
ପାଣିରେ ବୁଡ଼ିରହିଛି ୭୨ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ପାଚିଲା ଧାନ, କ୍ଷୟକ୍ଷତି ଆକଳନ ଆରମ୍ଭ
କେନ୍ଦ୍ରାପଡ଼ା, ୨୦ ନଭେମ୍ବର(ହି.ସ.) – ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଓ ପବନ କେନ୍ଦ୍ରାପଡ଼ା ଜିଲାର କୃଷି ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗିଦେଇଛି। ଅମଳ ସମୟରେ ଏହି ଅଦିନିଆ ବର୍ଷା ଯୋଗୁଁ ବିଲରେ ଥିବା ପାଚିଲା ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଚଳିତ ଖରିଫ ଋତୁରେ ଜିଲ୍ଲାରେ ମୋଟ ୧ ଲକ୍ଷ ୨୪ ହଜାର ୫୦୦ ହେକ୍ଟର ଜମିରେ ଧାନ ଚାଷ କରାଯାଇଥିବାବେଳେ ଗତ ୨୪ ଘଂଟା ମଧ୍ୟରେ ଜିଲାରେ ହାରାହାରି ୧୪୨.୬ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ ବହିବା ଫଳରେ ଧାନ ଗଛଗୁଡ଼ିକ ବିଲରେ ଶୋଇପଡ଼ିବା ସହ ଅନେକ ସ୍ଥାନରେ ଜମିରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି, ଯାହାକୁ ନେଇ ଚାଷୀକୂଳ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଜିଲା ଜରୁରୀକାଳୀନ ବିଭାଗ ଓ କୃଷି ବିଭାଗର ପ୍ରାଥମିକ ସୂଚନା ଅନୁଯାୟୀ, ଜିଲାର ସମସ୍ତ ୯ଟି ବ୍ଲକରେ ଫସଲ କ୍ଷୟକ୍ଷତିର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ବ୍ଲକୱାରୀ ତଥ୍ୟ ଅନୁସାରେ, ରାଜନଗର ବ୍ଲକରେ ଚାଷ ହୋଇଥିବା ୧୫,୨୦୦ ହେକ୍ଟର ଧାନ ଫସଲ ମଧ୍ୟରୁ ପ୍ରାୟ ୧୧,୪୦୦ ହେକ୍ଟର ଜମି ଜଳମଗ୍ନ ହୋଇଛି। ସେହିପରି ଉପକୂଳବର୍ତୀ ମହାକାଳପଡ଼ା ବ୍ଲକରେ ୧୮,୫୦୦ ହେକ୍ଟର ଚାଷ ଜମିରୁ ପ୍ରାୟ ୧୨,୯୦୦ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ପଟ୍ଟାମୁଣ୍ଡାଇ ବ୍ଲକରେ ୧୬,୮୦୦ ହେକ୍ଟର ଚାଷ ଜମିରୁ ୯,୮୫୦ ହେକ୍ଟର ଫସଲ ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ଆଳି ବ୍ଲକରେ ୧୪,୧୦୦ ହେକ୍ଟର ମଧ୍ୟରୁ ୮,୨୦୦ ହେକ୍ଟର, ରାଜକନିକା ବ୍ଲକରେ ୧୩,୬୦୦ ହେକ୍ଟର ମଧ୍ୟରୁ ୭,୯୦୦ ହେକ୍ଟର ଏବଂ ମାର୍ଶାଘାଇ ବ୍ଲକରେ ୧୧,୯୦୦ ହେକ୍ଟର ଧାନ ଫସଲ ମଧ୍ୟରୁ ୬,୪୫୦ ହେକ୍ଟର ଜମିରେ ପାଣି ଜମି ରହିଛି। ସେହିଭଳି କେନ୍ଦ୍ରାପଡ଼ା ସଦର ବ୍ଲକରେ ୧୨,୪୦୦ ହେକ୍ଟର ମଧ୍ୟରୁ ୫,୮୦୦ ହେକ୍ଟର, ଗରଦପୁର ବ୍ଲକରେ ୧୦,୮୦୦ ହେକ୍ଟର ମଧ୍ୟରୁ ୪,୯୦୦ ହେକ୍ଟର ଏବଂ ଡେରାବିଶ ବ୍ଲକରେ ୧୧,୨୦୦ ହେକ୍ଟର ଧାନ ଚାଷ ଜମିରୁ ୫,୧୦୦ ହେକ୍ଟର ଜମି ପ୍ରଭାବିତ ହୋଇଛି। ସମଗ୍ର ଜିଲାରେ ମୋଟ ୧,୨୪,୫୦୦ ହେକ୍ଟର ଜମିରେ ଧାନ ଚାଷ ହୋଇଥିବାବେଳେ ପ୍ରାଥମିକ ଆକଳନ ଅନୁଯାୟୀ ପ୍ରାୟ ୭୨,୫୦୦ ହେକ୍ଟର ଜମିର ସୁନାର ଫସଲ ବର୍ଷା ପାଣିରେ ବୁଡ଼ି ରହିଥିବା ଜଣାପଡ଼ିଛି। ଚଳିତ ବର୍ଷ ଅନୁକୂଳ ମୌସୁମୀ ବର୍ଷା ଯୋଗୁଁ ଜିଲାରେ ଧାନ ଫସଲ ବେଶ୍ ଭଲ ହୋଇଥିଲା। ଆଉ ମାତ୍ର ସପ୍ତାହେ କିମ୍ବା ଦଶ ଦିନ ପରେ ଚାଷୀମାନେ ବିଲରୁ ଧାନ କାଟି ଖଳାକୁ ଆଣିଥାଆନ୍ତେ। ଅନେକ ସ୍ଥାନରେ ଅଗୁଆ କିସମର ଧାନ କଟାଯାଇ ବିଲରେ ଶୁଖିବା ପାଇଁ ପଡ଼ିଥିଲା। ମାତ୍ର ବାତ୍ୟା ଜନିତ ଲଗାଣ ବର୍ଷା ଚାଷୀଙ୍କ ସବୁ ଆଶା ଓ ସ୍ୱପ୍ନକୁ ଧୋଇ ନେଇଛି। ପାଚିଲା ଧାନ କେଣ୍ଡା ପାଣିରେ ବୁଡ଼ି ରହିଥିବାରୁ ଧାନ ଗଜା ହୋଇଯିବା ସହ ପଚି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଧାରକରଜ କରି ଚାଷ କରିଥିବା ଭାଗଚାଷୀ ଓ କ୍ଷୁଦ୍ର ଚାଷୀମାନେ ଏବେ କିପରି ଋଣ ଶୁଝିବେ ଏବଂ ପରିବାର ପ୍ରତିପୋଷଣ କରିବେ, ସେନେଇ ଚିନ୍ତାରେ ପଡ଼ିଛନ୍ତି। ବିଲରୁ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ତୁରନ୍ତ କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ କୃଷି ଅଧିକାରୀ ହେମନ୍ତ କୁମାର ସାମଲ କହିଛନ୍ତି ଯେ, ବାତ୍ୟା ବର୍ଷା ଯୋଗୁଁ ଜିଲାର ବିଭିନ୍ନ ବ୍ଲକରେ ଧାନ ଫସଲ ପ୍ରଭାବିତ ହୋଇଥିବା ଖବର ବିଭାଗର ହସ୍ତଗତ ହୋଇଛି। ପାଗ ଶୁଖିଲା ହେବା ମାତ୍ରେ କ୍ଷେତ୍ର କର୍ମଚାରୀ, ଗ୍ରାମ୍ୟ କୃଷି କର୍ମଚାରୀ ଏବଂ ରାଜସ୍ୱ ବିଭାଗର ମିଳିତ ଟିମ୍ ବିଲକୁ ଯାଇ ପ୍ରକୃତ କ୍ଷୟକ୍ଷତିର ଆକଳନ କରିବେ। ଯେଉଁ ଜମିଗୁଡ଼ିକରେ ପାଣି ଜମି ରହିଛି, ସେଠାରୁ ତୁରନ୍ତ ଜଳ ନିଷ୍କାସନ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି। ଏହାସହ ଫସଲ ବୀମାଭୁକ୍ତ ଚାଷୀମାନେ କିପରି ୭୨ ଘଂଟା ମଧ୍ୟରେ ଟୋଲ୍-ଫ୍ରି ନମ୍ବର କିମ୍ବା ବୀମା କମ୍ପାନୀ ନିକଟରେ କ୍ଷୟକ୍ଷତି ସମ୍ପର୍କରେ ଅଭିଯୋଗ ପଞ୍ଜୀକରଣ କରିପାରିବେ, ସେନେଇ ବ୍ଲକ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି। ଯୁଗ୍ମ ତଦନ୍ତ ରିପୋର୍ଟ ପ୍ରସ୍ତୁତ ହେବାପରେ ଜିଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି