ଚାଷୀଙ୍କ ସ୍ଵାର୍ଥରକ୍ଷା ପାଇଁ ବ୍ଲକସ୍ତରୀୟ କୃଷକ କମିଟି ଗଠନ ଉଦ୍ୟମ
Efforts to Form a Block-Level Organization to Protect Farmers' Interests
ଚାଷୀଙ୍କ ସ୍ଵାର୍ଥରକ୍ଷା ପାଇଁ ବ୍ଲକସ୍ତରୀୟ କୃଷକ କମିଟି ଗଠନ ଉଦ୍ୟମ


୨୯ରେ ସିଂହାରପୁରରେ ହେବ ସାଂଗଠନିକ ବୈଠକ

ଝାରସୁଗୁଡା, ୨୦ ନଭେମ୍ବର (ହି.ସ.)- ଆଗାମୀ ଖରିଫ ଧାନ କିଣାବିକା ସମୟରେ ଚାଷୀମାନେ ସମ୍ମୁଖୀନ ହେବାକୁ ଥିବା ବିଭିନ୍ନ ସମସ୍ୟାର ସମାଧାନ ସହ ଚାଷୀଙ୍କ ହକ୍ ଓ ସ୍ୱାର୍ଥର ସୁରକ୍ଷା ପାଇଁ ଲଖନପୁର ବ୍ଲକ କୃଷକ ସଂଗଠନକୁ ଅଧିକ ସୁଦୃଢ଼ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଏକ ନୂତନ, କର୍ମଠ ଓ କ୍ରିୟାଶୀଳ ବ୍ଲକସ୍ତରୀୟ କୃଷକ କମିଟି ଗଠନ କରିବାକୁ ଚାଷୀ ପ୍ରତିନିଧିମାନେ ପ୍ରସ୍ତାବ ଗ୍ରହଣ କରିଛନ୍ତି।

ଏନେଇ ଆଜି ଲଖନପୁର ବ୍ଲକ ଜାମଗାଁ ପଞ୍ଚାୟତସ୍ଥିତ ମା’ କାଳୀଙ୍କ ମନ୍ଦିର ପରିସରରେ ବ୍ଲକର ବିଭିନ୍ନ ଅଞ୍ଚଳର ଚାଷୀ ପ୍ରତିନିଧିଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କୃଷକ ସଂଗଠନର ସଚିବ ଗୋପୀନାଥ ମାଝୀ ଏଥିରେ ଅଧ୍ୟକ୍ଷତା କରିଥିଲେ।

ବୈଠକରେ ଆଗାମୀ ଖରିଫ ଧାନ କିଣାବିକା ସମୟରେ ଚାଷୀମାନେ ସମ୍ମୁଖୀନ ହେଉଥିବା ତଥା ଭବିଷ୍ୟତରେ ଦେଖାଦେବାକୁ ଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଚାଷୀଙ୍କ ସମସ୍ୟାକୁ ସଂଗଠିତ ଭାବେ ପ୍ରଶାସନ ନିକଟରେ ଉପସ୍ଥାପନ କରିବା ସହ ତୃଣମୂଳସ୍ତରରେ କୃଷକ ସଂଗଠନକୁ ଅଧିକ ସକ୍ରିୟ ଓ ମଜଭୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ଅବସରରେ ଆସନ୍ତା ୨୯ ତାରିଖ ସକାଳ ୧୦ଟାରେ ସିଂହାରପୁରସ୍ଥିତ ଝାଡ଼େଶ୍ୱର ମନ୍ଦିର ପରିସରରେ ବ୍ଲକସ୍ତରୀୟ ସାଂଗଠନିକ ବୈଠକ ଆୟୋଜନ କରି ନୂତନ କୃଷକ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା। ବୈଠକରେ ସଂଗଠନର ପ୍ରବକ୍ତା ବିରଞ୍ଚି ସାହୁ, ରନ୍ଧାକର ଖମାରୀ, ଗିରୀଶ ଖମାରୀ, ଜଗବନ୍ଧୁ ସା, ଅନୀଲ ବାରିକଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ। ଚାଷୀ ହିମାଂଶୁ ଭୂଷଣ ପଧାନ ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପସ୍ଥାପନ କରିଥିବା ବେଳେ ମହେନ୍ଦ୍ର କୁମାର ସାଏ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଜାମଗାଁ ଗ୍ରାମର ଯୁବ ଚାଷୀମାନେ ବୈଠକ ଆୟୋଜନରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande