
ଝାରସୁଗୁଡ଼ା, ୨୦ ନଭେମ୍ବର (ହି.ସ.): ଧାନ ଅମଳର ଗୁରୁତ୍ୱପୂର୍ଣ୍ଣ ସମୟରେ ଅଦିନିଆ ବର୍ଷା ଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ବର୍ଷା ହୋଇଥିବାରୁ ଧାନ ଫସଲ ସମେତ ପନିପରିବା ଚାଷ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବା ଆଶଙ୍କା ଦେଖାଦେଇଛି। ଅମଳ ଉପଯୋଗୀ ଧାନ ଜମିରେ ପଡ଼ି ରହିବା ସହ ଖଳାରେ ଥିବା ଧାନ ଓଦା ହୋଇ ନଷ୍ଟ ହେବାର ଆଶଙ୍କା ଚାଷୀଙ୍କୁ ଚିନ୍ତିତ କରିଛି।
ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବର୍ଷା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଜିଲ୍ଲାରେ ମୋଟ ୨୫.୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ହାରାହାରି ବର୍ଷାର ପରିମାଣ ୫.୦୨ ମିଲିମିଟର ରହିଛି। ବ୍ଲକ୍ୱାରୀ ବର୍ଷାର ପରିମାଣ ହେଲା ଝାରସୁଗୁଡ଼ାରେ ୫.୨ ମି.ମି., କୋଲାବିରାରେ ୬.୪ ମି.ମି., ଲଇକେରାରେ ୨.୧ ମି.ମି., କିର୍ମିରାରେ ୨.୦ ମି.ମି. ଏବଂ ଲଖନପୁରରେ ସର୍ବାଧିକ ୯.୪ ମି.ମି. ବର୍ଷା ରେକର୍ଡ ହୋଇଛି।
ବର୍ତ୍ତମାନ ଧାନ ଅମଳ ଓ ଖଳାରେ ଧାନ ଶୁଖାଇବାର ସମୟ ହୋଇଥିବାରୁ ଏହି ବର୍ଷା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବର୍ଷା ଯୋଗୁଁ ପାଚିଲା ଧାନ ଫସଲ ନଷ୍ଟ ହେବା ସହ ଧାନର ମାନ ହ୍ରାସ ପାଇବା ଏବଂ ପନିପରିବା ଚାଷରେ କ୍ଷତି ହେବାର ସମ୍ଭାବନା ରହିଛି। ଫଳରେ ଚାଷୀଙ୍କ ଆର୍ଥିକ ସ୍ଥିତି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ।
ଏଭଳି ସ୍ଥିତିରେ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଆବଶ୍ୟକ ପରାମର୍ଶ ଓ ସହଯୋଗ ଯୋଗାଇଦେବା ସହ କ୍ଷତିଗ୍ରସ୍ତ ଫସଲର ସ୍ଥିତି ଅନୁଧ୍ୟାନ କରିବାକୁ ଚାଷୀ ମହଲରେ ଦାବି ହେଉଛି। ଅଦିନିଆ ବର୍ଷା ଯୋଗୁଁ ସମ୍ଭାବ୍ୟ କ୍ଷତିକୁ ନେଇ ଚାଷୀକୁଳ ଏବେ ହତାଶ ହୋଇପଡ଼ିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ