

ଖୋର୍ଦ୍ଧା, ୨୦ ନଭେମ୍ବର (ହି.ସ.)- ବାତ୍ୟା ବିପଦ ଟଳିଛି, ହେଲେ ଏବେ ବି ବାତ୍ୟାର ପ୍ରଭାବରୁ ମୁକୁଳିନି ଖୋର୍ଦ୍ଧା ଜିଲା। ପ୍ରବଳ ବର୍ଷା ସାଙ୍ଗକୁ ପବନରେ ଅଶାନ୍ତ ହୋଇପଡ଼ିଛି ଚିଲିକା। ଫଳରେ ଚିଲିକାକୁ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ବାତ୍ୟା ଅକୱାନର ପ୍ରଭାବରେ ଖୋର୍ଦ୍ଧା ଜିଲାରେ ଜାରି ରହିଛି ପ୍ରବଳ ବର୍ଷା। ଏହାର ପ୍ରଭାବରେ ଅଶାନ୍ତ ହୋଇପଡ଼ିଛି ଚିଲିକା। ଚିଲିକାରେ ପ୍ରତିକୂଳ ପାଣିପାଗ ଓ ଉତ୍ତାଳ ଜଳରାଶିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ମାଛ ଧରିବା ପାଇଁ ଚିଲିକା ମଧ୍ୟକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଏପରିକି ଡଙ୍ଗା ଚଳାଚଳ ଉପରେ ମଧ୍ୟ କଟକଣା ଜାରି ହୋଇଛି।ବାଲୁଗାଁ, ବାଣପୁର ଓ ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ବିଶେଷକରି କାଳୁପଡ଼ା ଘାଟ, ମଙ୍ଗଳା ଘାଟ ସମେତ ବିଭିନ୍ନ ଜେଟି ଓ ଡଙ୍ଗାଘାଟରେ ପୋଲିସ ତୀକ୍ଷ୍ମ ନଜର ରଖିଛି। ମାଇକ୍ରୋଫୋନ୍ ଯୋଗେ ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଉଛି। କୌଣସି ପରିସ୍ଥିତିରେ ମଧ୍ୟ ମତ୍ସ୍ୟଜୀବୀ କିମ୍ବା ପର୍ଯ୍ୟଟକ ଚିଲିକା ମଧ୍ୟକୁ ନଯିବାକୁ ପୋଲିସ ପକ୍ଷରୁ କଡ଼ା ତାଗିଦ କରାଯାଇଛି। ଚିଲିକାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶାସନ ଓ ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ପାଣିପାଗ ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ଚିଲିକାକୁ ନ ଯିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ବୋଲି ବାଲୁଗାଁ ଏସଡିପିଓ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ରାକେଶ