
ଝାରସୁଗୁଡ଼ା, ୨୦ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ସହରର ଅନ୍ୟତମ ବ୍ୟସ୍ତବହୁଳ ଛକ ବଢ଼େଇମୁଣ୍ଡାରେ ଦିନକୁ ଦିନ ଟ୍ରାଫିକ୍ ସମସ୍ୟା ଗୁରୁତର ହେବାରେ ଲାଗିଛି। ଏହାର ସମାଧାନ ପାଇଁ ଛକ ନିକଟରେ ଏକ ସ୍ଥାୟୀ ଟ୍ରାଫିକ୍ ପୋଷ୍ଟ ସ୍ଥାପନ କରିବା ସହ ନିୟମିତ ଟ୍ରାଫିକ୍ ପୋଲିସ ମୁତୟନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ବଢ଼େଇମୁଣ୍ଡା ଛକ ଦେଇ ବିଭିନ୍ନ ଶିଳ୍ପାନୁଷ୍ଠାନର ଶତାଧିକ ଭାରୀଯାନ ପ୍ରତିଦିନ ଯାତାୟାତ କରୁଛି। ଏଥିସହ ଲଇକେରା, କିର୍ମିରା ଓ କୋଲାବିରା ବ୍ଲକ୍ରୁ ହଜାର ହଜାର ଲୋକ ଦୈନନ୍ଦିନ କାର୍ଯ୍ୟରେ ଜିଲ୍ଲା ମୁଖ୍ୟାଳୟକୁ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ଏହି ରାସ୍ତା କୋଲାବିରା ଦେଇ ସମ୍ବଲପୁର ଓ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିକୁ ସଂଯୋଗ କରୁଥିବାରୁ ସବୁବେଳେ ଏଠାରେ ଯାନବାହନର ଭିଡ଼ ଲାଗି ରହୁଛି। ଅନ୍ୟପକ୍ଷରେ, ଛକ ନିକଟରେ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ, ବ୍ଲକ୍ କାର୍ଯ୍ୟାଳୟ, ଇଞ୍ଜିନିୟରିଂ ସ୍କୁଲ୍ ସମେତ ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରହିଛି। ଫଳରେ ସକାଳ ଓ ସନ୍ଧ୍ୟା ସମୟରେ ଛାତ୍ରଛାତ୍ରୀ, କର୍ମଚାରୀ ଓ ପଥଚାରୀଙ୍କୁ ରାସ୍ତା ପାର ହେବାରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଟ୍ରାଫିକ୍ ନିୟନ୍ତ୍ରଣର କୌଣସି ସୁବ୍ୟବସ୍ଥା ନଥିବାରୁ ଏଠାରେ ବାରମ୍ବାର ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି।
ଏଭଳି ସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ଓ ଯାତାୟାତ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ତୁରନ୍ତ ଟ୍ରାଫିକ୍ ପୋଷ୍ଟ ନିର୍ମାଣ ଓ ପୋଲିସ ମୁତୟନ କରିବାକୁ ସ୍ଥାନୀୟ ବାସିନ୍ଦା ଦୁଷ୍ମନ୍ତ ମାଝୀ, କାଁହୁ ପୋଢ଼, ଦୈତାରୀ ପଟେଲ, ସତ୍ୟ ମାଝୀ ଓ ଅଶୋକ ମେହେରଙ୍କ ସମେତ ବହୁ ବୁଦ୍ଧିଜୀବୀ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି।
ଏ ସମ୍ପର୍କରେ ଝାରସୁଗୁଡ଼ାର ନବନିଯୁକ୍ତ ଆରକ୍ଷୀ ଅଧୀକ୍ଷକ ସୋନାଲି ପରମାର କହିଛନ୍ତି ଯେ, ସେ ନୂତନ ଭାବେ ଜିଲ୍ଲାର ଦାୟିତ୍ୱ ଗ୍ରହଣ କରିଥିବାରୁ ଖୁବ୍ଶୀଘ୍ର ବଢ଼େଇମୁଣ୍ଡା ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ। ଏଥିସହ ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନେଇ ବିଚାର କରିବେ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ