କେନ୍ଦ୍ରାପଡ଼ାରେ ବାତ୍ୟା ସ୍ଥିତି ଅନୁଧ୍ୟାନ କଲେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ
ବାତ୍ୟା ଆଶ୍ରୟସ୍ଥଳୀ ବୁଲି ବିପନ୍ନଙ୍କ ସହ କଲେ ଆଲୋଚନା କେନ୍ଦ୍ରାପଡ଼ା, ୨୦ ନଭେମ୍ବର(ହି.ସ.) – ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲାରେ ଜାରି ରହିଥିବା ବର୍ଷା ଓ ସମ୍ଭାବ୍ୟ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ କେନ୍ଦ୍ରାପଡ଼ା ଜ
କେନ୍ଦ୍ରାପଡ଼ାରେ ବାତ୍ୟା ସ୍ଥିତି ଅନୁଧ୍ୟାନ କଲେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ


ବାତ୍ୟା ଆଶ୍ରୟସ୍ଥଳୀ ବୁଲି ବିପନ୍ନଙ୍କ ସହ କଲେ ଆଲୋଚନା

କେନ୍ଦ୍ରାପଡ଼ା, ୨୦ ନଭେମ୍ବର(ହି.ସ.) – ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲାରେ ଜାରି ରହିଥିବା ବର୍ଷା ଓ ସମ୍ଭାବ୍ୟ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ କେନ୍ଦ୍ରାପଡ଼ା ଜିଲା ଗସ୍ତରେ ଆସିଛନ୍ତି। ଏହି ଗସ୍ତ ଅବସରରେ ତାଙ୍କ ସହିତ ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କ ସମେତ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ରହି ବିଭିନ୍ନ ଅଂଚଳ ପରିଦର୍ଶନ କରିଛନ୍ତି। ଗସ୍ତ ସମୟରେ ଶ୍ରୀ ଅମାତ ଓ ବିଧାୟକମାନେ ଜିଲ୍ଲାର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ ସେଠାରେ ଆଶ୍ରୟ ନେଇଥିବା ବିପନ୍ନ ଲୋକମାନଙ୍କର ଭଲମନ୍ଦ ପଚାରି ବୁଝିଥିଲେ। ବିଶେଷ କରି ବାତ୍ୟା ଆଶ୍ରୟସ୍ଥଳୀରେ ରହିଥିବା ବୃଦ୍ଧବୃଦ୍ଧା, ମହିଳା ଏବଂ ଶିଶୁମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ଶୁଖିଲା ଓ ରନ୍ଧା ଖାଦ୍ୟ, ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ତଦାରଖ କରିଥିଲେ। ନିଜେ ପୂର୍ବତନ ମନ୍ତ୍ରୀ ଓ ନେତୃବୃନ୍ଦ ବିପନ୍ନମାନଙ୍କୁ ଖାଦ୍ୟ ଓ ରିଲିଫ୍ ସାମଗ୍ରୀ ବଂଟନ କରିବା ସହ ଲୋକମାନଙ୍କୁ ଭୟଭୀତ ନହୋଇ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀରେ ରହିବାକୁ ପରାମର୍ଶ ଦେଇଥିଲେ। ଏହାପରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ ଦଳୀୟ କାର୍ଯ୍ୟାଳୟ ଠାରେ ବିଧାୟକ ଗଣେଶ୍ୱର ବେହେରା, ବିଧାୟକ ଧ୍ରୁବ ଚରଣ ସାହୁ ଏବଂ ଅନ୍ୟ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବସି ଜିଲାର ସାମଗ୍ରିକ ବାତ୍ୟା ପରିସ୍ଥିତି ନେଇ ସମୀକ୍ଷା କରିଥିଲେ। ତଳିଆ ଅଂଚଳରେ ଜମି ରହିଥିବା ବର୍ଷା ପାଣି ନିଷ୍କାସନ, ବିଦ୍ୟୁତ୍ ଓ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ କରିବା ଏବଂ ବାତ୍ୟା ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିବା ଚାଷୀମାନଙ୍କ ଫସଲ କ୍ଷୟକ୍ଷତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବିପଦ ସମୟରେ ଦଳୀୟ କର୍ମୀମାନେ ପ୍ରଶାସନ ସହ ସମନ୍ୱୟ ରଖି ବିପନ୍ନ ଲୋକଙ୍କ ନିକଟରେ ପହଂଚି ସହାୟତାର ହାତ ବଢ଼ାଇବାକୁ ଶ୍ରୀ ଅମାତ ଆହ୍ୱାନ ଦେଇଥିଲେ। ପାଗ ଶୁଖିଲା ହେବା ପରେ କ୍ଷତିଗ୍ରସ୍ତ ଅଂଚଳଗୁଡ଼ିକର ସଠିକ୍ ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବା ଦିଗରେ ପଦକ୍ଷେପ ନିଆଯିବ ବୋଲି ନେତୃବୃନ୍ଦ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲାର ବହୁ ଦଳୀୟ ପଦାଧିକାରୀ, ପଂଚାୟତ ପ୍ରତିନିଧି ଓ ସ୍ଥାନୀୟ କର୍ମୀମାନେ ସାମିଲ ହୋଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande