


ସମ୍ବଲପୁର, ୨୦ ନଭେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ଜମନକିରା ରେଞ୍ଜ ଅଧିନସ୍ଥ ଫୁଲକୁଶମ, ଭୋଜପୁର, ଲଙ୍ଗାବାହାଲ ବିଟ୍ ର ବିଭିନ୍ନ ଗ୍ରାମରେ ଜଙ୍ଗଲି ହାତୀ ପଲଙ୍କ ବିକଟାଳ ଗର୍ଜନ ସହ ଗ୍ରାମ ଓ ସାହି ଭିତରକୁ ଧସେଇ ମାଡ଼ି ଆସିବା ଘଟଣା ଅଂଚଳରେ କୋକୁଆ ଭୟର ବାତାବରଣ ସୃଷ୍ଟି କରାଇଛି। ହାତୀପଲ ସିଧା ଗାଁ ମୁହାଁ ହେଉଥିବା ଯୋଗୁଁ ଲୋକଙ୍କ ଘରଦ୍ୱାର ଓ ଚାଷଜମିରେ ବ୍ୟାପକ କ୍ଷୟକ୍ଷତି କରିବା ସହ ହିଂସ୍ର ମୁଦ୍ରାରେ ଲୋକଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ାଇବା ଚିନ୍ତାର ବିଷୟ ହୋଇଛି।
ସୂଚନାଯୋଗ୍ୟ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ଫୁଲକୁଶମ, ଭୋଜପୁର, ଲଙ୍ଗାବାହାଲ ବିଟର ବଡ଼ମାଳ, କଟଙ୍ଗପାଣି, ଗୁଣ୍ଡୁରୁଚୁଆ ପଂଚାୟତର ବିଭିନ୍ନ ଗ୍ରାମରେ ଏବେ ପୃଥକ୍ ପୃଥକ୍ ହାତୀପଲ ସନ୍ଧ୍ୟା ପରେ ଜନବସତି ମୁହାଁ ହେଉଛନ୍ତି। ଗ୍ରାମବାସୀମାନଙ୍କ କହିବା ଅନୁଯାୟୀ ପୂର୍ବାପେକ୍ଷା ହାତୀପଲଙ୍କ ଉତ୍ପାତ ଏବେ ବହୁ ମାତ୍ରାରେ ବଢ଼ି ଗଲାଣି। ଚଳିତ ବର୍ଷ ୩୦ରୁ ୪୦ ଟିକିଆ ହାତୀପଲ ଏହି ଅଂଚଳର ବିଭିନ୍ନ ସ୍ଥାନରେ ରହି ସନ୍ଧ୍ୟାପରେ ଚାଷ ଜମିରେ ପଶି ଏକର ଏକର ଫସଲ ନଷ୍ଟ କରୁଛି। ଫଳରେ ସଞ୍ଜ ନଇଁଲେ ରାସ୍ତାଘାଟରେ ଯିବା ଆସିବା ମଧ୍ୟ ବିପଦ ସଙ୍କୁଳ ହୋଇପଡୁଛି। ବନ ବିଭାଗ ପକ୍ଷରୁ କୁହାଯାଉଛି ହାତୀଙ୍କୁ ବିରକ୍ତ ନକରିବା ପାଇଁ, ମାତ୍ର ହାତୀପଲ ଗାଁ ମୁହାଁ ହେଲାବେଳକୁ ବନବିଭାଗର ଦେଖାଦର୍ଶନ ମିଳୁନାହିଁ। ଅପରପକ୍ଷେ ହାତୀ ଦ୍ୱାରା ଫସଲ କ୍ଷୟକ୍ଷତି ହେଲେ ଅନୁକମ୍ପା ରାଶି ପ୍ରଦାନ କରାଯିବ, କିନ୍ତୁ ଫସଲ ହାନୀର ଯେଉଁ କ୍ଷତିପୂରଣ ରାଶି ମିଳୁଛି ତାହା ସାର, ବିହନ, ବ୍ୟାଙ୍କ ଋଣ, ଜମିକର ଭଳି ଭରଣା କରିହେଉ ନାହିଁ। ବିଶେଷକରି ଜମନକିରା ଓ ବଡ଼ମାଳ ଲେମେନ ଜଙ୍ଗଲରେ ସବୁବେଳେ ହାତୀପଲ ରହୁଥିବା ଯୋଗୁଁ ଅଂଚଳବାସୀ ସର୍ବଦା ଆତଙ୍କିତ ଅବସ୍ଥାରେ ରହୁଥିବା ଅଭିଯୋଗ ହେଉଛି। ବଡ଼ମାଳ ଗ୍ରାମର ଇନ୍ଦ୍ରବିଳାସ ଷଣ୍ଢ କୁହନ୍ତି ଚାଷ ଆରମ୍ଭ ପୂର୍ବରୁ ହାତୀପଲ ଏଠାରେ ରହୁଥିବା ଯୋଗୁଁ ବିଭିନ୍ନ ସମୟରେ ଆମକୁ ଅନେକ କ୍ଷତି ସହିବାକୁ ପଡୁଛି। ଆଦିବାସୀ ବହୁଳ ଏହି ଅଂଚଳର ଲୋକେ ନିତିଦିନିଆ କାର୍ଯ୍ୟ ପାଇଁ ସର୍ବଦା ଜଙ୍ଗଲ ଭିତରେ ଦେଇ ଯା-ଆସ କରିଥାଉ, ଏହି ସମୟରେ କୌଣସି ଅଘଟଣ ଘଟିଲେ ସେଥିପାଇଁ ଦାୟୀ ରହିବ କିଏ? ଏହାକୁ ନେଇ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରା ଯାଉଥିଲେ ଥିଲେ ମଧ୍ୟ, ବାବୁ ଜିପ୍ ରେ ଆସି କେବଳ ନିଜ ମୁହଁ ଗ୍ରାମବାସୀଙ୍କୁ ଦେଖାଇ ଚାଲି ଯାଇଥାଆନ୍ତି। ଆଗାମୀ ଦିନରେ ଯଦି ଜଙ୍ଗଲ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ହାତୀପଲଙ୍କୁ ଘଉଡ଼ାଇବା ବ୍ୟବସ୍ଥା ନକରନ୍ତି ତେବେ ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ସମ୍ବୁଖରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସୌନକ କୁମାର ପଟେଲ, ଘନଶ୍ୟାମ ଷଣ୍ଢ, ସୌଭାଗ୍ୟ ପଟେଲ, ମଙ୍ଗଳ ମୁଣ୍ଡା, ବଳଭଦ୍ର ମରେଈ, ଗୋକୁଳା ବଗର୍ତୀ, ପ୍ରଶାନ୍ତ ବଗର୍ତୀ, ଅଲେଖ ବଗର୍ତୀ, ସରୋଜ ନାୟକ, ସତ୍ୟନାରାୟଣ ପଟେଲ, ସୁରେଶ ମହାକୁଳ ଭଳି ଅନେକ ଚାଷୀ ଓ ଅଞ୍ଚଳବାସୀ ରୋକଠୋକ ଚେତାବନୀ ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ