ପଞ୍ଚୁକରେ ବେଲପାହାଡ଼ ମନ୍ଦିରରେ ଭକ୍ତଙ୍କ ଭିଡ଼, ସମଡ଼ାକଣ୍ଟା ପୋଖରୀର ଦୁରବସ୍ଥାରେ ଶ୍ରଦ୍ଧାଳୁ ହନ୍ତସନ୍ତ
Demand to clean the pond
ପଞ୍ଚୁକରେ ବେଲପାହାଡ଼ ମନ୍ଦିରରେ ଭକ୍ତଙ୍କ ଭିଡ଼, ସମଡ଼ାକଣ୍ଟା ପୋଖରୀର ଦୁରବସ୍ଥାରେ ଶ୍ରଦ୍ଧାଳୁ ହନ୍ତସନ୍ତ


ଝାରସୁଗୁଡା, ୨୦ ନଭେମ୍ବର (ହି.ସ.)- କାର୍ତ୍ତିକ ମାସର ପବିତ୍ର ପଞ୍ଚୁକ ଅବସରରେ ବେଲପାହାଡ଼ ସହରର ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଛି। ମାସସାରା କାର୍ତ୍ତିକ ବ୍ରତ ପାଳନ କରୁଥିବା ଶ୍ରଦ୍ଧାଳୁଙ୍କ ସମେତ ପଞ୍ଚୁକର ପାଞ୍ଚ ଦିନ ଠାକୁରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ବହୁ ସଂଖ୍ୟାରେ ଭକ୍ତ ମନ୍ଦିରକୁ ଆସୁଛନ୍ତି। ସକାଳୁ ଶ୍ରଦ୍ଧାଳୁମାନେ ବିଭିନ୍ନ ଜଳାଶୟରେ ସ୍ନାନ କରିବା ପରେ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି। ପଞ୍ଚୁକର ଧାର୍ମିକ ମହତ୍ତ୍ୱ ଯୋଗୁଁ ସହରର ବିଭିନ୍ନ ମନ୍ଦିରରେ ଭଜନ, କୀର୍ତ୍ତନ ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆୟୋଜିତ ହେଉଛି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ସମଡ଼ାକଣ୍ଟା ଅଞ୍ଚଳରେ ଥିବା ପୋଖରୀର ଦୟନୀୟ ଅବସ୍ଥା ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ପଞ୍ଚୁକ ଭଳି ପବିତ୍ର ଅବସରରେ ଏହି ପୋଖରୀରେ ସ୍ନାନ କରିବାକୁ ବହୁ ଲୋକ ଆସୁଥିବା ବେଳେ ପୋଖରୀର ଅପରିଷ୍କାର ପରିବେଶ ଓ ଆବଶ୍ୟକୀୟ ସୁବିଧାର ଅଭାବ ଯୋଗୁଁ ସେମାନେ ନାନା ଅସୁବିଧା ଭୋଗୁଛନ୍ତି। ପୋଖରୀର ସଫେଇ, ପରିମଳ ବ୍ୟବସ୍ଥା ଓ ସ୍ନାନ ପାଇଁ ଆବଶ୍ୟକ ସୁବିଧା ପ୍ରତି ଦୀର୍ଘଦିନ ଧରି ଉଚିତ ଧ୍ୟାନ ଦିଆଯାଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ପଞ୍ଚୁକ ସମୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ୁଥିବାରୁ ପୋଖରୀର ସ୍ୱଚ୍ଛତା ରକ୍ଷା ସହ ସ୍ନାନ ପାଇଁ ସୁରକ୍ଷିତ ଓ ଉପଯୁକ୍ତ ବ୍ୟବସ୍ଥା କରିବା ଜରୁରୀ ହୋଇପଡ଼ିଛି। ଏ ଦିଗରେ ବେଲପାହାଡ଼ ପୌର ପରିଷଦ ଓ ସମ୍ପୃକ୍ତ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମଡ଼ାକଣ୍ଟା ପୋଖରୀର ସଫେଇ ଓ ଉନ୍ନତିକରଣ କରିବାକୁ ସ୍ଥାନୀୟ ଶ୍ରଦ୍ଧାଳୁ ଓ ଜନସାଧାରଣ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande