଣା ଉପରେ ଥାନାରେ ଏତଲା ଦାଖଲ ହୋଇନଥିବା ନେଇ ଭିନ୍ନ ସନ୍ଦେହ ସୃଷ୍ଟି ହୋଇଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ପଂଚାୟତ ଅନ୍ତର୍ଗତ ଲାଡ଼ ଗ୍ରାମର ଡଙ୍ଗାଘାଟ ଖର୍ଲା ନଦୀ ବାଲି ଶଯ୍ୟାରୁ ଦୀର୍ଘଦିନ ଧରି ବେଆଇନ ବାଲି ଖନନ ଓ ପରିବହନ ହୋଇ ଆସୁଛି । ଏହି ବେଆଇନ ବାଲି ଚାଲାଣ ନେଇ ଅଂଚଳବାସୀ ଖୋଲାଖୋଲି ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରତିଦିନ ସକାଳ ପ୍ରାୟ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ନଦୀ ଶଯ୍ୟାରୁ ବାଲି ଖନନ କରି ନମ୍ବର ବିହୀନ ଟ୍ରାକ୍ଟରରେ ଗ୍ରାମର ବିଭିନ୍ନ ସ୍ଥାନରେ ମହଜୁଦ ରଖାଯାଉଛି। ବଜାର ଦର ଓ ଲୋକଦେଖି ମୂଲଚାଲ କରି ତଥାକଥିତ ମାଫିଆ ମାନେ ଚଢା ଦରରେ ବିକ୍ରି କରି ବେଶ୍ ମୋଟା ଅଙ୍କର ମୁନାଫା ଉଠାଇ ଚାଲିଛନ୍ତି । ଏହାଦ୍ୱାରା କେବଳ ସରକାରୀ ରାଜସ୍ୱ ହାନି ହେଉନାହିଁ , କହୁ କଷ୍ଟରେ ଗରିବ ଲୋକଟିଏ ଘରଟିଏ କରିବାକୁ ଯାଉଥିବା ବେଳେ ମାଫିଆଙ୍କ ଦ୍ୱାରା ପର୍ଯ୍ୟପ୍ତ ଅର୍ଥ ଶୋଷଣର ଶିକାର ହେଉଥିବା ମଧ୍ୟ ଅଭିଯୋଗ ହେଉଛି ।
ନଦୀଶଯ୍ୟା ପରେ ଏବେ ମାଫିଆ ମାନଙ୍କ ନଜର ଗାଁ ଶ୍ମଶାନ ଜମି ଉପରେ ପଡ଼ିବା ନେଇ କେତେକ ଅଂଚଳବାସୀ ଅଭିଯୋଗ କରିଛନ୍ତି । ଲାଡ଼ ଗ୍ରାମ ୯ ନମ୍ବର ୱାର୍ଡରେ ଗୌଡ଼ ସମାଜର ମହିଳାମାନେ ଅଭିଯୋଗ କରିଛନ୍ତି ଯେ, ଶୁଦ୍ଧିକ୍ରିୟା ଓ ଶ୍ମଶାନ ଘାଟ ପାଇଁ ଉଦ୍ଦିଷ୍ଟ ଦୁଇରୁ ତିନୋଟି ସ୍ଥାନକୁ ଜେସିବିରେ ସଫା କରି ସେଠାରେ ବାଲି ମହଜୁଦ କରିବାର ଅପଚେଷ୍ଟା କରାଯାଉଛି । ଏହାକୁ ବିରୋଧ କରିବାରେ ମାଫିଆମାନେ ମହିଳା ମାନଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ବେଆଇନ ବାଲି କାରବାରରେ କେବଳ ତଥାକଥିତ ମାଫିଆ ନୁହେଁ, ଏହା ପ୍ରଛଦପଟରେ କିଛି ପ୍ରଶାସନିକ ଅଧିକାରୀ, ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଓ ରାଜନୈତିକ ବ୍ୟକ୍ତିଙ୍କ ସମର୍ଥନ ଥିବା ଯୋଗୁଁ ସାଧାରଣ ଲୋକେ ଭୟରେ ମୁହଁ ଖୋଲିବାକୁ ସାହସ କରୁନଥିବା କୁହାଯାଉଛି । ବେଆଇନ ବାଲି ଖନନ ଓ ଚାଲାଣ ଯୋଗୁଁ ନଦୀଶଯ୍ୟା ଠାରୁ ଆରମ୍ଭ କରି ରାସ୍ତାଘାଟ ଓ ପରିବେଶ ନଷ୍ଟ ହେଉଛି, ତେଣୁ ବାଧ୍ୟ ହୋଇ କୁଚିଣ୍ଡା ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଦେବାକୁ ଲୋକେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ବାଲି ମାଫିଆଙ୍କ ଦୌରାତ୍ମ୍ୟ ନେଇ ଆସିଥିବା ଅଭିଯୋଗ ମଧ୍ୟରେ ସବୁଠାରୁ ଚିନ୍ତାଜନକ ଘଟଣା ହେଉଛି ତହସିଲଦାରଙ୍କ ଉପରେ ହୋଇଥିବା ଆକ୍ରମଣ ଉଦ୍ୟମ। ଏନେଇ କୁଚିଣ୍ଡା ତହସିଲଦାରଙ୍କୁ ସାକ୍ଷାତ କରିବାରୁ ସେ କହିଥିଲେ ଯେ, ପୂର୍ବରୁ ନଦୀଘାଟକୁ ଯାଇ ବାଲି ଚାଲାଣ ରୋକିବା ପାଇଁ ଚଢ଼ାଉ କରିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ବାଲି ପରିବହନ କରୁଥିବା ଗାଡ଼ିର ଚାଳକମାନେ ପ୍ରଶାସନକୁ ଖାତିର ନକରି ଦ୍ରୁତଗତିରେ ଗାଡ଼ି ଚଳାଇଥିଲେ। ଏପରିକି ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ଭଳି ଆକ୍ରମଣ ଉଦ୍ୟମ କରି ଗାଡ଼ି ନେଇ ଘଟଣାସ୍ଥଳରୁ ଚାଲିଯାଇଥିବା ତହସିଲଦାର ପ୍ରକାଶ କରିଛନ୍ତି। ଜଣେ ସରକାରୀ ଅଧିକାରୀ ନିଜ କର୍ତବ୍ୟ ସମ୍ପାଦନ ସମୟରେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବା ପ୍ରଶାସନିକ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି।
ତହସିଲଦାରଙ୍କ କହିବା ଅନୁଯାୟୀ, ଆଗାମୀ ଦିନରେ ବାଲି ଚାଲାଣ ସମୟରେ ମାଇନିଂ ବିଭାଗ ଓ ପୋଲିସର ସହଯୋଗରେ ମିଳିତ ଚଢ଼ାଉ କରାଯିବ। ତେବେ ଜଣେ ଅଧିକାରୀଙ୍କ ପ୍ରତି ଆକ୍ରମଣ ଉଦ୍ୟମ ପରେ ଏତଲା କାହିଁକି ନାହିଁ ତାହା ତଦନ୍ତ ସାପେକ୍ଷ ।
ଏହି ଘଟଣାର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ତହସିଲଦାରଙ୍କ ଉପରେ ଗାଡ଼ି ଚଢ଼ାଇ ଆକ୍ରମଣ ଉଦ୍ୟମ ହୋଇଥିବା ସତ୍ୱେ ଏପର୍ଯ୍ୟନ୍ତ ଥାନାରେ ଏତଲା ଦାଖଲ ହୋଇନଥିବାର କାରଣ ଏବେ ବି ରହସ୍ୟରେ ରହିଯାଇଛି। ଜଣେ ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ ଉଦ୍ୟମ ଭଳି ଗମ୍ଭୀର ଅଭିଯୋଗ ପରେ ମଧ୍ୟ ଯଦି ଆଇନଗତ ପଦକ୍ଷେପ ନିଆଯାଉନାହିଁ, ତେବେ ଏହା ବେଆଇନ କାରବାରରେ ସମ୍ପୃକ୍ତ ଲୋକଙ୍କ ମନୋବଳ ବଢ଼ାଇବାର ଆଶଙ୍କା ରହିଛି। ଆଜି ଯଦି ଜଣେ ତହସିଲଦାର ନିଜ କର୍ତବ୍ୟ ସମ୍ପାଦନ ସମୟରେ ଅସୁରକ୍ଷିତ, ତେବେ ଆସନ୍ତାକାଲି ଅନ୍ୟ କୌଣସି ସରକାରୀ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଲେ ଏହାର ଦାୟିତ୍ୱ କିଏ ନେବ ? ଏହି ଘଟଣାକୁ କୁଚିଣ୍ଡା ଉପଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ନିରପେକ୍ଷ ତଦନ୍ତ କରିବାକୁ ଅଂଚଳବାସୀ ଦାବି କରିଛନ୍ତି।
ବିଶେଷକରି ତହସିଲଦାରଙ୍କ ଉପରେ ହୋଇଥିବା ଆକ୍ରମଣ ଉଦ୍ୟମର ତଦନ୍ତ କରି ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯାଉ। ଲାଡ଼ ଡଙ୍ଗାଘାଟରେ ବାଲି ଉଠାଣର ବୈଧତା ଯାଂଚ କରାଯିବା ସହ ବେଆଇନ ଭାବେ ବାଲି ଗଚ୍ଛିତ ରଖାଯାଇଥିବା ସ୍ଥାନଗୁଡ଼ିକର ତଦନ୍ତ, ନମ୍ବରବିହୀନ ଟ୍ରାକ୍ଟର ଚିହ୍ନଟ ଏବଂ ସରକାରୀ ରାଜସ୍ୱ ହାନିର ଆକଳନ କରାଯାଉ। ଏଥିସହ ଶ୍ମଶାନ ଓ ଶୁଦ୍ଧିକ୍ରିୟା ପାଇଁ ଉଦ୍ଦିଷ୍ଟ ଜମିକୁ ସୁରକ୍ଷା ଦେବାକୁ ମଧ୍ୟ ଦାବି ହୋଇଛି । ଏହି ଘଟଣା ସମ୍ପର୍କରେ ସମ୍ବଲପୁର ମାଇନିଂ ବିଭାଗ ସହ ଯୋଗାଯୋଗ କରିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା। ଲାଡ଼ ଡଙ୍ଗାଘାଟରେ ଚାଲିଥିବା ଏହି ବେଆଇନ ବାଲି କାରବାର ପଛରେ କେଉଁ ଅଦୃଶ୍ୟ ଶକ୍ତି ରହିଛି ଯାହା ଫଳରେ ବାଲି ମାଫିଆ ମାନେ ପ୍ରଶାସନକୁ ଚ୍ୟାଲେଞ୍ଜ କରିବାକୁ ସାହାସ ଝୁଟାଇ ପାରୁଛନ୍ତି ତାହା ତଦନ୍ତ ସାପେକ୍ଷ। ଏବେ ଦେଖିବାକୁ ବାକି ରହିଲା କୁଚିଣ୍ଡା ଉପଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ଏହି ଗମ୍ଭୀର ଅଭିଯୋଗକୁ କେତେ ଗୁରୁତ୍ୱର ସହ ଗ୍ରହଣ କରି କି ପ୍ରକାରର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ