
ଝାରସୁଗୁଡ଼ା, ୨୦ ନଭେମ୍ବର (ହି.ସ.)- ରେଳବାଇ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ ଏବଂ ସୁଗମ କରିବା ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଆଜି ପୁଡାପାଲି ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହ ଝାରସୁଗୁଡ଼ା ତହସିଲଦାର ସଦାକର କୁମ୍ଭାର ମଧ୍ୟ ଉପସ୍ଥିତ ରହିଥିଲେ। ଗ୍ରାମ ପରିଦର୍ଶନ ଅବସରରେ ଜିଲ୍ଲାପାଳ ପ୍ରଥମେ ପୁଡାପାଲି ପ୍ରାଥମିକ ବିଦ୍ୟାଳୟର ସ୍ଥାନାନ୍ତରଣ କାର୍ଯ୍ୟର ତଦାରଖ କରିଥିଲେ। ଏହାପରେ ସେ ଗ୍ରାମର ଗ୍ରାମଦେବୀଙ୍କୁ ପରିଦର୍ଶନ କରି ସେଠାକାର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଥିଲେ। ରେଳବାଇ ପ୍ରକଳ୍ପ କାର୍ଯ୍ୟରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ସେଥିପାଇଁ ବିଦ୍ୟାଳୟ ଏବଂ ଗ୍ରାମଦେବୀ ପୀଠକୁ ଅନ୍ୟ ଏକ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
ଏହି ଗସ୍ତ ସମୟରେ ଜିଲ୍ଲାପାଳ ଚହ୍ବାଣ ସ୍ଥାନୀୟ ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରି ଗ୍ରାମର ବିଭିନ୍ନ ମୌଳିକ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ। ବିଶେଷ କରି ଗ୍ରାମରେ ପାନୀୟ ଜଳ ଯୋଗାଣ, ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା, କମ୍ୟୁନିଟି ସେଣ୍ଟର ନିର୍ମାଣ, ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଏବଂ ବିଦ୍ୟାଳୟର ପାଚେରୀ ନିର୍ମାଣ ଆଦି ବିଷୟରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗ୍ରାମବାସୀଙ୍କ ସମସ୍ତ ଦାବି ଓ ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରି ଖୁବଶୀଘ୍ର ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଶାସନର ଏହି ତତ୍ପରତାକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ