ବିଧାନସଭାରେ କେନ୍ଦ୍ରାପଡ଼ାର ଶିଳ୍ପ ଓ ଶିକ୍ଷା ପ୍ରସଙ୍ଗ ଉଠାଇଲେ ଧ୍ରୁବ ସାହୁ
କେନ୍ଦ୍ରାପଡ଼ା, ୨୦ ନଭେମ୍ବର(ହି.ସ.) – ଚଳିତ ବିଧାନସଭା ଅଧିବେଶନରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ କେନ୍ଦ୍ରାପଡ଼ା ଜିଲ୍ଲାର ଶିଳ୍ପ ଭିତିଭୂମି, ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ନେଇ ତିନୋଟି ଗୁରୁତ୍ୱପୂର୍ଣ୍ଣ ଅଣତାରକା ଚିହ୍ନିତ ପ୍ରଶ୍ନ ଉତ୍ଥାପନ କରିଛନ୍ତି। ବିଭାଗୀୟ ମନ୍ତ୍ରୀମା
ବିଧାନସଭାରେ କେନ୍ଦ୍ରାପଡ଼ାର ଶିଳ୍ପ ଓ ଶିକ୍ଷା ପ୍ରସଙ୍ଗ ଉଠାଇଲେ ଧ୍ରୁବ ସାହୁ


କେନ୍ଦ୍ରାପଡ଼ା, ୨୦ ନଭେମ୍ବର(ହି.ସ.) – ଚଳିତ ବିଧାନସଭା ଅଧିବେଶନରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ କେନ୍ଦ୍ରାପଡ଼ା ଜିଲ୍ଲାର ଶିଳ୍ପ ଭିତିଭୂମି, ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ନେଇ ତିନୋଟି ଗୁରୁତ୍ୱପୂର୍ଣ୍ଣ ଅଣତାରକା ଚିହ୍ନିତ ପ୍ରଶ୍ନ ଉତ୍ଥାପନ କରିଛନ୍ତି। ବିଭାଗୀୟ ମନ୍ତ୍ରୀମାନଙ୍କ ପକ୍ଷରୁ ମିଳିଥିବା ଉତରରୁ ଜିଲ୍ଲାର ବିକାଶମୂଳକ ପ୍ରକଳ୍ପ ଓ ଶିକ୍ଷା କ୍ଷେତ୍ରର ବାସ୍ତବ ସ୍ଥିତି ସ୍ପଷ୍ଟ ହୋଇଛି। ବିଧାୟକ ଶ୍ରୀ ସାହୁଙ୍କ ପ୍ରଶ୍ନର ଉତର ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ୩ଟି ସରକାରୀ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୧୯ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ମଧ୍ୟରୁ ୧୪ଟି ପୂରଣ ହୋଇଥିବାବେଳେ ୫ଟି ପଦବୀ ଏବେ ବି ଖାଲି ପଡ଼ିଛି। ସମଗ୍ର ରାଜ୍ୟରେ ଥିବା ୧୭୩୪ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୫୫୮ଟି ଶିକ୍ଷକ ପଦବୀ ଖାଲି ରହିଛି ଏବଂ ଏଗୁଡ଼ିକର ପୂରଣ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିପରି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ମହାବିଦ୍ୟାଳୟ(ଅର୍ଥନୀତି, ଇତିହାସ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଓ ରସାୟନ ବିଜ୍ଞାନ) ଏବଂ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ (ଅର୍ଥନୀତି, ଇଂରାଜୀ, ଇତିହାସ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ବ୍ୟାଙ୍କିଂ, ଆର୍ôଥକ ସେବା ଓ ବୀମା, ରସାୟନ ବିଜ୍ଞାନ ଏବଂ ଗଣିତ)ରେ ଶିକ୍ଷାନବିସ ଭିତିକ ସ୍ନାତକ ପାଠ୍ୟକ୍ରମ କାର୍ଯ୍ୟକାରୀ ହେଉଛି। ଏହା ଅଧିନରେ ଛାତ୍ରଛାତ୍ରୀମାନେ ଗଣିତରେ କମ୍ପ୍ୟୁଟର ବିଜ୍ଞାନ, ଅର୍ଥନୀତିରେ ତଥ୍ୟ ବିଶ୍ଳେଷଣ, ରସାୟନ ବିଜ୍ଞାନରେ ଶିଳ୍ପ ରସାୟନ, ଉଦ୍ଭିଦ ବିଜ୍ଞାନରେ ଟିସୁ କଲଚର ଓ ଉଦ୍ୟାନ କୃଷି, ପ୍ରାଣୀ ବିଜ୍ଞାନରେ ସମନ୍ୱିତ ଜୀବବିଜ୍ଞାନ, ଇତିହାସରେ ପର୍ଯ୍ୟଟନ ଓ ଆତିଥେୟତା, ଇଂରାଜୀରେ ଅନୁବାଦ ଓ ଡିଜିଟାଲ୍ ମାନବିକତା ଏବଂ ବ୍ୟାଙ୍କି ଓ ବୀମା କ୍ଷେତ୍ରରେ ଏକ ବର୍ଷିଆ ଶିଳ୍ପଭିତିକ ତାଲିମ ପାଇପାରିବେ। ଏଥିପାଇଁ ପ୍ରାୟୋଗିକ ତାଲିମ ବୋର୍ଡ ଓ ଜାତୀୟ ଶିକ୍ଷାନବିସ ତାଲିମ ଯୋଜନା ସହ ସମନ୍ୱୟ ରଖାଯାଇଛି। ଏହାସହ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ କୃତ୍ରିମ ବୁଦ୍ଧିମତା ପାଠ୍ୟକ୍ରମକୁ ଦକ୍ଷତା ବିକାଶ ପାଠ୍ୟକ୍ରମ ଭାବେ ବାଧ୍ୟତାମୂଳକ କରାଯାଇଥିବାବେଳେ ଶିକ୍ଷାନବିସ ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କ ପାଇଁ ଏହାକୁ ମୂଲ୍ୟଯୁକ୍ତ ପାଠ୍ୟକ୍ରମ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ଅନ୍ୟପକ୍ଷରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉତର ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲର ବଡ଼ତୁବି ଗ୍ରାମ(ନିପାଣିଆ) ଠାରେ ୨୦୦୦ ଏକର ଜମିରେ ଜାତୀୟ ମେଗା ଜାହାଜ ନିର୍ମାଣ ଓ ଭାରୀ ଶିଳ୍ପ ପାର୍କ' ପ୍ରତିଷ୍ଠା ପାଇଁ ପାରାଦୀପ ବନ୍ଦର କର୍ତୃପକ୍ଷ ଓ ଓଡ଼ିଶା ସାମୁଦ୍ରିକ ବୋର୍ଡ଼ ମଧ୍ୟରେ ଗତ ୧୯.୦୯.୨୦୨୫ରେ ରାଜିନାମା ସ୍ୱାକ୍ଷରିତ ହୋଇଛି। ପ୍ରସ୍ତାବିତ ସ୍ଥାନର ପ୍ରାୟ ୮୦୪.୧୭୪ ଏକର ଜମି ପୂର୍ବରୁ ଏକ ଘରୋଇ ଇସ୍ପାତ କାରଖାନା ପାଇଁ ଆବଂଟିତ ଜମି ସହ ମିଶି ରହିଥିଲା। ତେବେ ଗତ ୦୧.୧୦.୨୦୨୬ରେ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ନିଷ୍ପତି କ୍ରମେ ଉକ୍ତ ଇସ୍ପାତ କମ୍ପାନୀକୁ ବଡ଼ତୁବି ମୌଜାରେ ଆବଂଟିତ ୧୨.୩୭ ଏକର ସରକାରୀ ଜମି ବାତିଲ କରାଯାଇଛି ଏବଂ ୩୨୭.୬୬୦ ଏକର ଜଙ୍ଗଲ ଜମି ପ୍ରତ୍ୟାହାର ପ୍ରକ୍ରିୟା ରାଜ୍ୟ ଶିଳ୍ପ ଭିତିଭୂମି ଉନ୍ନୟନ ନିଗମ ପକ୍ଷରୁ ଆରମ୍ଭ ହୋଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande